fbpx

ପ୍ରଥମାଷ୍ଟମୀ ପୂର୍ବରୁ ହଳଦୀ ପତ୍ର ବାସ୍ନାରେ ମହକିଲାଣି ରାଜଧାନୀ

ଭୁବନେଶ୍ୱର:  ସମୟ ବଦଳିଛି, ଏହା ଭିତରେ ଢ଼େର ବଦଳି ଯାଇଛି ରାଜଧାନୀର ଚିତ୍ର । ଭୁବନେଶ୍ୱର ପାଇଛି ସ୍ମାର୍ଟ ସିଟିର ପରିଚୟ । କିନ୍ତୁ ଏସବୁ ମଧ୍ୟରେ ବଦଳି ନି ଆମ ପରମ୍ପରା ରୀତିନୀତି ତଥା ଆମ ଓଡ଼ିଆ ପିଠା ପଣାର ସ୍ୱାଦ । ସେଥିପାଇଁ ତ ପ୍ରଥମାଷ୍ଟମୀ ପୂର୍ବରୁ ହଳଦୀ ପତ୍ରର ବାସ୍ନାରେ ମହକିଲାଣି ରାଜଧାନୀ ଭୁବନେଶ୍ଵର । ବର୍ଷକୁ ମାତ୍ର ଗୋଟିଏ ଥର ପୋଢୁଆଁଷ୍ଟମୀରେ ପ୍ରସ୍ତୁତ ହେଉଥିବା ଏଣ୍ଡୁରି ପିଠା ପାଇଁ ଏବେ ରାଜଧାନୀର ପ୍ରତ୍ୟେକ ଛୋଟ ମୋଟ ଦୋକାନରେ ଦେଖିବାକୁ ମିଳୁଛି ହଳଦୀ ପତ୍ରର ଆସର । ଧନୀ ହେଉ ଅଥବା ଗରିବ ସଭିଙ୍କ ହାତରେ ଗୋଟେ କି ଦି ବିଡ଼ା ହଳଦୀ ପତ୍ର ଆପଣ ନିଶ୍ଚୟ ଦେଖିବାକୁ ପାଇବେ । ଦେଖିବେନି ବା କିପରି ପ୍ରଥମାଷ୍ଟମୀରେ ହଳଦୀ ପତ୍ର ଏଣ୍ଡୁରି ପିଠାର ମହକ ଏହି ଦିନଟାକୁ ଅଧିକ ସ୍ୱତନ୍ତ୍ର କରିଦେଇଥାଏ । ଗୋଟିଏ ଦିନ ପାଇଁ ହେଉ ପଛକେ ବ୍ୟସ୍ତ ବହୁଳ ରାଜଧାନୀବାସୀ ତଥା ଆମ ଯୁବପିଢ଼ି ନାମୀଦାମୀ ରେସ୍ତୋରାଣ୍ଟର ପିଜା ବର୍ଗର ଛାଡ଼ି ଆପଣାଇ ନେଇଥାନ୍ତି ହଳଦୀ ପତ୍ର ଏଣ୍ଡୁରି ପିଠା ସ୍ୱାଦ । ଏନେଇ ରାଜଧାନୀର ପ୍ରମୁଖ ହାଟ ମଧ୍ୟରୁ ଅନ୍ୟତମ ୟୁନିଟ-୧ ନମ୍ବର ମାର୍କେଟରେ ବହୁଳ ମାତ୍ରାରେ ବିକ୍ରି ହେବାରେ ଲାଗିଛି ବିଡ଼ା ବିଡ଼ା ହଳଦୀ ପତ୍ର । ଦୁଇ ବିଡ଼ାକୁ ୩୦ଟଙ୍କାରେ ବିକ୍ରି କରୁଛନ୍ତି ହଳଦୀ ପତ୍ର ବିକ୍ରେତା ତଥା ବ୍ୟବସାୟୀ ।

