fbpx

ଓଡ଼ିଶା ଟ୍ରେନ୍ ଦୁର୍ଘଟଣା ଉପରେ ଗୌତମ ଅଦାନୀଙ୍କ ବଡ଼ ଘୋଷଣା: ମୃତକଙ୍କ ଛୁଆମାନଙ୍କର ଉଠାଇବେ ପାଠପଢ଼ା ଖର୍ଚ୍ଚ

ନୂଆଦିଲ୍ଲୀ: ବାଲେଶ୍ୱରରେ ହୋଇଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ନିଜ ପିତା-ମାତାଙ୍କୁ ହରାଇଥିବା ପିଲାମାନଙ୍କୁ ମାଗଣା ସ୍କୁଲ ଶିକ୍ଷା ଦେବାକୁ ନେଇ ବଡ଼ ଘୋଷଣା କରିଛନ୍ତି ଗୌତମ ଅଦାନୀ । ସେ ଟ୍ୱିଟ୍ କରି କହିଛନ୍ତି ଯେ, ଦୁର୍ଘଟଣାରେ ମା’, ବାପାଙ୍କୁ ହରାଇଥିବା ପିଲାମାନଙ୍କ ଶିକ୍ଷାର ଦାୟିତ୍ୱ ଅଦାନୀ ଗ୍ରୁପ୍ ଗ୍ରହଣ କରିବ ।

ତେବେ ଓଡ଼ିଶା ଟ୍ରେନ୍ ଦୁର୍ଘଟଣାରେ ପ୍ରାୟ ୨୭୫ ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି । ୯୦୦ରୁ ଅଧିକ ଆହତ ହୋଇଛନ୍ତି । ଏଥିରେ ଶିଶୁ, ବୃଦ୍ଧଙ୍କ ସମେତ ଅନେକ ଲୋକ ଅଛନ୍ତି । ଏହି ରେଳ ଦୁର୍ଘଟଣା ସମଗ୍ର ଦେଶକୁ ଥରାଇ ଦେଇଛି । ଏହାରି ଭିତରେ ଗୌତମ ଅଦାନୀଙ୍କର ଏହି ଘୋଷଣା ମୃତକଙ୍କ ପିଲାମାନଙ୍କ ପାଇଁ ସାମାନ୍ୟ ଆଶ୍ୱସ୍ତି ଆଣିଦେଇଛି ।

ଅରବପତି ବିଜନେସମ୍ୟାନ ଗୌତମ ଅଦାନୀ ରବିବାର ଟ୍ୱିଟ୍ କରି କହିଛନ୍ତି, ଓଡିଶାରେ ହୋଇଥିବା ଟ୍ରେନ୍ ଦୁର୍ଘଟଣାକୁ ନେଇ ସେ ଅତ୍ୟନ୍ତ ଦୁଃଖି ଅଛନ୍ତି । ଲୋକଙ୍କ ଦୁଃଖକୁ କିଛି ମାତ୍ରାରେ ଲାଘବ କରିବା ପାଇଁ ଅଦାନୀ ଗ୍ରୁପ୍ ଦୁର୍ଘଟଣାରେ ମା’, ବାପାଙ୍କୁ ହରାଇଥିବା ପିଲାମାନଙ୍କର ପାଠପଢ଼ା ଦାୟିତ୍ୱ ଗ୍ରହଣ କରିବ ବୋଲି ନିଷ୍ପତ୍ତି ନେଇଛି । ଅଦାନୀ ଆହୁରି କହିଛନ୍ତି କି, ପୀଡ଼ିତ ଓ ସେମାନଙ୍କ ପରିବାରକୁ ସାହସ ଦେବା ଏବଂ ପିଲାମାନଙ୍କ ଭବିଷ୍ୟତ କିପରି ଭଲ ହେବ, ତାହା ଆମ ସମସ୍ତଙ୍କର ଦାୟିତ୍ୱ ।

ସୂଚନା ମୁତାବକ, ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣା ପରେ ଶହ ଶହ ମୃତ ଦେହ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଜି ସକାଳୁ ସକାଳୁ ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲକୁ ୧୬୦ ମୃତଦେହ ଅଣାଯାଇଛି । ବାଲେଶ୍ୱର, କଟକ, ଭୁବନେଶ୍ୱରର ଅନେକ ମେଡିକାଲରେ ମୃତ ଦେହକୁ ରଖାଯାଇଥିବାରୁ ମୃତ ଦେହକୁ ଚିହ୍ନଟ ପାଇଁ ସମସ୍ୟା ସୃଷ୍ଟି ହେଉଛି । ସମ୍ପର୍କୀୟମାନେ ତାଙ୍କ ଲୋକଙ୍କୁ ଖୋଜି ପାଉନାହାନ୍ତି । ଯାହାକୁ ଦୃଷ୍ଟିରେ ରଖି ବଡ ପଦକ୍ଷେପ ନେଇଛି ବିଏମସି ।

Get real time updates directly on you device, subscribe now.