fbpx

ପୁଣି ବଢ଼ିଲା ମାଗଣା ରାସନ ଅବଧି: କେନ୍ଦ୍ର ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦେଶର ଗରିବଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଆସନ୍ତା ଏକ ବର୍ଷ ପାଇଁ ଗରିବଙ୍କୁ ମାଗଣାରେ ମିଳିବ ରାସନ ସାମଗ୍ରୀ । ଜାତୀୟ ଖାଦ୍ୟ ସୁରକ୍ଷା ନିୟମ ଅଧିନରେ ଦେଶର ୮୦ କୋଟି ଲୋକଙ୍କୁ ଏହି ମାଗଣା ବେନିଫିଟ୍ ମିଳିବ । କେନ୍ଦ୍ର କ୍ୟାବିନେଟ ବୈଠକରେ ନିଆଯାଇଥିବା ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବାବଦରେ କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲ ସୂଚନା ଦେଇଛନ୍ତି ।

ତେବେ କେନ୍ଦ୍ର ସରକାରଙ୍କ ଏହି ବଡ଼ ନିଷ୍ପତ୍ତି ପରେ ରାଜକୋଷ ଉପରେ ୨ ଲକ୍ଷ କୋଟିର ଅତିରିକ୍ତ ଭାର ପଡ଼ିବ । ଏହି ଯୋଜନାରେ କେନ୍ଦ୍ର ସରକାର ପ୍ରତ୍ୟେକ ବର୍ଷ ୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଆକ୍ଟ ଅଧିନରେ ଗରିବଙ୍କୁ ଚାଉଳ, ଗହମ ଓ ମୋଟା ଶସ୍ୟ ଯଥାକ୍ରମେ କିଲୋ ପ୍ରତି ୩, ୨ ଓ ୧ ଟଙ୍କା ଦରରେ ପ୍ରଦାନ କରାଯାଉଛି । ଆସନ୍ତା ୨୦୨୩ ମସିହା ଡିସେମ୍ବର ମାସ ପର୍ଯ୍ୟନ୍ତ ଏହି ସବୁ ଶସ୍ୟ ମାଗଣାରେ ମିଳିବ । ରାସନ ପାଇଁ ଗରିବଙ୍କୁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ଗୋୟଲ କହିଛନ୍ତି ।

ଗତ ୨୦୨୦ ମସିହା ମାର୍ଚ୍ଚ ମାସରେ କୋଭିଡ-୧୯ ସଙ୍କଟ ସମୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାକୁ ଲାଗୁ କରାଯାଇଥିଲା । ଏହି ଯୋଜନାର ଫାଇଦା ଦେଶର ୮୦ କୋଟି ଲୋକଙ୍କୁ ମିଳୁଥିଲା । ଏହି ଯୋଜନା ଅଧିନରେ ବିପିଏଲ କାର୍ଡ ଥିବା ପରିବାରଙ୍କୁ ପ୍ରତି ମାସରେ ଜଣେ ବ୍ୟକ୍ତି ପିଛା ୪ କିଲୋ ଗହମ ଓ ୧ କିଲୋ ଚାଉଳ ମାଗଣାରେ ପ୍ରଦାନ କରାଯାଉଥିଲା । ଗତ କିଛି ମାସ ଧରି ଏହି ଯୋଜନାର ଅବଧିକୁ କେନ୍ଦ୍ର ସରକାର ବୃଦ୍ଧି କରିଆସିଛନ୍ତି । ଏହି ଯୋଜନା ଆରମ୍ଭ ହେବା ପରଠାରୁ ଏହା ମଧ୍ୟରେ ୭ଟି ପର୍ଯ୍ୟାୟରେ ସମୟସୀମା ବୃଦ୍ଧି କରାଯାଇଛି ।

Get real time updates directly on you device, subscribe now.