fbpx
BSKY SKY
BSKY SKY

ହେଲମେଟ ପିନ୍ଧିଲେ ମିଳୁଛି ମାଗଣା ପେଟ୍ରୋଲ: ସଡ଼କ ଦୁର୍ଘଟଣା ରୋକିବାକୁ ଦଶମ ଶ୍ରେଣୀ ଛାତ୍ରୀଙ୍କ ଅଭିନବ ପ୍ରୟାସ

BSKY

ନୂଆଦିଲ୍ଲୀ: ଦୁଇ ଚକିଆ ଗାଡ଼ି ଚାଳକଙ୍କ ପାଇଁ ହେଲମେଟ ବାଧ୍ୟତାମୂଳକ କରାଯାଇଥିବା ବେଳେ ନିୟମ ଉଲ୍ଲଂଘନ କଲେ ଫାଇନ୍ ଦେବାକୁ ପଡ଼ିଥାଏ । ସରକାରଙ୍କ ପକ୍ଷରୁ ଯେତେ ନିୟମ ପ୍ରଣୟନ କଲେ, ଯେତେ ସଚେତନ କରାଗଲେ ମଧ୍ୟ ଅନେକ ଲୋକ ଏହାକୁ ବେଖାତିର କରିଥାନ୍ତି । ଫଳରେ ଅକାରଣରେ ଅନେକ ଲୋକ ଦୁର୍ଘଟଣାର ଶିକାର ହେବା ସହିତ ମୃତାହତ ହୋଇଥାନ୍ତି । ହେଲମେଟ ନ ପିନ୍ଧିବା ଫଳରେ ଗତ ୨୦୨୦ ମସିହାରେ ପାଖାପାଖି ୪୦ ହଜାର ଲୋକଙ୍କର ମୃତ୍ୟୁ ଘଟିଥିବା ରିପୋର୍ଟରୁ ଜଣାପଡ଼ିଛି ।

ତେବେ ଜନସାଧାରଣଙ୍କୁ ସଡ଼କ ଦୁର୍ଘଟଣା ନେଇ ସଚେତନ କରିବାକୁ ଆଗକୁ ଆସିଛନ୍ତି ଜଣେ ଦଶମ ଶ୍ରେଣୀର ଛାତ୍ରୀ । ତାମିଲନାଡ଼ୁର ସେଣ୍ଟ ଆନ୍ଥୋନୀ ସରକାରୀ ହାଇସ୍କୁଲରେ ପାଠ ପଢ଼ୁଥିବା ଦଶମ ଶ୍ରେଣୀ ଛାତ୍ରୀ ରାଘବୀ ଅନ୍ୟ ଜଣେ ଛାତ୍ର ବିଜୟଙ୍କ ସହିତ ମିଶି ଏକ ନୂଆ ତରିକାରେ ଲୋକଙ୍କୁ ସଚେତନ କରାଉଛନ୍ତି । ରାଘବୀ ନିଜର ପକେଟ ଅର୍ଥକୁ ଏକତ୍ର କରି ହେଲମେଟ ପିନ୍ଧିଥିବା ଲୋକଙ୍କୁ ପେଟ୍ରୋଲ ଦେଉଛନ୍ତି । ଯେଉଁ ଗାଡ଼ି ଚାଳକମାନେ ହେଲମେଟ ପିନ୍ଧିଥିବେ ସେମାନଙ୍କୁ ଅଧା ଲିଟର ପେଟ୍ରୋଲ ଦିଆଯାଉଛି । ଏପରି ଭାବେ ରାଘବୀ ୨୦ ଜଣ ଗାଡ଼ି ଚାଳକଙ୍କୁ ପେଟ୍ରୋଲ ଦେଇ ସାରିଲେଣି ।

ଏଥିସହିତ ସେମାନେ ଲୋକଙ୍କୁ ହେଲମେଟ ପିନ୍ଧିବାର ଗୁରୁତ୍ୱ ବିଷୟରେ ବୁଝାଉଛନ୍ତି । ରାଘବୀ ଓ ବିଜୟ ପୂର୍ବରୁ ଲୋକଙ୍କୁ ପ୍ଲାଷ୍ଟିକ ଦ୍ରବ୍ୟ ବ୍ୟବହାର କରିବାର ବିପଦକୁ ନେଇ ସଚେତନତା ସୃଷ୍ଟି କରିବା ସହିତ ନିଜେ ସଂଗ୍ରହ କରିଥିବା ଅର୍ଥରେ ୧୦୦ଟି ହଳଦିଆ ବ୍ୟାଗ ମାଗଣାରେ ବଣ୍ଟନ କରିଥିଲେ । ସଡ଼କ ସୁରକ୍ଷା ନେଇ ଏହି ଦୁଇ ଛାତ୍ରଛାତ୍ରୀଙ୍କ ପ୍ରୟାସ ସମାଜ ପାଇଁ ନିଶ୍ଚିତ ଭାବେ ପ୍ରେରଣା ସାଜିବ । କମ୍ ବୟସରେ ଏଭଳି ମହନୀୟ କାର୍ଯ୍ୟ ପାଇଁ ସେମାନଙ୍କୁ ଏବେ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟୁଛି ।

Get real time updates directly on you device, subscribe now.