  • ପ୍ରଥମାଷ୍ଟମୀ ସହ ହଳଦୀ ପତ୍ର ଏଣ୍ଡୁରୀ ପିଠାର ସମ୍ପର୍କ :-

ଏଣ୍ଡୁରି ପିଠା ହେଉଛି ପ୍ରଥମାଷ୍ଟମୀର ବିଶେଷତ୍ୱ । ଏହି ପିଠା ପାଇଁ ହଳଦୀପତ୍ରର ବ୍ୟବହାର ମଧ୍ୟ ଅନ୍ୟ ଏକ ବିଶେଷତ୍ୱ । ଅନ୍ୟ କୌଣସି ପିଠାରେ ହଳଦୀ ପତ୍ର ବ୍ୟବହୃତ ହୁଏନାହିଁ । କେବଳ ପ୍ରଥମାଷ୍ଟମୀ ଉପଲକ୍ଷେ ଏଣ୍ଡୁରି ପିଠାରେ ହିଁ ହଳଦୀପତ୍ରର ବ୍ୟବହାର କରାଯାଇଥାଏ । ବର୍ଷକୁ ମାତ୍ର ଶୀତ ଋତୁ ସମୟରେ ହିଁ ଆପଣ ହଳଦୀ ପତ୍ର ପିଠାର ସ୍ୱାଦ ଚାଖି ପାରିବେ । କାରଣ ଶୀତଦିନ ଆରମ୍ଭରୁ ହିଁ ଚାଷ କରାଯାଇଥିବା ହଳଦୀ ଗଛ ଗୁଡିକରେ କୁଆଁ ବା ନୂଆ ପତ୍ର ବାହାରିବା ଆରମ୍ଭ ହୋଇଥାଏ । ତେବେ ହଳଦୀ ଗଛକୁ ଭଲ ଭାବରେ ବଢ଼ିବା ପାଇଁ ଏହି ନୂତନ ପତ୍ର ଗୁଡିକୁ କଟାଯାଏ । ଯେଉଁ ପତ୍ର ଗୁଡିକୁ ପରେ ଆମେ ପିଠା ତିଆରିରେ ବ୍ୟବହାର କରିଥାଉ । ସେହିଭଳି ବୈଜ୍ଞାନିକ ମତ ଅନୁଯାୟୀ, ହଳଦୀ ଭଳି ହଳଦୀର ପତ୍ର ଗୁଡିକରେ ମଧ୍ୟ ଔଷଧିୟ ଗୁଣ ଭରପୂର ମାତ୍ରାରେ ରହିଥାଏ । ଯାହା ଶୀତ ଋତୁରେ ଆପଣଙ୍କ ଶରୀରରେ ଦେଖାଦେଉଥିବା ରୋଗ ଗୁଡ଼ିକ ଲଢ଼ିବାରେ ସାହାଯ୍ୟ କରିବା ସହିତ ଶରୀରକୁ ରୋଗ ପ୍ରତିରୋଧକ ଶକ୍ତି ପ୍ରଦାନ କରେ । ଯାହା ଫଳରେ ପ୍ରଥମାଷ୍ଟମୀରେ ପାରମ୍ପାରିକ ଭାବେ ପ୍ରସ୍ତୁତ ହେଉଥିବା ଏଣ୍ଡୁରି ପିଠାରେ ହଳଦୀ ପତ୍ରର ବ୍ୟବହାର କରାଯାଏ । ଏହି ପତ୍ରକୁ ବ୍ୟବହାର କରିବା ଦ୍ୱାରା ଖାଦ୍ୟରେ ସ୍ୱାଦ ଏବଂ ବାସ୍ନା ସହିତ କଟାଯାଇଥିବା ହଳଦୀ ପତ୍ର ଗୁଡିକର ମଧ୍ୟ ସଠିକ ଢ଼ଙ୍ଗରେ ବ୍ୟବହାର ହୋଇଥାଏ । ସେହିଭଳି ପ୍ରଥମାଷ୍ଟମୀରେ ପ୍ରସ୍ତୁତ ହଳଦୀ ପତ୍ର ଏଣ୍ଡୁରି ପିଠାର ସ୍ୱାଦ ମଧ୍ୟ ସମ୍ପୂର୍ଣ୍ଣ ନିଆରା ଥାଏ । ଯାହା ଫଳରେ ପିଲା ଠାରୁ ବୁଢ଼ା ପର୍ଯ୍ୟନ୍ତ କେହି ଏହାକୁ ଖାଇବାକୁ ମନା କରିପାରନ୍ତି ନାହିଁ ।

