ସାଙ୍ଗଲା- ମହାରାଷ୍ଟ୍ରର ସାଙ୍ଗଲାରେ ଥିବା ଏକ ଫାର୍ମାସିଟିକାଲ କମ୍ପାନୀରେ ଗ୍ୟାସ ଲିକ ହେବାରୁ ୩ ଜଣଙ୍କ ପ୍ରାଣହାନୀ ହୋଇଥିବା ବେଳେ ୯ ଜଣ ଆହତ ହୋଇଛନ୍ତି । ମୃତକକଙ୍କ ମଧ୍ୟରେ କମ୍ପାନୀର ୨ ମହିଳା କର୍ମଚାରୀଙ୍କ ସହ ଜଣେ ସୁରକ୍ଷା କର୍ମୀ ରହିଛନ୍ତି । ସମସ୍ତ ଆହତଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଅବସ୍ଥା ଗୁରୁତର ଥିବା ପୋଲିସ ପକ୍ଷରୁ କୁହାଯାଇଛି । ଆହତଙ୍କ ମଧ୍ୟରେ ଫ୍ୟାକ୍ଟ୍ରୀର ମାଲିକ ଥିବା ଜଣାପଡିଛି ।
ଏହି ଦୁର୍ଘଟଣା ଗୁରୁବାର ରାତିରେ ସାଲଗାଓ ଏମଆଇଡିସିରେ ଘଟିଛି । ଏକ ଫରେନ୍ସିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଯାନ୍ତ୍ରିକ ତ୍ରୁଟିରୁ ଗ୍ୟାସ ଲିକ କରି ଏପରି ଅଘଟଣ ଘଟିଥିବା ପୋଲିସ ପ୍ରଥମିକ ତଦନ୍ତରୁ ଜାଣିବାକୁ ପାଇଛି । ତେବେ ଘଟଣାର ତଦନ୍ତ ଚଳାଇଛି ପୋଲିସ । ସେପଟେ ଗୁରୁବାର ଦିନ ତାରାପୁରରେ ଥିବା ମହାରାଷ୍ଟ୍ର ଇଷ୍ଟ୍ରିଆଲ ଡିପାର୍ଟମେଣ୍ଟ କର୍ପୋରେସନରେ ମଧ୍ୟ ଭୟଙ୍କର ଅଗ୍ନିକାଣ୍ଡ ହୋଇଥିଲା ।
ସେହିପରି ସେପ୍ଟେମ୍ବର ମାସରେ ଥାନେ ଜିଲ୍ଲା ଅମ୍ବରନାଥରେ ଥିବା କେମିକାଲ ଫ୍ୟାକ୍ଟ୍ରିରେ ଗ୍ୟାସ ଲିକ କରିଥିଲା । ଥାନେ ଡୋମ୍ବିଭଲିରେ ଥିବା ମହାରାଷ୍ଟ୍ର ଇଷ୍ଟ୍ରିଆଲ ଡିପାର୍ଟମେଣ୍ଟ କର୍ପୋରେସନ ଅଞ୍ଚଳରେ ଥିବା ଏକ କେମିକାଲ ଫ୍ୟାକ୍ଟ୍ରୀର ରିଆକ୍ଟର ବ୍ଲାଷ୍ଟ ଘଟି ୧୩ ଜଣଙ୍କ ମେ ମାସରେ ମୃତ୍ୟୁ ହୋଇଥିଲା । ସେହିପରି ଜୁନରେ ଅନ୍ୟ ଏକ କେମିକାଲ ଫ୍ୟାକ୍ଟ୍ରୀରେ ଅଗ୍ନିକାଣ୍ଡ ଘଟିଥିଲା ।