fbpx

ଦୁଇ ପୁଅ ପାଖ ମାଡ଼ିଲେନି, ଚାରି ଝିଅ ଚାରି କାନ୍ଧରେ ୪ କିମି ବୋହିଲେ ମାଆର ଶବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୁହାଯାଏ ପୁଅଟିରେ କୂଳରେ ଥିଲେ ମୁହଁରେ ନିଆଁ ଦେବ ଆଉ ସାତପୁରୁଷଙ୍କୁ ଉଦ୍ଧାର କରିବେ । ତେବେ ଯଦି ପୁଅମାନେ ବାପା-ମାଆଙ୍କୁ ବୃଦ୍ଧାବସ୍ଥାରେ ବା ମୃତ୍ୟୁ ପରେ ହତାଦର କରିବେ ସେ କ୍ଷେତ୍ରରେ କ’ଣ କରାଯିବ । ଆଜି ବି ଆମ ସମାଜରେ ଏପରି ଅନେକ ଘଟଣା ଘଟୁଛି । ଏପରି ଏକ ଘଟଣା ଦେଖିବାକୁ ମିଳିଛି ପୁରୀରେ । ମାଆର ଶବ ଶ୍ମଶାନକୁ ବୋହି ନେବା ପାଇଁ ଦୁଇ ପୁଅ ଆସିନଥିଲେ । ତେଣୁ ଚାରି ଝିଅ ଚାରି କାନ୍ଧରେ ମାଆର ଶବକୁ ସ୍ୱର୍ଗଦ୍ୱାରକୁ ନେଇ ଅନ୍ତିମ ସଂସ୍କାର କରିଥିଲେ ।

ଜଣାପଡ଼ିଛି, ପୁରୀର ମଙ୍ଗଳାଘାଟର ୮୧ ବର୍ଷୀୟା ମହିଳା ଜଟି ସାହୁଙ୍କ ମୃତ୍ୟୁ ପରେ ତାଙ୍କର ଦୁଇ ପୁଅ ପାଖକୁ ଆସିନଥିଲେ । ତେଣୁ ଚାରି ଝିଅ ସିତାମଣି, ସୁଶୀଳା, ସୁମିତ୍ରା ଓ ସରସ୍ୱତୀ ସାହସର ସହ ଚାରିକାନ୍ଧ ଦେଇ ୪ କିମି ଦୂର ସ୍ୱର୍ଗଦ୍ୱାରକୁ ବୋହି ନେଇଥିଲେ । ଏହାକୁ ଦେଖି ବନ୍ଧୁ ପରିଜନ ସମସ୍ତେ ହତବାକ ହୋଇଯାଇଥିଲେ । ମୃତ ମହିଳା ଜଣଙ୍କ ବୃଦ୍ଧାବସ୍ଥାରେ ସାହି ସାହି ବୁଲି ମୁଢ଼ି ବିକି ଅର୍ଜିତ ଅର୍ଥରେ ନିଜ ସନ୍ତାନଙ୍କ ମୁହଁରେ ଦାନ ଦିଅନ୍ତି । ମାତ୍ର ମୃତ୍ୟୁ ପରେ ଆଜି ସେହି ମାଆ ଅଲୋଡ଼ା ହୋଇଯାଇଛି । ପୂର୍ବରୁ ୮-୧୦ ବର୍ଷ ହେଲା ପୁଅମାନେ ମାଆକୁ ବାରମ୍ବାର ଅତ୍ୟାଚାର କରି ଆସୁଥିବା ବେଳେ ଝିଅମାନେ ନ୍ୟାୟ ପାଇଁ ଥାନା, କଚେରୀ ଦୌଡ଼ୁଥିଲେ । ମାତ୍ର ଆଜି ତାଙ୍କ ମାଆ ଆଉ କାହାକୁ ହଇରାଣ କରିବ ନାହିଁ ବୋଲି କାନ୍ଦି କାନ୍ଦି କହୁଥିଲେ ଚାରି ଝିଅ । ତେବେ ପାରିବାରିକ କଳହ ନେଇ କୌଣସି ଅଭିଯୋଗ ଥାନାକୁ ଆସିନଥିବା କହିଛନ୍ତି ବାସେଳି ସାହି ଆଇଆଇସି ।

Get real time updates directly on you device, subscribe now.