fbpx

ଏହି କାରଣ ପାଇଁ ରାଜ୍ୟରେ ବୃଦ୍ଧିପାଇବ ୨ ରୁ ୩ ଡିଗ୍ରୀ ତାପମାତ୍ରା : ପାଣିପାଗ ବିଭାଗର ସୂଚନା

ଭୁବନେଶ୍ୱର : ଦକ୍ଷିଣ ଗୋଲାର୍ଦ୍ଧ ବିଷୁବରେଖା ଅତିକ୍ରମ କରୁଥିବା ପବନ ଆରବ ସାଗରକୁ ଆସୁଛି । ପାଣିପାଗ ବିଭାଗର ସୂଚନା ଅନୁସାରେ, ଆରବ ସାଗରରୁ ଏହି ପବନ ବଙ୍ଗୋପସାଗରରେ ପହଞ୍ଚୁଥିବାରୁ ଆସନ୍ତା ୩ରୁ ୪ ଦିନ ମଧ୍ୟରେ ଦିନ ତାପମାତ୍ରା ବୃଦ୍ଧି ପାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଏହି ସମୟ ମଧ୍ୟରେ କେତେକ ଜିଲ୍ଲାରେ ଦିନ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି ।

ଚଳିବର୍ଷ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ସ୍ୱାଭାବିକଠାରୁ ଗୋଟିଏ ଦିନ ପୂର୍ବରୁ କେରଳ ଛୁଇଁବା ସମ୍ଭାବନା ଅଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଜୁନ୍‍ ପହିଲାରେ ଦକ୍ଷିଣପଶ୍ଚିମ ମୌସୁମୀବାୟୁ ସ୍ୱାଭାବିକ ଭାବେ କେରଳ ଛୁଇଁଥାଏ । ମାତ୍ର ଏବର୍ଷ ମଇ ୩୧ ସୁଦ୍ଧା କେରଳ ଉପକୂଳ ଛୁଇଁପାରେ । ଅପରପକ୍ଷେ, ଗତ ୨୪ ଘଣ୍ଟା ମଧ୍ୟରେ ବାୟୁମଣ୍ଡଳରେ ମଧ୍ୟ ଏବଂ ଉପରିଭାଗର ସକ୍ରିୟ ନିମ୍ନଚାପ ରେଖା ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ମେଘୁଆ ପାଗ ସହ କେତେକ ସ୍ଥାନରେ ହାଲୁକା ବର୍ଷା ହୋଇଯାଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ନୂଆପଡା, ବଲାଙ୍ଗିର, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.