fbpx

UPA vs NDA: କେଉଁ ସରକାରରେ ଅଦାନୀଙ୍କର ସ୍ଥିତି କିପରି ଥିଲା, ଜାଣନ୍ତୁ ୨୦୦୦ରୁ ୨୦୨୩ ପର୍ଯ୍ୟନ୍ତ କମ୍ପାନୀର ବିସ୍ତୃତ ରିପୋର୍ଟ

ନୂଆଦିଲ୍ଲୀ: ଏକଦା ବିଶ୍ୱର ଟପ-୧୦ ବିତ୍ତଶାଳୀଙ୍କ ଲିଷ୍ଟରେ ରହିଥିବା ଗୌତମ ଅଦାନୀ ଆଜି ଏହି ଏହି ଲିଷ୍ଟରୁ ଆଉଟ୍ ହୋଇଯାଇଛନ୍ତି । ହିଣ୍ଡେନବର୍ଗ ରିପୋର୍ଟ ଆସିବା ପରେ ଅଚାନକ ଅଦାନୀ ଗ୍ରୁପର ଶେୟାର ତାସ ଘର ପରି ଭୁଶୁଡ଼ିବାରେ ଲାଗିଥିଲା । ଗତମାସ ୨୪ ତାରିଖରେ ହିଣ୍ଡେନବର୍ଗ ରିପୋର୍ଟ ସାମ୍ନାକୁ ଆସିବା ପରେ ଅଦାନୀ ଧନୀ ଲିଷ୍ଟରେ ୩ ନମ୍ବରରୁ ଅଚାନକ ୧୭ ନମ୍ବରକୁ ଖସି ଆସିଥିଲେ । ଅଦାନୀ ଟଙ୍କାର ପାହାଡ଼ରେ ଯେତେ ଶୀଘ୍ର ଉପରକୁ ଉଠିଥିଲେ ତା’ଠାରୁ କମ୍ ସମୟରେ ତଳକୁ ଖସିଆସିଥିଲେ ।

ତେବେ ଏଠାରେ ପ୍ରଶ୍ନ ଉଠେ, ଅଦାନୀ ଖୁବ୍ କମ୍ ସମୟରେ ଏତେ ବିତ୍ତଶାଳୀ ହେଲେ କେମିତି । ଗତ ଦୁଇ ଦଶନ୍ଧି ମଧ୍ୟରେ ଦେଶରେ ଏକାଧିକ ବାର ସରକାର ବଦଳିଛି । ତେଣୁ ଅଦାନୀଙ୍କର ସମ୍ପତ୍ତି କେବେ ଆଉ କେତେ ମାତ୍ରାରେ ବଢ଼ିଥିଲା, ତା’ ଜାଣିବା ପାଇଁ ଆମକୁ ୨୩ ବର୍ଷ ପଛକୁ ଫେରିବାକୁ ପଡ଼ିବ । ଗତ ୨୦୦୦ ମସିହାରେ ଅଦାନୀ ଗ୍ରୁପର ଗୋଟିଏ କମ୍ପାନୀ ଲିଷ୍ଟେଡ ଥିଲା । ମାତ୍ର ୨୦୨୩ରେ ଏହା ବୃଦ୍ଧି ପାଇ ୧୦ରେ ପହଞ୍ଚି ଯାଇଥିଲା । ଏଥିରେ ଏସିସି, ଅମ୍ବୁଜା ସିମେଣ୍ଟ ଓ ଏନଡିସିଭି ଆଦି ସାମିଲ ରହିଥିଲା ।

ବର୍ତ୍ତମାନ ଭାରତର ଜିଡିପି ଗତ ୨୦୦୪ର ୭୦୯.୧୫ ଅରବ ଡଲାର ତୁଳନାରେ ୩ ଟ୍ରିଲିୟନ ଡଲାରରୁ ଅଧିକ ରହିଛି । ୨୦୧୪ରେ ଯେତେବେଳେ ନରେନ୍ଦ୍ର ମୋଦୀ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ, ସେତେବେଳେ ଦେଶର ଡିଜିପି ୨.୦୪ ଟ୍ରିଲିୟନ ଡଲାର ରହିଥିଲା । ଆଜିର ସମୟରେ ଅଦାନୀ ଗ୍ରୁପ ଇନଫ୍ରାଷ୍ଟ୍ରକଚର, ପାୱାର, ଏୟାରପୋର୍ଟ, ସିମେଣ୍ଟ, ମିଡ଼ିଆ, ଏଫଏମସିଜି ପରି ବିଭିନ୍ନ କ୍ଷେତ୍ରରେ ନିଜର ଦବଦବା ଜାହିର କରିଛି । ଏହି ଗ୍ରୁପ ଗତ ୨୦୦୪ ଠାରୁ ନିଜର ନିବେଶକଙ୍କୁ ଶାନଦାର ପ୍ରଫିଟ ଦେଇ ଆସିଛି ।

