fbpx

ଖୁସି ଖବର; ସ୍କୁଲକୁ ଆସିପାରୁନଥିବା ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଚିନ୍ତା ଦୂର କରିବେ ରାଜ୍ୟ ସରକାର…

ଭୁବନେଶ୍ୱର; ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର ଆଣିଛନ୍ତି ଓଡିଶା ସରକାର । ସ୍କୁଲକୁ ଆସିପାରୁନଥିବା ୬ ରୁ ୧୪ ବର୍ଷର ଅସୁସ୍ଥ ଓ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ଘୋଷଣା କରି ସେମାନଙ୍କ ଚିନ୍ତା ଦୂର କରିଛନ୍ତି ସରକାର । ସେମାନେ ବିଭିନ୍ନ ଅସୁବିଧା କାରଣରୁ ସ୍କୁଲ ଆସିପାରୁନଥିବା ବେଳେ ଏଣିକି ତାଙ୍କ ଘରେ ମଧ୍ୟାହ୍ନଭୋଜନର ଶୁଖିଲା ରାସନ୍ ଦିଆଯିବ । ଏନେଇ ଆଜି ଠାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ସେମାନଙ୍କ ଶ୍ରେଣୀ ଅନୁସାରେ ମଧ୍ୟାହ୍ନଭୋଜନ ଚାଉଳ ତାଙ୍କ ଘରେ ନେଇ ଦିଆଯିବା ସହ ରୋଷେଇ ବାବଦ ଅର୍ଥରାଶି ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଉଛି । ସେହିପରି ଏହି ଛାତ୍ରଛାତ୍ରୀଙ୍କ ପାଠ୍ୟ ପୁସ୍ତକ ମଧ୍ୟ ସେମାନଙ୍କ ଘରେ ପହଁଞ୍ଚାଯିବା ପାଇଁ ବ୍ୟବସ୍ଥା କରାଯାଇଛି । ଏହି ଦାଇତ୍ୱ ତୁଲାଇବା ପାଇଁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହା ଫଳରେ ରାଜ୍ୟର ମୋଟ ୩୬୯୪ ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି ସୂଚନା ମିଳିଛି ।

ଅନ୍ୟପଟେ ସ୍କୁଲ ଆସିପାରୁ ନଥିବା ଛାତ୍ରଛାତ୍ରୀମାନଙ୍କର କୌଣସି ଅସୁବିଧା ହେଲେ ସେମାନେ ନିଜ ଅଞ୍ଚଳରେ ଥିବା ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ଏଏନ୍ଏମ୍ ବା ଆର୍ବିଏସ୍କେଙ୍କ ସହାୟତା ନେଇପାରିବେ ବୋଲି ସୂଚନା ଦିଆଯାଇଛି । ବିଶେଷକରି ଏହି ଛାତ୍ରଛାତ୍ରୀଙ୍କ ଚିକିତ୍ସା ପାଇଁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ର କିମ୍ବା ଅଙ୍ଗନବାଡି କେନ୍ଦ୍ରକୁ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଓ କାଉନ୍ସେଲିଂ ପାଇଁ ନିଆଯିବ ବୋଲି କୁହାଯାଇଛି । ଏହା ସହ ପ୍ରତି ମାସରେ ସ୍କୁଲ ଶିକ୍ଷକ, ବ୍ଲକ୍ ସହଯୋଗୀ ଅଧିକାରୀ (ବିଆର୍ପି), ଆଇଇଭିମାନେ ସେମାନଙ୍କ ତଦାରଖ ପାଇଁ ତାଙ୍କ ଘରକୁ ଯିବେ ନିର୍ଦ୍ଦେଶ ରହିଛି । ସେମାନେ କିଭଳି ପାଠ ପଢୁଛନ୍ତି, ପଢ଼ାରେ ସେମାନଙ୍କର କେତେ ଉନ୍ନତି କରୁଛନ୍ତି ସେ ସମ୍ପର୍କରେ ପଚାରି ବୁଝିବେ । ଛାତ୍ରଛାତ୍ରୀଙ୍କ ଉତ୍ତମ ପ୍ରଦର୍ଶନ ପାଇଁ ଅଭିଭାବକଙ୍କର କାଉନ୍ସେଲିଂ ମଧ୍ୟ କରାଯିବ ବୋଲି ମଧ୍ୟ କୁହାଯାଇଛି ।

Get real time updates directly on you device, subscribe now.