ଗରୁଡ଼ ପୁରାଣ: ପ୍ରେମରେ ପ୍ରତାରଣା ଦେଉଥିବା ବ୍ୟକ୍ତିଙ୍କୁ ୭ ଜନ୍ମ ପର୍ଯ୍ୟନ୍ତ ଜୀବନସାଥୀର ସୁଖ ମିଳେ ନାହିଁ
ଜାଣନ୍ତୁ ଗରୁଡ଼ ପୁରାଣରେ ଏଭଳି ନାରୀ, ପୁରୁଷଙ୍କ ସହ କ’ଣ କରାଯାଏ । ଧୋକା ଦେବା ଉଭୟଙ୍କ ପାଇଁ ଦଣ୍ଡନୀୟ ।
ଓଡ଼ିଶା ଭାସ୍କର: ଗରୁଡ଼ ପୁରାଣ ସନାତନ ଧର୍ମରେ ଥିବା ଗ୍ରନ୍ଥଗୁଡ଼ିକ ମଧ୍ୟରେ ଏକ ପ୍ରମୁଖ ଗ୍ରନ୍ଥ । ୧୮ ପୁରାଣ ଭିତରୁ ଗରୁଡ଼ ପୁରାଣ ବେଶୀ ଗୁରୁତ୍ୱ ବହନ କରିଥାଏ ।
କାରଣ ଏହି ପୁରାଣରେ ମୃତ୍ୟୁ ପରର ଜୀବନ ଯାତ୍ରା ସମ୍ପର୍କରେ ଆଲୋଚନା କରାଯାଇଛି । ଗରୁଡ଼ ପୁରାଣ ଅନୁସାରେ ବ୍ୟକ୍ତିଙ୍କୁ ନିଜ କର୍ମ ମୁତାବକ ସ୍ୱର୍ଗ ଏବଂ ନର୍କରେ ଫଳ ପ୍ରାପ୍ତି ହୋଇଥାଏ ।
ଗରୁଡ଼ ପୁରାଣରେ କରାଯାଇଥିବା ବର୍ଣ୍ଣନା ଅନୁଯାୟୀ, ପ୍ରେମରେ ପ୍ରତାରଣା ବା ଧୋକା ଦେଉଥିବା ଲୋକଙ୍କୁ ଘୋର ନର୍କ ଫଳ ମିଳେ । ଏଭଳି ଲୋକଙ୍କୁ ୭ ଜନ୍ମ ପର୍ଯ୍ୟନ୍ତ ନିଜ ଜୀବନସାଥୀର ବିୟୋଗ କଷ୍ଟକୁ ସହିବାକୁ ପଡ଼ିଥାଏ । ପଶୁ ଗର୍ଭରେ ରହିବାକୁ ପଡ଼େ ।
ଏହାଛଡ଼ା ନର୍କରେ ସେମାନଙ୍କ ସହ ଅକଥନୀୟ ଅତ୍ୟାଚାର ହୋଇଥାଏ । ନିଆଁରେ ତତାଯାଇଥିବା ଲୁହା ଖମ୍ବ ସେମାନଙ୍କୁ ଆଲିଙ୍ଗନ କରିବାକୁ ପଡ଼େ । ଏହାଛଡ଼ା ଯମ ସେମାନଙ୍କୁ ଚାବୁକରେ ମାଡ଼ ମଧ୍ୟ ମାରନ୍ତି । ଯେଉଁ ସ୍ତ୍ରୀ ସ୍ୱାମୀକୁ ଛାଡ଼ି ପରପୁରୁଷ ସହ ସମ୍ବନ୍ଧ ସ୍ଥାପନ କରେ ସେ ନାରୀ ବାଦୁଡ଼ି, ଝିଟିପିଟି ଏବଂ ଦିମୁଣ୍ଡିଆ ସାପ ଜନ୍ମ ନିଏ ।
ସେହିପରି ପରନାରୀ ସହିତ ସମ୍ବନ୍ଧ ରଖୁଥିବା ପୁରୁଷ ପରବର୍ତ୍ତୀ ଜନ୍ମରେ ନପୁଂଷକ ହୋଇ ଜନ୍ମ ହୁଅନ୍ତି । ଗୁରୁଙ୍କ ସ୍ତ୍ରୀ ସହ ବ୍ୟଭିଚାର କଲେ ମହାଭୟାନକ ନର୍କ ଯନ୍ତ୍ରଣା ମିଳେ ।
ସେହିପରି ପର ସ୍ତ୍ରୀ ଓ ଯୁବତୀଙ୍କ ଇଜ୍ଜତ ନେଉଥିବା ଲୋକ ବ୍ରହ୍ମରାକ୍ଷସ ହୋଇ ଜନ୍ମ ନିଅନ୍ତି । ମିତ୍ରର ସ୍ତ୍ରୀ ସହିତ ସହବାସ କଲେ ବା ତା’ ସହ ପାପ ସମ୍ପର୍କ ସ୍ଥାପନ କଲେ ଉକ୍ତ ପୁରୁଷଙ୍କୁ ଗଧ ଜନ୍ମ ମିଳେ । ଏ ପ୍ରକାର ଆଚରଣ କରିବା ଉଭୟ ସ୍ତ୍ରୀ ଓ ପୁରୁଷଙ୍କ ପାଇଁ ଦଣ୍ଡନୀୟ ବୋଲି ଗରୁଡ଼ ପୁରାଣରେ ଉଲ୍ଲେଖ କରାଯାଇଛି ।