ତେବେ ସବୁଠାରୁ ବଡ଼ କଥା ହେଉଛି, ୟୁପିଏ ଶାସନ ସମୟରେ ଅଦାନୀ ଗ୍ରୁପର ଶେୟାର ଅଦାନୀ ଏଣ୍ଟରପ୍ରାଇଜେସରେ ଅହେତୁକ ବୃଦ୍ଧି ଦେଖିବାକୁ ମିଳିଥିଲା । ୨୦୦୪ରୁ ୨୦୧୪ ମଧ୍ୟରେ ଅଦାନୀ ଏଣ୍ଟରପ୍ରାଇଜେସର ଶେୟାରରେ ୨୧୮୬ ପ୍ରତିଶତ ବୃଦ୍ଧି ଘଟିଥିଲା । ୨୦୦୪ରେ ଅଦାନୀ ଏଣ୍ଟରପ୍ରାଇଜେସ ଗ୍ରୁପର ଏକମାତ୍ର ଲିଷ୍ଟେଡ ଫାର୍ମ ଥିଲା । ପାଖାପାଖି ୩ ବର୍ଷ ପରେ ୨୦୧୭ରେ ଅଦାନୀ ପୋର୍ଟସ ଲିଷ୍ଟିଂ ହୋଇଥିଲା । ଏହାପରେ ଅଦାନୀ ପାୱାରକୁ ୨୦୦୯ ମସିହା ଅଗଷ୍ଟରେ ଷ୍ଟକ୍ସ ଏକ୍ସଚେଞ୍ଜରେ ଲିଷ୍ଟ କରାଯାଇଥିଲା ।

୨୦୧୧ ମେ ମାସରେ ଅଦାନୀ ଗ୍ରୁପ କ୍ୱିନସଲ୍ୟାଣ୍ଡ, ଅଷ୍ଟ୍ରେଲିଆରେ ପୋର୍ଟକୁ ୯୯ ବର୍ଷ ପାଇଁ ଲିଜ ନେବାକୁ ଘୋଷଣା କରିଥିଲା । ଏହି ଅଧିଗ୍ରହଣ ୨ ଅରବ ଡଲାରରେ ହୋଇଥିଲା । ଅଦାନୀ ପୋର୍ଟସର ଶେୟାର ୨୦୦୭ ନଭେମ୍ବର ମାସ ୨୭ ଓ ୨୦୧୪ ମେ ମାସ ୨୩ ମଧ୍ୟରେ ୧୮ ପ୍ରତିଶତ ବଢ଼ିଥିଲ । ଅଦାନୀ ପାୱାର ୨୦୦୯ ଅଗଷ୍ଟ ୨୦ରୁ ୨୦୧୪ ମେ ୨୩ ମଧ୍ୟରେ ୩୫ ପ୍ରତିଶତ ବଢ଼ିଥିଲା । ୨୦୧୪ରେ ଏନଡିଏ କ୍ଷମତାକୁ ଆସିବା ସମୟରେ ଅଦାନୀ ଗ୍ରୁପର ମାର୍କେଟ କ୍ୟାପିଟାଇଜେସନ ପାଖାପାଖି ୧.୨୦ ଲକ୍ଷ କୋଟି ଟଙ୍କା ରହିଥିଲା ।

ବର୍ତ୍ତମାନ ଅଦାନୀ ଗ୍ରୁପର ୧୦ଟି ଲିଷ୍ଟେଡ କମ୍ପାନୀର ମାର୍କେଟ କ୍ୟାପିଟାଲାଇଜେସନ ପାଖାପାଖି ୧୦ ଲକ୍ଷ କୋଟି ଟଙ୍କା ରହିଛି । ୨୦୨୨ ଡିସେମ୍ବର ୨୧ରେ ଅଦାନୀ ଏଣ୍ଟରପ୍ରାଇଜେସର ଶେୟାର ୭୫୬ ପ୍ରତିଶତ ବଢ଼ି ୪,୧୮୯.୫୫ ଟଙ୍କାରେ ପହଞ୍ଚିଥିଲା । ୨୦୧୪ ମେ ୨୬ରେ ଏହି ଷ୍ଟକ ୪୮୯ ଟଙ୍କା ଥିବା ବେଳେ ୨୦୨୩ ଜାନୁଆରୀ ୨୪ରେ ହିଣ୍ଡେନବର୍ଗ ରିପୋର୍ଟ ଆସିବା ବେଳେ ସେଥିରେ ଅସ୍ଥିରତା ଦେଖାଦେଇଥିଲା । ଗତ ୨୦ ବର୍ଷ ମଧ୍ୟରେ କମ୍ପାନୀର ରେଭିନ୍ୟୁ ଓ ପ୍ରଫିଟ ଅନେକ ଗୁଣରେ ବୃଦ୍ଧି ପାଇଛି ।

Get real time updates directly on you device, subscribe now.