ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖବର: ବଦଳିଲା ସିଜିଏଚଏସ କାର୍ଡର ନିୟମ, ଜାଣନ୍ତୁ ଫାଇଦା

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କାର୍ଯ୍ୟ କରୁଥିବା ସରକାରୀ କର୍ମଚାରୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଫାଇନାନ୍ସିଆଲ୍ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସିଜିଏଚଏସ (କେନ୍ଦ୍ରୀୟ ସରକାରୀ ସ୍ୱାସ୍ଥ୍ୟ ଯୋଜନା)ରେ ଏକ ବଡ଼ ପରିବର୍ତ୍ତନ କରାଯାଇଛି ।

ମନ୍ତ୍ରଣାଳୟର ନୂଆ ନିର୍ଦ୍ଦେଶାବଳୀ ଅନୁଯାୟୀ, ଯଦି ଜଣେ ସରକାରୀ କର୍ମଚାରୀଙ୍କ ଦରମାରୁ ସିଜିଏଚଏସ ଅଧୀନରେ ନିୟମିତ ମାସିକ ଅବଦାନ କଟାଯାଉଛି, ତେବେ ତାଙ୍କୁ ସିଜିଏଚଏସ ସେବା କାର୍ଡ ପ୍ରଦାନ କରିବା ବାଧ୍ୟତାମୂଳକ, ଯଦିଓ ସେ କାର୍ଡ ପାଇଁ ଆବେଦନ କରନ୍ତୁ ବା ନକରନ୍ତୁ ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ନୂତନ ସର୍କୁଲାରରେ ସମସ୍ତ ମନ୍ତ୍ରଣାଳୟ ଏବଂ ବିଭାଗକୁ ନିର୍ଦ୍ଦେଶ ଦେଇଛି ଯେ, ଯେଉଁ କର୍ମଚାରୀଙ୍କ ଦରମାରୁ ସିଜିଏଚଏସ ଅବଦାନ କାଟି ଦିଆଯାଉଛି ସେମାନଙ୍କୁ ସିଜିଏଚଏସ କାର୍ଡ ପ୍ରଦାନ କରାଯାଉ । ସ୍ମାରକପତ୍ରରେ କୁହାଯାଇଛି ଯେ ଅନେକ କ୍ଷେତ୍ରରେ କର୍ମଚାରୀମାନେ ସିଜିଏଚଏସ କାର୍ଡ ପାଇଁ ଆବେଦନ କରନ୍ତି ନାହିଁ, କିନ୍ତୁ ସେମାନଙ୍କର ମାସିକ ଅବଦାନ କଟାଯାଉଛି । ଏପରି ପରିସ୍ଥିତିରେ, ସେମାନଙ୍କୁ ସିଜିଏଚଏସ ସୁବିଧାରୁ ବଞ୍ଚିତ କରିବା ଅନ୍ୟାୟ ।