fbpx

ଆରମ୍ଭ ନହେଉଣୁ ଇନକମ ଟ୍ୟାକ୍ସର ନୂତନ ଓ୍ଵେବସାଇଟ୍ରେ ତ୍ରୁଟି ହିଁ ତ୍ରୁଟି, ଟ୍ଵିଟରରେ ନିଲେକଣିଙ୍କ ‘କ୍ଲାସ୍’ ନେଲେ ଅର୍ଥ ମନ୍ତ୍ରୀ ସୀତାରମଣ

ନୂଆଦିଲ୍ଲୀ : କର ପୈଠରେ କରଦାତାଙ୍କୁ ଆହୁରି ଉନ୍ନତମାନର ସୁବିଧା ଦେବା ପାଇଁ ଆୟକର ବିଭାଗର ନୂତନ ଇନକମ ଟ୍ୟାକ୍ସ ଇ-ଫାଇଲିଂ ପୋର୍ଟାଲ ସୋମବାର ରାତିରେ ଲଞ୍ଚ ହୋଇଥିଲା। ଏହା ପୂର୍ବ ପୋର୍ଟାଲ ଅପେକ୍ଷା ଟ୍ୟାକ୍ସ ପୈଠ କରିବା ସହଜ ବୋଲି କୁହାଯାଇଥିଲା। ତେବେ ନୂତନ ଓ୍ଵେବସାଇଟ୍ ଠିକ୍ରେ କାମ କରୁଥିବା ଅନେକ ଅଭିଯୋଗ ଆସିବାରେ ଲାଗିଛି। ଶେଷରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଏଥିରେ ହସ୍ତକ୍ଷେପ କରିବାକୁ ପଡିଛି। ଏହି ସମସ୍ୟା ପାଇଁ ସେ ଟ୍ଵିଟରରେ ହିଁ ଇନଫୋସିସ୍ର ସହ ସଂସ୍ଥାପକ ନନ୍ଦନ ନିଲେକଣିଙ୍କ କ୍ଲାସ୍ ନେଇଛନ୍ତି। ନୂତନ ଇ-ଫାଇଲିଂ ପୋର୍ଟାଲର ଡିଜାଇନ ଏବଂ ପରିଚାଳନା ଦାୟିତ୍ଵ ଆଇଟି କମ୍ପାନୀ ଇନଫୋସିସ୍କୁ ନ୍ୟସ୍ତ କରାଯାଇଛି।
ଦୀର୍ଘ ସମୟ ଅପେକ୍ଷା ପରେ ସୋମବାର ରାତି ୧୦ଟା ୪୫ରେ ଆୟକର ବିଭାଗର ନୂତନ ଇ-ଫାଇଲିଂ ପୋର୍ଟାଲ ୨.୦ର ଶୁଭାରମ୍ଭ ହୋଇଥିଲା। ନୂତନ ପୋର୍ଟାଲକୁ ନେଇ ଟିକସଦାତାଙ୍କ ମନରେ ଆଗ୍ରହ ପ୍ରକାଶ ପାଇଥିଲା। ହେଲେ ଟିକସ୍ ଭରିବେ କଣ ପୋର୍ଟାଲ ଠିକ୍ରେ କାମକରିନଥିଲା। ଶେଷରେ ଧୈର୍ଯ୍ୟ ହରାଇବାରୁ ଅନେକ ମିମ୍ସ ସେୟାର କରିବାକୁ ଲାଗିଲେ। ଏହି ଘଟଣା ଅର୍ଥ ମନ୍ତ୍ରୀଙ୍କ ଜ୍ଞାତସାରକୁ ଆସିବା ପରେ ସେ ତୁରନ୍ତ ହସ୍ତକ୍ଷେପ କରିଛନ୍ତି।


ଅର୍ଥ ମନ୍ତ୍ରୀ ଟ୍ଵିଟ୍ କରି ଲେଖିଛନ୍ତି, ଆୟକର ବିଭାଗର ନୂତନ ଇ-ଫାଇଲିଂ ପୋର୍ଟାଲ ୨.୦କ ସୋମବାର ରାତି ୧୦ଟା ୪୫ରେ ଶୁଭାରମ୍ଭ କରାଯାଇଛି। ହେଲେ ଏଥିରେ ତ୍ରୁଟି ଥିବାର ଅନେକ ଅଭିଯୋଗ ଆସୁଛି। ସେ ଟ୍ଵିଟ୍ରେ ଇନଫୋସିସ୍ ଏବଂ ଏହାର ସହ ସଂସ୍ଥାପକ ନନ୍ଦନ ନିଲେକଣିଙ୍କୁ ଟ୍ୟାଗ୍ କରି ଲେଖିଛନ୍ତି, ଆଶା କରୁଛି ଇନଫୋସିସ୍ ଓ ନନ୍ଦନ ନିଲେକଣି ଗୁଣବତ୍ତା ସେବା ପ୍ରଦାନ କରିବାରେ ଆମ ଟିକସଦାତାଙ୍କୁ ନିରାଶ କରିବେ ନାହିଁ। ଟିକସଦାତାଙ୍କୁ ଉଚ୍ଚମାନର ସେବା ପ୍ରଦାନ କରିବା ଆମର ପ୍ରଥମ ପ୍ରାଥମିକତା ରହିବା ଉଚିତ୍ ବୋଲି ସୀତାରମଣ କହିଛନ୍ତି।

ସୂଚନାଯୋଗ୍ୟ, ଆୟକର ବିଭାଗ ୧ ରୁ ୬ ତାରିଖ ପର୍ଯ୍ୟନ୍ତ ପୁରୁଣା ଓ୍ଵେବସାଇଟ୍କୁ ବନ୍ଦ ରଖିଥିଲେ। ଜୁନ ୭ରୁ ନୂତନ ଓ୍ଵେବସାଇଟ୍ ଲଞ୍ଚ ହେବ ବୋଲି ଘୋଷଣା କରାଯାଇଥିଲା। ତେଣୁ ଲୋକେ ମଙ୍ଗଳବାର ସକାଳେ ନୂତନ ଓ୍ଵେବସାଇଟ୍ର ଅପେକ୍ଷାରେ ଥିଲେ। କିନ୍ତୁ ଯେବେ ଓ୍ଵେବସାଇଟ୍ ଆରମ୍ଭ ହେଲା ଲୋକଙ୍କୁ ସାଇଟ୍ରେ ଅନେକ ଯାନ୍ତ୍ରିକ ତ୍ରୁଟିର ସାମ୍ନା କରିବାକୁ ପଡିଥିଲା।

Get real time updates directly on you device, subscribe now.