ନୂଆଦିଲ୍ଲୀ: ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ନେଇ ଲାଗିଥିବା ଆରୋପ ଉପରେ ଆଜି ମୁହଁ ଖୋଲିଛନ୍ତି ନିଜେ ବେଙ୍ଗଲ ଟାଇଗର । ଏଭଳି ଆରୋପକୁ ସେ ଭିତ୍ତିହୀନ ବୋଲି କହିଛନ୍ତି ଦାଦା । ଏଥି ସହିତ ଏ ଘଟଣା ବାବଦରେ କାହାକୁ ଉତ୍ତର ଦେବା ଜରୁରୀ ନୁହେଁ ବୋଲି ସେ ଅନୁଭବ କରିଛନ୍ତି । ତେବେ ବିସିସିଆଇ ଅଧ୍ୟକ୍ଷ ରୂପରେ ଯାହା କରିବା ଉଚିତ ତାହା ସେ ଠିକ ଭାବେ କରୁଛନ୍ତି ବୋଲି ପ୍ରକାଶ କରିଛନ୍ତି ।
ସୋଶିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋ ପ୍ରକୃତରେ ଚୟନ କମିଟିର ବୈଠକ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି ଗାଙ୍ଗୁଲି । ଜୟ ଶାହଙ୍କ ସହିତ ଥିବା ସମ୍ପର୍କକୁ ନେଇ ମଧ୍ୟ ଦାଦା ମୁହଁ ଖୋଲିଛନ୍ତି । ଜୟଙ୍କ ସହ ତାଙ୍କର ଭଲ ସମ୍ପର୍କ ରହିଛି ଏବଂ ଉଭୟ ଭଲ ବନ୍ଧୁ ବୋଲି କହିଛନ୍ତି ସୌରଭ । ନିଜ ଉପରେ ଲାଗିଥିବା ଆରୋପକୁ ଏଡାଇବା ପରେ ଭାରତୀୟ କ୍ରିକେଟର ଭବିଷ୍ୟତକୁ ନେଇ ମଧ୍ୟ ସେ ଅନେକ ପ୍ରଶ୍ନର ଉତ୍ତର ଦେଇଛନ୍ତି । ବିରାଟ କୋହଲୀଙ୍କ ପରେ କିଏ ହେବ ଟେଷ୍ଟ ଅଧିନାୟକ ସେ ନେଇ ରହିଛି ବଡ ପ୍ରଶ୍ନ । ତେବେ ଅଧିନାୟକର ସମସ୍ତ ଗୁଣ ଥିବା ଖେଳାଳିଙ୍କୁ ଅଧିନାୟକ ପଦ ଦିଆଯିବ ବୋଲି ସୌରଭ ସ୍ପଷ୍ଟ କରିଛନ୍ତି । ସେପଟେ ମହିଳା ଆଇପିଏଲକୁ ନେଇ ମଧ୍ୟ ସେ ସମ୍ୟକ ସୂଚନା ଦେଇଛନ୍ତି । ବିସିସିଆଇ ମହିଳା ଆଇପିଏଲ ଆୟୋଜନ କରିବାର ଖୁବ ନିକଟରେ ପହଞ୍ଚିଛି, ଏବଂ ଏହି ଟୁର୍ଣ୍ଣାମେଣ୍ଟ ନିଶ୍ଚିତ ହେବ ବୋଲି ଗାଙ୍ଗୁଲି ସ୍ପଷ୍ଟ କରିଛନ୍ତି । ଆସନ୍ତା ବର୍ଷ ଅର୍ଥାତ ୨୦୨୩ରୁ ମହିଳା ଆଇପିଏଲ ଅୟୋଜନ କରିବା ପାଇଁ ଯୋଜନା କରୁଛି ।