(Video) ଯୁଦ୍ଧ ମଧ୍ୟରେ ଚର୍ଚ୍ଚାରେ ‘ଘୋଷ୍ଟ ଅଫ୍ କିଭ୍’, ଖସାଇଲାଣି ୬ ରୁଷୀୟ ଫାଇଟର ଜେଟ୍

ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଆଉ ଚତୁର୍ଥ ଦିନରେ ପହଞ୍ଚିଛି ଏହି ଯୁଦ୍ଧ । ରୁଷ ସେନା ୟୁକ୍ରେନର ଦ୍ୱିତୀୟ ବଡ଼ ସହର ଖାରକିଭରେ ପଶିବାକୁ ଉଦ୍ୟମ କରିଛି । କିନ୍ତୁ ସେଠାକାର ଗଭର୍ନର ଦାବି କରିଛନ୍ତି ୟୁକ୍ରେନ ସେନା ରୁଷ ସେନାକୁ ଖାରକିଭରୁ ତଡ଼ିବାରେ ସକ୍ଷମ ହୋଇଛନ୍ତି ଏବଂ ସହରକୁ ତାଙ୍କ ନିୟନ୍ତ୍ରଣକୁ ଆଣିଛନ୍ତି । ସେପଟେ ରୁଷ ସହ କଥା ହେବା ପାଇଁ ୟୁକ୍ରେନ ରାଷ୍ଟ୍ରପତି ରାଜି ହୋଇଥିବା ନେଇ ସୂଚନା ମିଳିଛି । ଉଭୟ ଦେଶର ପ୍ରତିନିଧି ବେଲାରୁସର ସୀମାରେ କୌଣସି ଅନିର୍ଦ୍ଦିଷ୍ଟ ସ୍ଥାନରେ ଆଲୋଚନା କରିବେ ।

ତେବେ ଏହାରି ମଧ୍ୟରେ ଏବେ ‘କୀଭ ର ଘୋଷ୍ଟ’ କୁ ଖୁବ୍ ଚର୍ଚ୍ଚା ହେଉଛି । ପ୍ରକୃତରେ ଏହା କୌଣସି ଭୂତ ନୁହେଁ ବରଂ ୟୁକ୍ରେନର ଏୟାରଫୋର୍ସର ବାହାଦୂର ପାଇଲଟ, ଯିଏକି ମିଗ-୨୯ ଫଲକ୍ରମ ଫାଇଟର ଜେଟ୍ ବିମାନ ଉଡ଼ାଉଛନ୍ତି । ୟୁକ୍ରେନର ଏହି ପାଇଲଟ ଏବେ ଜନତାଙ୍କ ପାଇଁ ହିରୋ ପାଲଟିଯାଇଛନ୍ତି । ଏହି ମିଗ୍-୨୯ ଫଲକ୍ରମ ଫାଇଟର ଜେଟ୍ ରୁଷର ଅତ୍ୟାଧୁନିକ ଫାଇଟର ଜେଟ୍ ଏସୟୁ-୩୫ କୁ ଖସାଇବାରେ ସଫଳ ହୋଇଛି ।

କୁହାଯାଉଛି ଏହି ୟୁକ୍ରେନ ପାଇଲଟ ଏକାକୀ ରୁଷର ୬ ଫାଇଟର ପ୍ଲେନକୁ ଖସାଇବାରେ ସଫଳ ହୋଇଛନ୍ତି । ୟୁକ୍ରେନର ଏହି ପାଇଲଟ କିଭ୍ ଉପରେ ଲଗାତାର ଉଡ଼ାଣ ଭରୁଛନ୍ତି ଏବଂ ଶତ୍ରୁର ଏୟାର ଫୋର୍ସ ଠାରୁ ଦେଶର ରାଜଧାନୀକୁ ସୁରକ୍ଷିତ କରୁଛନ୍ତି । ଆଉ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ତାଙ୍କର ଏହି ବାହାଦୂରି ପାଇଁ ସୋସିଆଲ ମିଡିଆରେ ତାଙ୍କର ଖୁବ୍ ପ୍ରଶଂସା ମଧ୍ୟ କରାଯାଉଛି ।

ତେବେ ସବୁଠାରୁ ଆଶ୍ଚର୍ଯ୍ୟକର ଘଟଣା ହେଉଛି ଏପର୍ଯ୍ୟନ୍ତ ପାଇଲଟଙ୍କ ପରିଚୟ ଜଣାପଡ଼ିନାହିଁ ଫଳରେ ତାଙ୍କୁ ‘କୀଭ୍ ର ଘୋଷ୍ଟ’ ବୋଲି କୁହାଯାଉଛି ।