fbpx

ବିଜେପିରେ ଯୋଗଦେଲେ ନାଲକୋର ପୂର୍ବତନ ସିଏମଡି ତପନ ଚାନ୍ଦ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ରାଜ୍ୟ ବିଧାନସଭା ଓ ଲୋକସଭା ନିର୍ବାଚନ ହେବାର ଅଛି । ନିର୍ବାଚନ ପାଇଁ ଆଉ ମାତ୍ର କିଛି ମାସ ବାକି ଥିବାବେଳେ ରାଜନୈତିକ ଦଳମାନେ ସେନେଇ ପ୍ରସ୍ତୁତିରେ ବ୍ୟସ୍ତ ରହିଛନ୍ତି । ଅନ୍ୟପକ୍ଷରେ ନିର୍ବାଚନ ପୂର୍ବରୁ ରାଜନେତାଙ୍କର ଦଳ ବଦଳ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ନିକଟରେ ବିଭିନ୍ନ ଦଳର କିଛି ନେତା ଅନ୍ୟ ଦଳରେ ସାମିଲ ହୋଇଥିବା ବେଳେ ଆଗକୁ ଏହି ସଂଖ୍ୟା ବଢ଼ିବାର ସମ୍ଭାବନା ରହିଛି ।

ତେବେ ଏହା ମଧ୍ୟରେ ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ନାଲକୋର ପୂର୍ବତନ ସିଏମଡି ଡ. ତପନ ଚାନ୍ଦ ବିଜେପିରେ ସାମିଲ ହୋଇଛନ୍ତି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତି ଡ. ଚାନ୍ଦ ପଦ୍ମ ଧରିଥିବା ଜଣାପଡ଼ିଛି । ଡ. ଚାନ୍ଦ ଛାତ୍ର ଜୀବନରୁ ଏବିଭିପି, ଆରଏସଏସ ଓ ବିଜେପି ସହ ଜଡ଼ିତ ରହିଥିଲେ । ସେ ଏବିଭିପି ସମର୍ଥନରେ ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ର ସଂସଦ ସଭାପତି ଭାବେ ନିର୍ବାଚିତ ହୋଇଥିଲେ ।

ତେବେ ଗତ ୧୧ ଦିନ ମଧ୍ୟରେ ୪ ବିଧାୟକ ଓ ୮ ଜଣ ପୂର୍ବତନ ବିଧାୟକ ବିଜେପିରେ ସାମିଲ ହୋଇସାରିଛନ୍ତି । ଦଳକୁ ସଶକ୍ତ କରିବା ପାଇଁ ବିଭିନ୍ନ ବର୍ଗର ଲୋକଙ୍କୁ ବିଜେପିରେ ସାମିଲ କରାଯାଉଛି । ମୋଦୀ ଗ୍ୟାରେଣ୍ଟିର ପ୍ରଭାବରେ ପ୍ରଭାବିତ ହୋଇ ଲୋକମାନେ ବିଜେପିରେ ସାମିଲ ହେଉଥିବା କହିଛନ୍ତି ରାଜ୍ୟ ବିଜେପି ସଭାପତି ଶ୍ରୀ ସାମଲ । ସୂଚନାଯୋଗ୍ୟ ଯେ, ରାଜ୍ୟରେ ପୁଣି ଥରେ ବିଜେପି-ବିଜେଡି ମେଣ୍ଟ ହେବା ନେଇ ଶ୍ରୀ ସାମଲ ଦିଲ୍ଲୀରୁ ଫେରିବା ପରେ ଖଣ୍ଡନ କରିଥିବା ବେଳେ ତାହା ଏବେ ବି ସସପେନ୍ନ ହୋଇ ରହିଛି । ନିକଟରେ ରେଢ଼ାଖୋଲ ଠାରେ ପ୍ରଧାନମନ୍ତ୍ରୀ ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପରସ୍ପର ବିରୋଧରେ କୌଣସି ମନ୍ତବ୍ୟ ନଦେବା ମେଣ୍ଟର ଏକ ସଙ୍କେତ ଦେଉଥିବା ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.