fbpx

ଭୋଟ ପାଇଁ ମଜାଦାର ଘୋଷଣା: ମତଦାତାଙ୍କୁ ମାଗଣାରେ ବିୟର, ଟ୍ୟାକ୍ସି ସେବା ଓ ସ୍ୱାସ୍ଥ୍ୟ ପରୀକ୍ଷା ସୁବିଧା ମିଳିବ!

ନୂଆଦିଲ୍ଲୀ: ଏପ୍ରିଲ ୧୯ରୁ ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୨୬ରୁ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଗ୍ରହଣ କରାଯିବ । ତେବେ ନିର୍ବାଚନ ସମୟରେ ମତଦାତାଙ୍କୁ ଆକର୍ଷିତ କରିବା ପାଇଁ ସାଧାରଣ ଭାବେ ବିଭିନ୍ନ ରାଜନୈତିକ ଦଳ ଓ ନେତାମାନେ ନାନା ପ୍ରକାରର ଅଫର ମାନ ଘୋଷଣା କରିଥାନ୍ତି । ମାତ୍ର ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । କୌଣସି ଦଳ କି କୌଣସି ନେତା ନୁହନ୍ତି । ମତଦାତାଙ୍କୁ ଭୋଟ ଦେବା ପାଇଁ ଆକୃଷ୍ଟ କରିବା ପାଇଁ ଗୋଟିଏ କମ୍ପାନୀ ଏକ ବଡ଼ ଘୋଷଣା କରିଛି ।

ଖବର ମୁତାବକ, ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ପୂର୍ବରୁ ଭାରତର ଏକ ମେଟ୍ରୋ ସିଟିର କମ୍ପାନୀ ଏକ ମଜାଦାର ଘୋଷଣା କରିଛି । ଫୁଡ ଠାରୁ ଆରମ୍ଭ କରି ବିୟର ପର୍ଯ୍ୟନ୍ତ ସବୁ ଅଫର କର୍ଣ୍ଣାଟକର ରାଧଧାନୀ ବେଙ୍ଗାଲୁରୁରେ ଦିଆଯାଉଛି । ମତଦାତାଙ୍କୁ ଆକର୍ଷିତ କରିବା ପାଇଁ ବିଭିନ୍ନ ବ୍ରାଣ୍ଡ, ଆଉଲେଟ ଓ କମ୍ପାନୀମାନେ ଅଫର ଦେଉଛନ୍ତି । ଅନେକ ଜିନିଷରେ ଭାରି ମାତ୍ରାରେ ରିହାତି ମଧ୍ୟ ଘୋଷଣା କରାଯାଇଛି । ବିଜନେସ ଟୁଡେର ଏକ ରିପୋର୍ଟ ମୁତାବକ, ବେଙ୍ଗାଲୁରୁର ୧ କୋଟି ଭୋଟରଙ୍କୁ ଭୋଟିଂ ପାଇଁ ପ୍ରୋତ୍ସାହିତ କରିବା ପାଇଁ ହୋଟେଲ, ଟ୍ୟାକ୍ସି କମ୍ପାନୀ ଓ ଫୁଡ ଆଉଟଲେଟସ୍ ପକ୍ଷରୁ ଏପରି କିଛି ବଡ଼ ଘୋଷଣା କରାଯାଇଛି । କମ୍ପାନୀମାନଙ୍କ ପକ୍ଷରୁ ମାଗଣାରେ ବିୟର, ଟ୍ୟାକ୍ସି ଓ ସ୍ୱାସ୍ଥ୍ୟ ପରୀକ୍ଷା ସୁବିଧା ଦିଆଯାଉଛି । ଏହି ଅଫରର ଫାଇଦା ଉଠାଇବା ପାଇଁ ମତଦାତାଙ୍କୁ କେବଳ ନିଜର ସ୍ୟାହି ଲାଗିଥିବା ଆଙ୍ଗୁଠି ଦେଖାଇବାକୁ ପଡ଼ିବ ।

ସୋସିଆଲ ନାମକ ଏକ ପବ୍ ପକ୍ଷରୁ ଭୋଟର୍ସଙ୍କ ପାଇଁ ଏକ ଖାସ୍ ଘୋଷଣା କରାଯାଇଛି । ଭୋଟରଙ୍କୁ ଫୁଡ ଉପରେ ୨୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଦିଆଯାଉଛି । ଏହି ସୁବିଧା ମତଦାନ ଦିବସଠାରୁ ଏକ ସପ୍ତାହ ପର୍ଯ୍ୟନ୍ତ ବୈଧ ରହିବ ବୋଲି ସୋସିଆଲର ମୂଳ କମ୍ପାନୀ ପକ୍ଷରୁ କୁହାଯାଇଛି । ଅନ୍ୟ ଏକ ରିପୋର୍ଟ ମୁତାବକ, ବେଙ୍ଗାଲୁରୁ ଏକ ରେଷ୍ଟୋ-ପବ ଡେପ ଅଫ୍ ବ୍ରୁଜରେ ଏପ୍ରିଲ ୨୭ ଓ ୨୮ରେ ମତଦାତାଙ୍କୁ ମାଗଣାରେ ଏକ ମଗ ବିୟର ଦିଆଯିବ । ଟ୍ୟାକ୍ସି ସର୍ଭିସ ପ୍ରଦାନକାରୀ ସଂସ୍ଥା ରାପିଡୋ ପକ୍ଷରୁ ବେଙ୍ଗାଲୁରୁରେ ଦିବ୍ୟାଙ୍ଗ ଓ ସିନିୟର ସିଟିଜେନ୍ସ ଭୋଟର୍ସଙ୍କ ପାଇଁ ଅଟୋ କ୍ୟାବ ଓ ବାଇକ ସବାରୀ ବ୍ୟବସ୍ଥା କରାଯିବ ।

Get real time updates directly on you device, subscribe now.