  • ହଳଦୀ ପତ୍ର ଏଣ୍ଡୁରୀ ପିଠାର ପ୍ରସ୍ତୁତି :-

ପିଠା ଆମ ଓଡ଼ିଆ ମାନଙ୍କର ଏକ ପାରମ୍ପାରିକ ଓଡ଼ିଆ ଖାଦ୍ୟ । ଏହା ଆମ ପରମ୍ପରା ଏବଂ ସଂସ୍କୃତିର ପରିଚୟ ଦେଇଥାଏ । ପ୍ରଥମାଷ୍ଟମୀରେ ଏହି ପିଠା ଓଡ଼ିଶାର ଘରେ ଘରେ ପ୍ରସ୍ତୁତ କରାଯାଏ । ଯାହା ଚାଉଳ ଚୂନା ଓ ବିରିରୁ ତିଆରି ବହଳିଆ ମଣ୍ଡକୁ ବାମ୍ଫରେ ରଖି ସିଝାଇ ତିଆରି କରାଯାଏ । ପ୍ରଥମେ ଅରୁଆ ଚାଉଳ ଚୂନା, ବିରି ବଟା, ଲୁଣ, ଚିନି ଆଦିକୁ ମିଶାଇ ଏକ ବହଳିଆ ମିଶ୍ରଣ ପ୍ରସ୍ତୁତ କରାଯାଏ । ପିଠା ଗୁଡିକ ଭଲଭାବରେ ଫୁଲିବା ପାଇଁ ଏହାକୁ କେଇଘଣ୍ଟା ଘୋଡ଼ାଇ ରଖାଯାଏ । ଏହାପରେ ଗୋଟିଏ ହାଣ୍ଡିର ମୁହଁରେ କନାବାନ୍ଧି ସେହିହାଣ୍ଡିକୁ ଚୁଲି କିମ୍ବା ଗ୍ୟାସ ଉପରେ ରଖାଯାଏ । ତେବେ ପିଠା ପ୍ରସ୍ତୁତ ହେଉଥିବା ଏହି ହାଣ୍ଡିକୁ ‘ ଅଥରା ହାଣ୍ଡି ’ କୁହାଯାଏ । ଏହି ଅଥରାହାଣ୍ଡି ଉପରେ ହଳଦୀପତ୍ରରେ ପୁରମିଶା ‘ଆଣ’ ଦିଆଯାଇ ଘୋଡ଼ଣି ଢାଙ୍କି ଦିଆଯାଏ I କିଛି ସମୟପରେ ବାମ୍ଫ ଭିତରେ ପିଠା ସିଝିଗଲେ, ତାକୁ କାଢି ପରସା ଯାଏ । କିନ୍ତୁ ଆପଣ ଏହାକୁ ସହଜ ଉପାୟରେ ଇଟିଲି ପିଠା ପ୍ରସ୍ତୁତ ହେଉଥିବା ଛାଞ୍ଚରେ ପ୍ରଥମେ ବିରି ଚାଉଳର ଆଣ ଉପରେ ପୁର ଦେଇ ଏହାକୁ ସିଝାଇ ପ୍ରସ୍ତୁତ କରି ପାରିବେ ।

Get real time updates directly on you device, subscribe now.