ମୁମ୍ବାଇ: ଭାରତର ଶିଳ୍ପପତି ଗୌତମ ଅଦାନୀ ଚଳିତ ବର୍ଷ ନିଜ ନାମରେ ଗୋଟିଏ ପରେ ଗୋଟିଏ ରେକର୍ଡ ଯୋଡ଼ି ଚାଲିଛନ୍ତି । ଚଳିତ ବର୍ଷ ସେ ଏସିଆର ସବୁଠୁ ଧନୀ ବ୍ୟକ୍ତି ହେବା ସହିତ ବିଶ୍ୱ ଧନୀ ତାଲିକାରେ ଚତୁର୍ଥ ସ୍ଥାନରେ ପହଁଞ୍ଚି ସାରିଛନ୍ତି । ବର୍ତ୍ତମାନ ଗୌତମ ଆଦାନୀଙ୍କର ମୋଟ ସମ୍ପତ୍ତି ବିଲ୍ ଗେଟସ୍ ଙ୍କ ସହିତ ସମାନ । ସେ ଏବେ ୧୨୫ ବିଲିୟନ ଡଲାରର ସମ୍ପତ୍ତିର ମାଲିକ ।
ବ୍ଲୁମବର୍ଗ ବିଲିଓନର୍ସ ମୁତାବ, ଗତ ୨୪ ଘଣ୍ଟାରେ ଅଦାନୀଙ୍କ ସମ୍ପତ୍ତିରେ ୬.୩୧ ମିଲିୟନ ଡଲାର ଯୋଡ଼ି ହୋଇଛି । ଅର୍ଥାତ୍ ଗୋଟିଏ ଦିନରେ ଅଦାନୀ ୪୮ ହଜାର କୋଟି ଟଙ୍କାର ସମ୍ପତ୍ତି ନିଜର କରିଛନ୍ତି । ଚଳିତ ବର୍ଷ ଏପର୍ଯ୍ୟନ୍ତ ବିଶ୍ୱରେ ସର୍ବାଧିକ ସମ୍ପତ୍ତି କମାଇଥିବା ଆରବପତିଙ୍କ ତାଲିକାରେ ଗୌତମ ଅଦାନୀ ସବୁଠୁ ଆଗରେ ରହିଛନ୍ତି । ଏପର୍ଯ୍ୟନ୍ତ ସେ ୪୮.୩ ବିଲିୟନ ଡଲାଇ ସମ୍ପତ୍ତି ନିଜ ନାଁରେ ଯୋଡ଼ି ସାରିଲେଣି ।
ସୂଚନାଯୋଗ୍ୟ ଅଦାନୀଙ୍କ ସମ୍ପତ୍ତି ବୃଦ୍ଧି କାରଣ ହେଉଛି ସେୟାର ମାର୍କେଟରେ ତାଙ୍କ କମ୍ପାନୀ ଗୁଡ଼ିକ ବର୍ତ୍ତମାନ ଜବରଦସ୍ତ ପ୍ରଦର୍ଶନ କରୁଛନ୍ତି । ଏହି କାରଣରୁ ତାଙ୍କର ସମ୍ପତ୍ତିରେ ଯଥେଷ୍ଟ ବୃଦ୍ଧି ପାଇଛି । ଅଦାନୀ ୱିଲମାର ଏପର୍ଯ୍ୟନ୍ତ ପ୍ରାୟ ତିନିଗୁଣା ପର୍ଯ୍ୟନ୍ତ ଲାଭ ଦେଇ ସାରିଲାଣି । ଚଳିତ ବର୍ଷ ଫେବୃଆରୀ ୮ ରେ ୱିଲମାର ୨୨୧ ଟଙ୍କା ରିହାତିରେ ସେୟାର ମାର୍କେଟରେ ତାଲିକାଭୁକ୍ତ ହୋଇଥିଲା । ବର୍ତ୍ତମାନର ସେୟାର ମୂଲ୍ୟ ଅନୁଯାୟୀ, ଆଦାନୀ ୱିଲମାରର ସେୟାରଗୁଡିକ ଏପର୍ଯ୍ୟନ୍ତ ୨୮୧.୪% ର ଚମତ୍କାର ରିଟର୍ନ ଦେଇଛି ।
ସେହିପରି ଅଦାନୀ ପାୱାର ମଧ୍ୟ ଦମ ଦେଖାଇଛି । ଚଳିତ ବର୍ଷ କମ୍ପାନୀ ଏପର୍ଯ୍ୟନ୍ତ ୧୯୮.୦୫% ରିଟର୍ନ ଦେଲାଣି । ୧୩ ଡିସେମ୍ବର ୨୦୨୧ରେ କମ୍ପାନୀ ବିଏସଇରେ ୯୯.୭୫ ସ୍ତରରରେ ଥିଲା । ଯାହା ୨୭ ଏପ୍ରିଲ ବେଳକୁ ବୃଦ୍ଧି ପାଇ ୨୯୭.୩୦ରେ ପହଁଞ୍ଚିଛି । ଅଦାନୀ ୱିଲମାର ଏବଂ ପାୱାର ବ୍ୟତିତ ଅଦାନୀ ଗୃପର ସମସ୍ତ କମ୍ପାନୀ ସେୟାର ମାର୍କେଟରେ ଜବରଦସ୍ତ ପ୍ରଦର୍ଶନ କରୁଛନ୍ତି ।