fbpx

(VIDEO) ୭୦ ବର୍ଷ ହେଲା ଡିବିରି ଆଲୁଅରେ ପାଠ ପଢ଼ୁଛନ୍ତି ଶିଶୁମାନେ, ପାଣି ପାଇଁ ରେଲୱେ ଷ୍ଟେସନ ହିଁ ଏକମାତ୍ର ଭରସା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅଧିକାଂଶ ଲୋକ ଭାବିଥାନ୍ତି ଯେ ସହରରେ ସମସ୍ତଙ୍କ ଘରେ ପାଣି ଆଉ ବିଜୁଳି ସୁବିଧା ରହିଥିବ । ତେବେ ଏହା ସମ୍ପୂର୍ଣ୍ଣ ଭୁଲ । ଆଜି ବି ଆମ ରାଜ୍ୟର ଏପରି କିଛି ସ୍ଥାନ ରହିଛି ଯେଉଁଠି ନା ଅଛି ପାଣି ନା ଅଛି ବିଜୁଳି । ବର୍ଷେ ନୁହେଁ କି ଦୁଇବର୍ଷ ନୁହେଁ ଦୀର୍ଘ ସାତ ଦଶନ୍ଧି ଧରି ବିନା ପାଣି, ବିଜୁଳିରେ ଜୀବନ ବିତାଇ ଆସୁଛନ୍ତି ଲୋକମାନେ । ନିଜ ଆଖିରେ ନ ଦେଖିବା ପରେ କେହି ବି ଏକଥାକୁ ବିଶ୍ୱାସକୁ ନେବେ ନାହିଁ ।

ଏଭଳି ଏକ ଦୁଃଖଦପୂର୍ଣ୍ଣ ଚିତ୍ର ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲାର ୧୪ ନମ୍ବର ୱାର୍ଡର ବିହାରୀପଡ଼ା ବସ୍ତିରେ । ଏହି ବସ୍ତି ସ୍ଥାନଟି ଜନଗହଳିପୂର୍ଣ୍ଣ ହୋଇଥିବା ବେଳେ ଅନତିଦୂରରେ ରେଳ ଷ୍ଟେସନ ବି ରହିଛି । ମାତ୍ର ପାଣି କି ବିଜୁଳିର ସୁବିଧାରୁ ବଞ୍ଚିତ ହୋଇଛନ୍ତି ସେଠାକାର ଅଧିବାସୀମାନେ । ଉକ୍ତ ବସ୍ତିର ଲୋକମାନେ ପାଣି ପାଇଁ ନିକଟସ୍ଥ ରେଲୱେ ଷ୍ଟେସନ ଉପରେ ନିର୍ଭର କରୁଥିବା ବେଳେ ଅନେକ ସମୟରେ ରେଲୱେ କର୍ମଚାରୀ ମଧ୍ୟ ପାଣି ଦେବାକୁ ବାରଣ କରିଥାନ୍ତି । ତେବେ ବିଜୁଳି ନଥିବାରୁ ଛୋଟ ପିଲାମାନେ ଡିବିରି ଆଲୁଅରେ ପାଠ ପଢ଼ୁଛନ୍ତି । ପୂର୍ବରୁ ଏନେଇ ବସ୍ତି ବାସିନ୍ଦାଙ୍କ ତରଫରୁ ଏକାଧିକ ବାର ଦାବି କରାଯାଇଥିଲେ ହେଁ ତାହା କେବଳ ପ୍ରତିଶ୍ରୁତିରେ ହିଁ ରହିଯାଇଛି । ନିର୍ବାଚନ ସମୟ ପାଖେଇ ଆସିଲେ ରାଜନେତାମାନେ ଦୁଃଖ ବୁଝିବାକୁ ପ୍ରତିଶ୍ରୁତି ଦେଇଥାନ୍ତି । ମାତ୍ର ପରବର୍ତ୍ତୀ ସମୟରେ ତାହା କେବଳ ପାଣିର ଗାର ହୋଇ ରହିଯାଇଥାଏ । ତେବେ ଖୁବଶୀଘ୍ର ସେମାନଙ୍କର ସମସ୍ତ ଦାବି ପୂରଣ କରାଯିବ ବୋଲି ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଜଣାଇଛନ୍ତି ।

Get real time updates directly on you device, subscribe now.