ଜଙ୍ଗଲ ଛାଡ଼ି ଏବେ ଗାଁ ଆଡ଼େ ମାଡ଼ି ଆସିଲାଣି ବନାଗ୍ନି, ଆୟତ୍ତକୁ ଆସୁନି ଜଙ୍ଗଲ ନିଆଁ

ବୋଲ ମାନୁନି ବନାଗ୍ନି। ଚାହୁଁ ଚାହୁଁ ପବନ ବେଗରେ ମାଡ଼ି ଚାଲିଛି ଜଙ୍ଗଲ ନିଆଁ।

ଭୁବନେଶ୍ୱର: ବୋଲ ମାନୁନି ବନାଗ୍ନି। ଚାହୁଁ ଚାହୁଁ ପବନ ବେଗରେ ମାଡ଼ି ଚାଲିଛି ଜଙ୍ଗଲ ନିଆଁ। ଯେଉଁ ଜଙ୍ଗଲ ଦେଖିବ ସେଇ ଜଙ୍ଗଲ ନିଆଁର ଆଁରେ ଜଳି ପୋଡି ନଷ୍ଟ ହୋଇଯାଉଛି। ଖରା ଦିନ ଆରମ୍ଭରୁ ଜଙ୍ଗଲ ଜଳିବା ମଧ୍ୟ ଆରମ୍ଭ ହୋଇଗଲାଣି।

ଆଉ ତା ଉପରେ ଦିନକୁ ଦିନ ଖରା ତାଉ ଦେଖାଉଛି। ସେଥିପାଇଁ ଜନଜୀବନ ଠାରୁ ଆରମ୍ଭ କରି ପଶୁ ପକ୍ଷୀ ସମସ୍ତେ ବିପଦ ମୁହଁରେ ପଡିଲେଣି। ଜଙ୍ଗଲରେ ନିଆଁ ଲାଗିବା ଫଳରେ ଅନେକ ଜଙ୍ଗଲି ଜନ୍ତୁ ମଧ୍ୟ ନିଆଁରେ ପୋଡି ହୋଇଯାଉଛନ୍ତି।

ଜଙ୍ଗଲରେ ନିଆଁ: ଯଦି ଦେଖିବା ମୟୂରଭଞ୍ଜରୁ ସୁନ୍ଦରଗଡ଼, ନୂଆପଡ଼ାରୁ ଅନୁଗୁଳ। ସବୁଠି ଜଙ୍ଗଲ ଜଳିବା ସହିତ ହେକ୍ଟର ହେକ୍ଟର ଜଙ୍ଗଲ ନଷ୍ଟ ହେଲାଣି। କେବଳ ସେତିକି ନୁହେଁ ଜଙ୍ଗଲି ନିଆଁ ଜଙ୍ଗଲ ଛାଡି ଏବେ ଗାଁ ମୁହାଁ ହେଲାଣି।

ଯାହାକି ବୌଦ୍ଧ ବନଖଣ୍ଡ ଜାମୁଖୋଲ ଜଙ୍ଗଲରେ ଦେଖିବାକୁ ମିଳିଛି। ଖାଲି ବୌଦ୍ଧ ନୁହେଁ, ସୁନ୍ଦରଗଡ଼ ବଣାଇରୁ ମୟୂରଭଞ୍ଜର ଉଦଳା, ନୂଆପଡ଼ା, ତାଳଚେର ଆଉ କୋରାପୁଟରୁ ଶିମିଳିପାଳ। ସବୁଠି ଖରା ଆରମ୍ଭରୁ ଜଳୁଛି ଜଙ୍ଗଲ।

ବନ କର୍ମଚାରୀ ନାକେଦମ: ଆଉ ସେପଟେ ନିଆଁ ଆୟତ୍ତ କରିବାକୁ କେଉଁଠି ବନ କର୍ମଚାରୀ ନାକେଦମ୍ ତ’ ଆଉ କେଉଁଠି ଧୂଆଁରେ ଅସ୍ତବ୍ୟସ୍ତ ସ୍ଥାନୀୟ ବାସିନ୍ଦା। ରାଜ୍ୟ ସରକାରଙ୍କ ତଥ୍ୟ କହୁଛି, ଚଳିତ ବର୍ଷ ଆରମ୍ଭରୁ ମାର୍ଚ୍ଚ ୮ ତାରିଖ ମଧ୍ୟରେ ୯ ହଜାର ୩୦୦ ପଏଣ୍ଟରେ ନିଆଁ ଲାଗିଲାଣି। ଫଳରେ ନଷ୍ଟ ହେଲାଣି ୨ ହଜାର ୧୬୫ ହେକ୍ଟର ଜଙ୍ଗଲ।

ଏପଟେ ଆଜି ଗୋଟିଏ ଦିନରେ ରାଜ୍ୟର ୨୫୭ ସ୍ଥାନରେ ଲାଗିଛି ନିଆଁ। ସେହିପରି ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ ତଥ୍ୟ କହୁଛି, ଗତ ସପ୍ତାହକ ଭିତରେ ରାଜ୍ୟର ୨ ହଜାର ୫୮୬ଟି ସ୍ଥାନରେ ଜଙ୍ଗଲ ନିଆଁ ଦେଖିବାକୁ ମିଳିଛି। ଯାହାକି ତେଲଙ୍ଗାନା ପରେ ଦେଶରେ ଦ୍ୱିତୀୟ ସର୍ବାଧିକ। ସେ ଭିତରେ ରହିଛି ୩୩୩ଟି ବଡ଼ ଧରଣର ବନାଗ୍ନି।

ସଚେତନତା: ତେବେ ଏପରି ପରିସ୍ଥିତିରେ କେବଳ ସତର୍କତା ଏବଂ ସଚେତନତା ହିଁ ଏହି ବଡ଼ ବିପଦରୁ ରକ୍ଷା କରିପାରିବ। ଆଗାମୀ ଦିନରେ ରାଜ୍ୟର ଅନ୍ୟ ଜଙ୍ଗଲରେ ମଧ୍ୟ ଏଆଇ କ୍ୟାମେରା ବ୍ୟବସ୍ଥା ହେଉଛି। ସେପଟେ ପରିବେଶବିତଙ୍କ ଉଦବେଗ ଯେ, ଲୋକଙ୍କ ଅସାବଧାନତାରୁ ହିଁ ଜଙ୍ଗଲରେ ନିଆଁ ଲାଗୁଛି। ଏଥିପାଇଁ ବନ ବିଭାଗ ପକ୍ଷରୁ ବ୍ୟାପକ ଜନ ସଚେତନତା ଜରୁରୀ ରହିଛି।