fbpx

ଚାରି ଦେଶ ୟୁଏନଏସସିରେ ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ କରୁଛନ୍ତି, ପଡୋଶୀ ଚୀନ୍ ବାଟ ଓଗାଳୁଛି

Advertisement

ନୂଆଦିଲ୍ଲୀ: ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ର ସ୍ଥାୟୀ ସଦସ୍ୟ ହେବା ପାଇଁ ଭାରତ ରାସ୍ତାରେ ପୁଣି କଣ୍ଟା ସାଜିଛି ଚୀନ। ପାଞ୍ଚଜଣ ସ୍ଥାୟୀ ସଦସ୍ୟଙ୍କ ମଧ୍ୟରୁ ଚାରିଜଣ ସ୍ଥାୟୀ ଆସନ ପାଇଁ ଭାରତର ସଦସ୍ୟତାକୁ ସମର୍ଥନ କରିଥିବା ବେଳେ ଚୀନ ବିରୋଧ କରିଛି। ଶୁକ୍ରବାର ଲୋକସଭାର ମୋୖସୁମୀ ଅଧିବେଶନରେ ସରକାର ଏହି ସୂଚନା ଦେଇଛନ୍ତି। ୟୁଏନଏସସିର ପାଞ୍ଚଜଣ ସ୍ଥାୟୀ ସଦସ୍ୟ ହେଉଛନ୍ତି ଆମେରିକା, ଋଷ ଫେଡେରେସନ୍, ଫ୍ରାନ୍ସ, ଚୀନ୍ ଏବଂ ବ୍ରିଟେନ। ଲୋକସଭାରେ ଏକ ପ୍ରଶ୍ନର ଉତ୍ତରରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଭି ମୁରଲୀଧରନ୍ କହିଛନ୍ତି ଯେ ଚୀନ୍ ବ୍ୟତୀତ ଅନ୍ୟ ସମସ୍ତ ଦେଶ ଭାରତର ସଦସ୍ୟତାକୁ ସମର୍ଥନ କରିଛନ୍ତି।

ଜାତିସଂଘ ସୁରକ୍ଷା ପରିଷଦର ପାଞ୍ଚଜଣ ସ୍ଥାୟୀ ସଦସ୍ୟଙ୍କ ମଧ୍ୟରୁ ଚାରିଜଣ ଦ୍ୱିପାକ୍ଷିକ ଭାବେ ଭାରତର ସ୍ଥାୟୀ ଆସନକୁ ସମର୍ଥନ କରିବାକୁ ନିଶ୍ଚିତ କରିଛନ୍ତି ବୋଲି ନ୍ୟୁଜ୍ ଏଜେନ୍ସି ପିଟିଆଇ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କହିଛି। ଏହି ଦିଗରେ ଭାରତ ପାଇଁ ଆନ୍ତର୍ଜାତୀୟ ସହାୟତା ପାଇବାକୁ ଲକ୍ଷ୍ୟ ରଖି ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି ବୋଲି ସେ କହିଛନ୍ତି। ସବୁ ସ୍ତରରେ ଦ୍ୱିପାକ୍ଷିକ ଏବଂ ବହୁପକ୍ଷୀୟ ବୈଠକ ସମୟରେ ଏହି ପ୍ରସଙ୍ଗ ନିୟମିତ ଭାବରେ ଉଠାଯାଏ।

ସେ କହିଛନ୍ତି ଯେ ଗତ ବର୍ଷ ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ହ୍ୱାଇଟ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ତାଙ୍କର ପ୍ରଥମ ବ୍ୟକ୍ତିଗତ ଦ୍ୱିପାକ୍ଷିକ ବବୈଠକରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ଏବଂ ଆଣବିକ ଯୋଗାଣକାରୀ ଗୋଷ୍ଠୀରେ ଭାରତର ସ୍ଥାୟୀ ସଦସ୍ୟତା ପାଇଁ ଆମେରିକାର ସମର୍ଥନ ପ୍ରତିଶୃତି ଦେଇଛନ୍ତି। ୟୁଏନଏସସି ସମ୍ପର୍କରେ ସେ ଗତ ବର୍ଷ ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଦେଇଥିବା ବିବୃତ୍ତିକୁ ମଧ୍ୟ ଉଲ୍ଲେଖ କରିଛନ୍ତି।

UNSC ସମ୍ପ୍ରତି ପାଞ୍ଚଟି ସଦସ୍ୟ ରାଷ୍ଟ୍ର ଏବଂ ୧୦ ଟି ଅଣ-ସ୍ଥାୟୀ ସଦସ୍ୟ ରାଷ୍ଟ୍ରକୁ ନେଇ ଗଠିତ। ଅଣ-ସ୍ଥାୟୀ ସଦସ୍ୟମାନେ ଦୁଇ ବର୍ଷ ପାଇଁ ସାଧାରଣ ସଭା ଦ୍ୱାରା ନିର୍ବାଚିତ ହୁଅନ୍ତି। ଏଥି ସହିତ, ପାଞ୍ଚଟି ସ୍ଥାୟୀ ସଦସ୍ୟ ରାଷ୍ଟ୍ର ୟୁଏନସିରେ ଯେକୌଣସି ରିଜୋଲ୍ୟୁସନକୁ ଭିଟୋ କରିପାରିବେ। ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟମାନଙ୍କ ପାଇଁ ବର୍ତ୍ତମାନ ଭାରତ, ବ୍ରାଜିଲ, ଜର୍ମାନୀ, ଜାପାନ ଏବଂ ଦକ୍ଷିଣ ଆଫ୍ରିକା ଦୃଢ ପ୍ରତିଦ୍ୱନ୍ଦ୍ୱୀ ଅଟନ୍ତି।

Get real time updates directly on you device, subscribe now.