ଭୁବନେଶ୍ୱର: ଓଡ଼ିଶାର କୃଷକମାନଙ୍କ ପାଇଁ ଏକ ବଡ଼ ଖୁସି ଖବର ଦେଇଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଆସନ୍ତା ଡିସେମ୍ବର ୮ ତାରିଖରୁ ଚାଷୀଙ୍କୁ ଇନପୁଟ ସବସିଡି ଯୋଗାଇ ଦିଆଯିବ ବୋଲି ସେ ଘୋଷଣା କରିଛନ୍ତି । ବରଗଡ଼ ସୋହେଲାରେ ଚାଷୀ ସମାବେଶରେ ଏହି ସବସିଡି ପ୍ରଦାନ କରାଯିବ । ୨୦ ତାରିଖରୁ ବରଗଡ଼ ଜିଲ୍ଲାରୁ ଧାନ କିଣା ଆରମ୍ଭ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।
ତେବେ ରାଜ୍ୟ ସରକାର ଦେବାକୁ ଥିବା ୮୦୦ ଟଙ୍କା ଆଗାମୀ ୮ ତାରିଖ(ଡିସେମ୍ବର)ରୁ କୃଷକଙ୍କ ଆକାଉଣ୍ଟକୁ ପଠାଇ ଦିଆଯିବ । ୨୦ ତାରିଖରୁ ଯେଉଁ ଚାଷୀମାନେ ଧାନ ଦେଇଥିବେ, ସେମାନଙ୍କୁ ୮ ତାରିଖ ଦିନ ଟଙ୍କା ପଠାଇ ଦିଆଯିବ । ତେବେ କେନ୍ଦ୍ରର ୨୩୦୦ ଟଙ୍କା ଗୋଟିଏ ଆକାଉଣ୍ଟ ଏବଂ ରାଜ୍ୟର ୮୦୦ ଟଙ୍କା ଆଉ ଏକ ଆକାଉଣ୍ଟରୁ କୃଷକଙ୍କ ବ୍ୟାଙ୍କ ଖାତାକୁ ପଠାଯିବ ବୋଲି କହିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ୮ ତାରିଖ ପରେ ଚାଷୀମାନେ ସବସିଡି ଟଙ୍କା ଆଗାମୀ ୪୮ ଘଣ୍ଟା ମଧ୍ୟରେ ପାଇପାରିବେ । ୧୫ ତାରିଖରୁ ପର୍ଯ୍ୟାୟକ୍ରମେ ମିଳିବାକୁ ଥିବା ଟୋକନ ଅବଧି ପରବର୍ତ୍ତୀ ମାସେ ପର୍ଯ୍ୟନ୍ତ ରହିବ ବୋଲି କୁହାଯାଇଛି ।
କୌଣସି ଆବଶ୍ୟକ କ୍ଷେତ୍ରରେ ଆଉ ୭ ଦିନ ବୃଦ୍ଧି କରାଯାଇ ପାରିବ । କିନ୍ତୁ ଏହି କ୍ଷମତା କେବଳ ସ୍ଥାନୀୟ ଜିଲ୍ଲାପାଳଙ୍କ ହାତରେ ରହିଛି । ଚଳିତବର୍ଷ ୧୭ ଲକ୍ଷରୁ ଅଧିକ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜୀକୃତ କରିଛନ୍ତି । ତେବେ ଧାନ ସଂଗ୍ରହକୁ ଏକ ଉତ୍ସବ ଭାବରେ ପାଳନ କରାଯିବ ବୋଲି ଶ୍ରୀ ପାତ୍ର ପ୍ରକାଶ କରିଛନ୍ତି । ତେଣୁ ପ୍ରତ୍ୟେକ ଜିଲ୍ଲାରେ ଏଭଳି ଚାଷୀ ସମାବେଶ ଅନୁଷ୍ଠିତ ହେବ । ବିଭିନ୍ନ ମନ୍ତ୍ରୀ ଏବଂ ଚାଷୀ ଏହି ସମାବେଶରେ ସାମିଳ ହେବା ନେଇସୂଚନା ମିଳିଛି ।