fbpx

ଦୁଇଦେଶ ଯୁଦ୍ଧରେ ମାତିଲେ, ଫଳ ଭୋଗିବେ ସମଗ୍ର ବିଶ୍ୱବାସୀ: ଭାରତରେ ମାସକ ମଧ୍ୟରେ ୧୫୦ ଟପିପାରେ ପେଟ୍ରୋଲ ଲିଟର

ନୂଆଦିଲ୍ଲୀ: ଆଜି ରୁଷିଆ-ୟୁକ୍ରେନ ଯୁଦ୍ଧ ୧୪ ଦିନରେ ପହଞ୍ଚିଥିବା ବେଳେ ଏନେଇ ଏକ ଆଶ୍ୱସ୍ତିକରଣ ଖବର ଆସିଛି । ଏହି ଯୁଦ୍ଧର ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିଛି ସମଗ୍ର ବିଶ୍ୱବାସୀଙ୍କୁ । ଏହା ମଧ୍ୟରେ ବିଭିନ୍ନ ସାମଗ୍ରୀର ମୂଲ୍ୟ ବୃଦ୍ଧି ଘଟିଥିବା ବେଳେ ସମସ୍ତଙ୍କ ନଜର ରହିଛି ତେଲ ଉପରେ । ଯେ କୌଣସି ସମୟରେ ପେଟ୍ରୋଲ ଦର ବୃଦ୍ଧି ପାଇବ ବୋଲି ଏକ୍ସପର୍ଟମାନେ ମତ ଦେଇଛନ୍ତି । ତେବେ ରୁଷ ବିଶ୍ୱର ଅନ୍ୟତମ ତୈଳ ଉତ୍ପାଦନକାରୀ ରାଷ୍ଟ୍ର ହୋଇଥିବାରୁ ତା’ ଉପରେ ବିଶ୍ୱର ଅନେକ ରାଷ୍ଟ୍ର ନିର୍ଭର କରିଥାନ୍ତି । ନିକଟରେ ୟୁକ୍ରେନ ବିରୋଧରେ ଯୁଦ୍ଧ ଯୋଗୁଁ ରୁଷ ଉପରେ ବିଭିନ୍ନ ପ୍ରକାର କଟକଣା ଲାଗୁ କରିଛି ଆମେରିକା । ରୁଷର କୌଣସି ତୈଳକୁ ଆମେରିକାର ବନ୍ଦରଗୁଡ଼ିକରେ ଗ୍ରହଣ କରାଯିବ ନାହିଁ ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କହିଥିଲେ । ଅନୁରୂପ ଭାବେ ବ୍ରିଟେନ ମଧ୍ୟ ରୁଷ ଉପରେ ପ୍ରତିବନ୍ଧକ ଲଗାଇଥିବା ଜଣାପଡ଼ିଛି ।

ତେବେ ରୁଷ ପକ୍ଷରୁ ଏହାର କଡ଼ା ଜବାବ ଦିଆଯାଇଛି । ତେଲ ଆମଦାନୀ ଉପରେ କଟକଣା ଲଗାଇଲେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦାମ୍ ବ୍ୟାରେଲ ପିଛା ୩୦୦ ଡଲାରେ ପହଞ୍ଚିବ ବୋଲି ରୁଷ ପକ୍ଷରୁ କୁହାଯାଇଛି । ଫଳରେ ଏହାକୁ ନେଇ ସମଗ୍ର ବିଶ୍ୱରେ ଏବେ ହଇଚଇ ସୃଷ୍ଟି ହୋଇଛି । ତୈଳର ଏହି ଉଚ୍ଚା ଦରକୁ ଯଦି ଆମେ ହିସାବକୁ ନେବା, ତେବେ ଆସନ୍ତା ମାସକ ମଧ୍ୟରେ ଭାରତରେ ପେଟ୍ରୋଲ ଦର ଲିଟର ପିଛା ୧୫୦ ଟପିଯିବ । ହୁଏତ ଏପରି ହୋଇପାରେ, ଭାରତ ସରକାର ନିଜେ ଖର୍ଚ୍ଚ ବହନ କରି ନାଗରିକଙ୍କୁ ଆଶ୍ୱସ୍ତି ଦେଇପାରନ୍ତି । ଆମେରିକା ରୁଷରୁ ୧୦ ପ୍ରତିଶତରୁ କମ୍ ତେଲ ମଗାଉଥିବାରୁ ତା’ର ସେଭଳି କିଛି କ୍ଷତି ହେବ ନାହିଁ । ମାତ୍ର ଘାଟାରେ ପଡ଼ିବେ ସମସ୍ତ ୟୁରୋପୀୟ ରାଷ୍ଟ୍ର । ରୁଷରୁ ତେଲ ନ କିଣିଲେ ଯେଉଁ ଅଭାବ ଦେଖାଦେବ ତାହା ପୂରଣ କରିବାକୁ ୟୁରୋପୀୟ ରାଷ୍ଟ୍ରଗୁଡ଼ିକୁ ଏକ ବର୍ଷରୁ ଅଧିକ ସମୟ ଲାଗିଯିବ । ଫଳରେ ଅନ୍ୟ ଦେଶର ତେଲ ପାଇଁ ସେମାନେ ଚଢ଼ା ଦାମ ଦେବାକୁ ବାଧ୍ୟ ହେବେ । ଅନ୍ୟପକ୍ଷରେ ଆନ୍ତର୍ଜାତିକ କଟକଣା ଦ୍ୱାରା ଦୁର୍ବଳ ହୋଇପଡ଼ିଥିବା ରୁଷ ତା’ର ପୁରୁଣା ବନ୍ଧୁ ଭାରତକୁ ୨୭ ପ୍ରତିଶତ ରିହାତିରେ ତେଲ ବିକ୍ରି କରିବ ବୋଲି ପ୍ରସ୍ତାବ ଦେଇଥିବା କୁହାଯାଉଛି ।

Get real time updates directly on you device, subscribe now.