କମ୍ ଖର୍ଚ୍ଚରେ ଅଧିକ ଲାଭ, ଚାଷୀ କରନ୍ତୁ ମାଛ ଚାଷ ଆରମ୍ଭ

ନୂଆଦିଲ୍ଲୀ: କୃଷିକାର୍ଯ୍ୟ, ପଶୁପାଳନ ପରେ ବଡ଼ ଆକାରରେ ଭାରତରେ ମାଛ ଚାଷ କରାଯାଏ । ଏବେବି ଅନେକ ଚାଷୀ ରହିଛନ୍ତି ଯେଉଁମାନେ ଭାବୁଛନ୍ତି ଯେ ମାଛ ଚାଷ ପାଇଁ ବଡ଼ ସ୍ଥାନର ଆବଶ୍ୟକତା ରହିଛି । ମାଛ ଛାଷ ଆପଣ ଗାଁରେ ଛୋଟ ପୋଖରୀରେ ମଧ୍ୟ କରିପାରିବେ, ଆଉ ଲକ୍ଷାଧିକ ଆୟ ମଧ୍ୟ କରିପାରିବେ ।

ଗତ କିଛି ବର୍ଷରୁ ସରକାର ମଧ୍ୟ କୃଷକଙ୍କୁ ମାଛ ଚାଷ ପାଇଁ ପ୍ରୋତ୍ସାହନ ଯୋଗାଉଛନ୍ତି । ପ୍ରଧାନମନ୍ତ୍ରୀ ମତ୍ସ୍ୟ ସଂପଦ ଯୋଜନା ଅନୂଯାୟୀ କୃଷକଙ୍କୁ ମାଛଚାଷ ପାଇଁ ସବସିଡି ସହ ଅନେକ ସୁବିଧା ମଧ୍ୟ ଯୋଗାଇଦିଆଯାଉଛି । ଅବଶ୍ୟ ବିଶେଷଜ୍ଞଙ୍କ ଅନୂଯାୟୀ ମାଛ ଚାଷ ପୂର୍ବରୁ ଟ୍ରେନିଂ ନେବା ବହୁତ ଜରୁରୀ । ମାଛ ଯାଆଁଳ ଫାର୍ମରୁ ହିଁ କିଣିବା ଦରକାର ।

ପ୍ରାରମ୍ଭିକ ପର୍ଯ୍ୟାୟରେ ବିଶେଷଜ୍ଞ କୃଷକଙ୍କୁ ଛୋଟ ପୋଖରୀରେ ମାଛ ଚାଷ କରିବାକୁ ପରାମର୍ଶ ଦେଇଥାନ୍ତି । ଏଥିରେ ଖର୍ଚ୍ଚ କମ୍ ହୋଇଥାଏ । ଫଳରେ ଧୀରେ ଧୀରେ ମାଛ ଚାଷ କରୁଥିବା ବ୍ୟକ୍ତି ଅନୁଭବୀ ହୋଇଥାନ୍ତି ଏବଂ ତାଙ୍କୁ ଛୋଟ ଛୋଟ ଭୁଲ୍ ମଧ୍ୟ ଜଣାପଡ଼ିଥାଏ । ଯାହାପରେ ବଡ଼ ପୋଖରୀରେ ମାଛ ଚାଷ ଆରମ୍ଭ କରିପାରିବେ ଏବଂ ତାଙ୍କର କାରବାର ବଢ଼ାଇପାରିବେ ।

ତେବେ ମାଛ ଚାଷ ପାଇଁ ପୋଖରୀ ନିର୍ମାଣ ପାଇଁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇପାରେ । ଅନେକ ରାଜ୍ୟରେ ସରକାରଙ୍କ ତରଫରୁ ପୋଖରୀ ଖୋଳିବା ପାଇଁ ମଧ୍ୟ ସବସିଡି ଦିଆଯାଉଛି । ଯଦି ଆପଣ ଆରମ୍ଭରେ ମାଛ ଚାଷ ପାଇଁ ୧ ଲକ୍ଷ ଟଙ୍କା ଲଗାଉଛନ୍ତି ତେବେ ଆରାମରେ ୫ ରୁ ୬ ଲକ୍ଷ ଟଙ୍କା ଆୟ କରିପାରିବେ । ଏପରିକି ଏଭଳି ଅନେକ ପ୍ରଜାତିର ମାଛ ରହିଛନ୍ତି ଯାହାକୁ ଚାଷ କରି ଆପଣ ୨୦ ଲକ୍ଷ ପର୍ଯ୍ୟନ୍ତ ଆୟ କରିପାରିବେ ।