fbpx

ଯୁକ୍ତ ଦୁଇରେ ୧୦୦ ପ୍ରତିଶତ ସିଲାବସ୍ ରହିବ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୨୦୨୨-୨୩ ଶିକ୍ଷାବର୍ଷରେ ଯୁକ୍ତ ଦୁଇରେ ୧୦୦ ପ୍ରତିଶତ ସିଲାବସ୍ ରହିବ । ଗତ ୨୦୧୯-୨୦ ଶିକ୍ଷାବର୍ଷ ପରି ଏଥିରେ ପ୍ରଶ୍ନପତ୍ର ଆସିବ । ୨୦୨୨ରେ ଫେଲ୍ ହୋଇଥିବା ଛାତ୍ରଛାତ୍ରୀମାନେ ରି-ଶିଡ୍ୟୁଲଡ ସିଲାବସ ଅନୁଯାୟୀ ପରୀକ୍ଷା ଦେବେ । ସେମାନଙ୍କର ପରୀକ୍ଷାର ପ୍ରଶ୍ନପତ୍ର ୨୦୨୨ ଢାଞ୍ଚାରେ ଆସିବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

କୋଭିଡ୍ କାରଣରୁ ଗତ ବର୍ଷ ଯୁକ୍ତ ଦୁଇ ସିଲାବସ୍ ହ୍ରାସ କରାଯାଇଥିଲା । ପିଲାମାନେ ୭୦ ପ୍ରତିଶତ ସିଲାବସରେ ପାଠ ପଢ଼ିବା ସହ ପରୀକ୍ଷା ମଧ୍ୟ ଦେଇଥିଲେ । ଚଳିତ ବର୍ଷ ଦଶମ ପିଲାମାନଙ୍କର ପାସ ହାର ବୃଦ୍ଧି ପାଇଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଡମିଶନକୁ ଆଶଙ୍କା ବଢ଼ିଛି । ସେମାନେ ଭଲ କଲେଜରେ ସିଟ୍ ପାଇବେ କି ନାହିଁ ସେନେଇ ଚିନ୍ତାରେ ରହିଛନ୍ତି । ରାଜ୍ୟର ୮ ହଜାରରୁ ଅଧିକ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି ।

ତେବେ ପାସ୍ ହାର ବୃଦ୍ଧି ପାଇଥିବାରୁ ରାଜଧାନୀ ଭୁବନେଶ୍ୱରର ପ୍ରମୁଖ କଲେଜଗୁଡ଼ିକରେ ଆଡମିଶନ ପ୍ରତିଯୋଗିତା ଦେଖାଦେଇପାରେ । ବିଜେବି, ରମାଦେବୀ ପରି କିଛି ଭଲ ଶିକ୍ଷାନୁଷ୍ଠାନରେ ନାମଲେଖାଇବା ଛାତ୍ରଛାତ୍ରୀ ତଥା ଅଭିଭାବକଙ୍କର ପ୍ରଥମ ପସନ୍ଦ ରହିବ । ତେଣୁ କଳେଜମାନଙ୍କରେ ସିଟ୍ ବୃଦ୍ଧି କରିବାକୁ ବିଭିନ୍ନ ମହଲରୁ ଦାବି ଉଠିଲାଣି । ତେବେ ଆଡମିଶନ ନେଇ କୌଣସି ଅସୁବିଧା ହେବ ନାହିଁ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି ।

Get real time updates directly on you device, subscribe now.