ରେଲୱେରେ ଚାକିରୀ ଦେବା ନାମରେ କୋଟି କୋଟି ଟଙ୍କାର ଠକେଇ; ଟ୍ରେନିଂ ଦେବେ କହି ଗଣାଉଥିଲେ ଟ୍ରେନ୍ ବଗି

ନୂଆଦିଲ୍ଲୀ: ଚାକିରୀ ନାଁରେ ବଡ଼ ଧରଣର ଠକେଇ । ରେଲୱେରେ ଚାକିରୀ ଦେବେ କହି କୋଟି କୋଟି ଟଙ୍କା ଠକି ନେଇଥିବାର ଅଭିଯୋଗ ହୋଇଛି । ତେବେ ନୂଆଦିଲ୍ଲୀ ରେଳ ଷ୍ଟେସନର ବିଭିନ୍ନ ପ୍ଲାଟଫର୍ମରେ ତାମିଲନାଡୁର ଅତି କମରେ ୨୮ ଜଣ ଲୋକ ଏକ ମାସ ପର୍ଯ୍ୟନ୍ତ ଟ୍ରେନ୍ ଏବଂ ଟ୍ରେନର ବଗିକୁ ପ୍ରତିଦିନ ପ୍ରାୟ ଆଠ ଘଣ୍ଟା ଧରି ଗଣୁଥିଲେ । ତାଙ୍କୁ କୁହାଯାଇଥିଲା ଯେ ଏହା ହେଉଛି ତାଙ୍କର କାମ । ସେ ଜାଣି ନଥିଲେ ଯେ ଚାକିରି ନାମରେ ସେ ଠକାମିର ଶିକାର ହୋଇଛନ୍ତି । ଦିଲ୍ଲୀ ପୋଲିସର ଆର୍ଥିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ରେ ଦାଖଲ କରାଯାଇଥିବା ଅଭିଯୋଗ ଅନୁଯାୟୀ ସେମାନଙ୍କୁ କୁହାଯାଇଥିଲା ଯେ ଟିଟିଇ, ଟ୍ରାଫିକ୍ ଆସିଷ୍ଟାଣ୍ଟ ଏବଂ କିରାଣୀ ପଦବୀ ପାଇଁ ଏହା ସେମାନଙ୍କ ପ୍ରଶିକ୍ଷଣର ଏକ ଅଂଶ । ରେଲୱେରେ ଚାକିରି ପାଇବା ପାଇଁ ଏହି ପ୍ରାର୍ଥୀମାନେ ଦୁଇ ଲକ୍ଷରୁ ୨୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟଙ୍କା ଦେଇଥିଲେ । କିନ୍ତୁ ଚାକିରୀ ବଦଳରେ ସେମାନେ ଠକାମୀର ଶିକାର ହୋଇଥିବା ଜଣା ପଡ଼ିଛି ।

ତେବେ ଏପରି ଏକ ଅଭିଯୋଗ ୭୮ ବର୍ଷିୟ ଏମ ସୁବୁସାମିଙ୍କ ଦ୍ୱାରା କରାଯାଇଛି । ଅଭିଯୋଗ ଅନୁଯାୟୀ, ଜୁନ୍ ରୁ ଜୁଲାଇ ମଧ୍ୟରେ ହୋଇଥିବା ତାଲିମ ପାଇଁ ପ୍ରାର୍ଥୀଙ୍କ ଠାରୁ ୨.୬୭ କୋଟି ଟଙ୍କା ଠକେଇ କରାଯାଇଥିଲା । ସୁବୁସାମୀ ପ୍ରାର୍ଥୀଙ୍କ ଠାରୁ ଟଙ୍କା ନେଇ କିଛି ଠକମାନଙ୍କୁ ଚାକିରୀ ପାଇଁ ଟଙ୍କା ଦେଇଥିଲେ । କିନ୍ତୁ ସେ ଜାଣି ନଥିଲେ ଯେ ସେ ଯେଉଁ ମାନଙ୍କୁ ଟଙ୍କା ଦେଇଛନ୍ତି ସେମାନେ ଠକ । ଏବଂ ସେ ଠକମାନଙ୍କ ଜାଲରେ ଫସି ଯାଇଥିଲେ । ସୁବୁସାମୀ ପ୍ରତ୍ୟେକ ପ୍ରାର୍ଥୀଙ୍କ ଠାରୁ ଦୁଇ ଲକ୍ଷରୁ ୨୪ ଲକ୍ଷ ଟଙ୍କା ନେଇ ବିକାଶ ରାଣା ନାମକ ଜଣେ ବ୍ୟକ୍ତିଙ୍କୁ ଦେଇଥିବା ମଦୁରାଇର ଜଣେ ୨୫ ବର୍ଷିୟ ଯୁବକ ସ୍ନେହିଲ କୁମାର କହିଛନ୍ତି । ତେବେ ରାଣା ନିଜକୁ ଦିଲ୍ଲୀର ଉତ୍ତର ରେଲୱେ କାର୍ଯ୍ୟାଳୟରେ ଡେପୁଟି ଡାଇରେକ୍ଟର ଭାବରେ ପରିଚିତ କରାଇଥିଲେ ।

ଇଓଡବ୍ଲ୍ୟୁ ନିଜ ପ୍ରାଥମିକ ଅନୁସନ୍ଧାନରେ ଏହା ଏକ ଚାକିରି ସ୍କାମ ବୋଲି କହିଛି ଏବଂ ଏନେଇ ଅଧିକ ଅନୁସନ୍ଧାନ ଜାରି ରହିିଛି । ଏଭଳି ଚାକିରି ସ୍କାମ ବିରୋଧରେ ଚେତାବନୀ ଦେଇ ରେଲୱେ ମନ୍ତ୍ରଣାଳୟର ଅତିରିକ୍ତ ନିର୍ଦ୍ଦେଶକ ଜେନେରାଲ ୟୋଗେଶ ବୱେଜା କହିଛନ୍ତି ଯେ ରେଲୱେ ବୋର୍ଡ ନିୟମିତ ଭାବେ ସାଧାରଣ ଲୋକଙ୍କୁ ଏଭଳି ଠକେଇ ବିରୋଧରେ ସଚେତନ କରାଉଛି । ତେଣୁ ସାଧାରଣ ଜନତା ଏଥିପ୍ରତି ସତର୍କ ରହିବା ଉଚିତ୍ ।