fbpx

ଗାଈ ଆକ୍ରମଣରେ ଗୁଜରାଟର ପୂର୍ବତନ Deputy CM ଆହତ

ନୂଆଦିଲ୍ଲୀ: ଗୁଜରାଟର ପୂର୍ବତନ ଡେପୁଟି ସିଏମ୍ ନୀତିନ ପଟେଲ ଗାଈ ଆକ୍ରମଣରେ ଆହତ ହୋଇଛନ୍ତି । ‘ହର ଘର ତିରଙ୍ଗା’ ଅଭିଯାନର ରାଲି ସମୟରେ ହଠାତ୍ ଏକ ଗାଈ ଭିଡ଼ ମଧ୍ୟକୁ ପଶି ଯାଇଥିଲା । ମେହସନା ଜିଲ୍ଲାର କଦି ଅଞ୍ଚଳରେ ଏହି ଅଘଟଣ ଦେଖିବାକୁ ମିଳିଛି । ଏହି ଘଟଣା ପରେ ନୀତିନଙ୍କୁ ଫାଷ୍ଟ ଏଡ୍ ପ୍ରଦାନ କରାଯାଇ ଏକ ଚେୟାର ମାଧ୍ୟମରେ ନିଆଯାଇଥିଲା ।

ତେବେ ରାଲି ଚାଲିଥିବା ବେଳେ ହଠାତ୍ ଭିଡ଼ ଭିତରକୁ ଏକ ଗାଈ ଦୌଡ଼ି ଦୌଡ଼ି ପଶି ଯାଇଥିଲା । ଗାଈ ସହ ଧକ୍କା ହୋଇ ନୀତିନ ତଳେ ପଡ଼ିଯାଇଥିଲେ । ଏହାଦ୍ୱାରା ତାଙ୍କର ବାମ ଗୋଡ଼ ଭାଙ୍ଗି ଯାଇଥିଲା । ଏହାପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ନିଆଯାଇ ଏକ୍ସ-ରେ ଓ ସିଟି ସ୍କାନ କରାଯାଇଥିଲା । ଡାକ୍ତର ନୀତିନଙ୍କ ବାମ ଗୋଡ଼କୁ ବ୍ୟାଣ୍ଡେଜ୍ କରିବା ସହ ୨୦-୨୫ ଦିନ ପାଇଁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି ।

ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ‘ହର ଘର ତିରଙ୍ଗା’ ଅଭିଯାନରେ ସାମିଲ ହୋଇଥିଲେ ନୀତିନ । ଏହି ସମୟରେ ବହୁ ସଂଖ୍ୟାରେ କର୍ମୀ ସେଠାରେ ଉପସ୍ଥିତ ଥିଲେ । ତିରଙ୍ଗା ଯାତ୍ରା ପାଇଁ ପାଖାପାଖି ୨ ହଜାର ଲୋକ ଏକାଠି ହୋଇଥିଲେ । ରାଜ୍ୟର କଦି ସହରରେ ଅଚାନକ ଏହି ଅଘଟଣ ଘଟିଥିଲା । ନୀତିନ ବିଜୟ ରୂପାନୀଙ୍କ ସରକାରରେ ଡେପୁଟି ସିଏମ୍ ଓ ସ୍ୱାସ୍ଥ୍ୟ ଦାୟିତ୍ୱରେ ରହିଥିଲେ ।

Get real time updates directly on you device, subscribe now.