କେନ୍ଦ୍ରାପଡ଼ା,୨୧ା୩: କେନ୍ଦ୍ରାପଡ଼ା ଜିଲା ଆଳି ନିର୍ବାଚନ ମଣ୍ଡଳୀର କଂଗ୍ରେସର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ଶୁକ୍ରବାର ପରଲୋକ ଘଟିଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୬୬ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି । ତାଙ୍କର ଦେହାନ୍ତ ନେଇ ଝିଅ ଦେବସ୍ମିତା ସୂଚନା ଦେଇଛନ୍ତି ।
ଦେବେନ୍ଦ୍ର ୨୦୦୪,୨୦୦୯,୨୦୧୪ ଓ ୨୦୧୯ରେ ସର୍ବମୋଟ ୪ଥର ଆଳି ବିଧାନସଭା ଆସନରୁ ନିର୍ବାଚନ ଲଢିଥିବାବେଳେ ୨୦୧୪ ନିର୍ବାଚନରେ ନିଜର ପ୍ରତିଦ୍ୱନ୍ଦ୍ୱୀ ପ୍ରତାପ ଦେବଙ୍କୁ ପରାସ୍ତ କରି ବିଜୟ ହାସଲ କରିଥିଲେ।
ଚଳିତ ଥର ନିର୍ବାଚନରେ ଶାରିରୀକ ଅସୁସ୍ଥତା ଯୋଗୁ ନିଜେ ନିର୍ବାଚନ ନ ଲଢି ନିଜର ଏକମାତ୍ର ଝିଅ ଡାକ୍ତର ଦେବସ୍ମିତାଙ୍କୁ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ରଣାଙ୍ଗନକୁ ଛାଡିଥିଲେ । ବିଶେଷ କଥା ହେଉଛି ନିର୍ବାଚନ ଲଢିବା ପାଇଁ ଦେବସ୍ମିତା ଡାକ୍ତରୀ ଚାକିରିରୁ ଅବ୍ୟାହତି ନେଇ ବିଜେଡି ପ୍ରାର୍ଥୀ ମନ୍ତ୍ରୀ ପ୍ରତାପ ଦେବ ଓ ବିଜେପିର କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ସହିତ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିଲେ।
ଜମି ବିକ୍ରି କରି ଝିଅକୁ ନିର୍ବାଚନ ଲଢାଇବା ପାଇଁ ଆଳି ସବରେଜେଷ୍ଟ୍ରି ଅଫିସରେ ନିଆଳ ମୌଜାରେ ନିଜର ମୂଲ୍ୟବାନ ଘରଡିହରୁ ୫ ଡେସମିଲ ବିକ୍ରି କରୁଥିବା ସମୟରେ ଏହି ଘଟଣା ସାମନାକୁ ଆସିଥିଲା । ଏବେ ଶାରିରୀକ ଅସାମର୍ଥ୍ୟ ଯୋଗୁ ମୁଁ ନିର୍ବାଚନ ଲଢିବା ସମ୍ଭବ ନୁହେଁ। ତେଣୁ ଝିଅକୁ ନିର୍ବାଚନ ମଇଦାନକୁ ଛାଡିଛି। ମୋ ପାଖରେ ଆର୍ଥିକ କ୍ଷମତା ମଧ୍ୟ ନାହିଁ । ଝିଅ ଦେବସ୍ମିତାର ସର୍ବନିମ୍ନ ନିର୍ବାଚନୀ ଖର୍ଚ୍ଚ ତୁଲାଇବାକୁ ପୈତୃକ ସମ୍ପତ୍ତି ବିକ୍ରି କରିଛି। ଏ ଲଢେଇ କଳା ଟଙ୍କା ବନାମ ସ୍ବଚ୍ଛ, ନିର୍ମଳ ପ୍ରତିନିଧି ମଧ୍ୟରେ ହେଉଛି ବୋଲି ଶର୍ମା କହିଥିଲେ।