ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୨ ତାରିଖ ସନ୍ଧ୍ୟାରେ ବାଲେଶ୍ୱରର ବାହାନଗାରେ ଘଟିଯାଇଥିବା ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣାର ଯାତନା ଆଜି ବି ମନରୁ ଲିଭିନାହିଁ । ଏହି ଦୁର୍ଘଟଣାର ମୃତ୍ୟୁ ସଂଖ୍ୟା ଏହା ମଧ୍ୟରେ ୨୯୧କୁ ବୃଦ୍ଧି ପାଇଥିବା ବେଳେ ପାଖାପାଖି ୧ ହଜାର ଯାତ୍ରୀ ଏବେ ବି ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ମୃତକଙ୍କ ଅପେକ୍ଷା ଆହତଙ୍କ ଅବସ୍ଥା ସଙ୍ଗୀନ ରହିଛି । ଚିକିତ୍ସିତ ହେଉଥିବା ଅନେକ ଯାତ୍ରୀ ଏବେ ମାନସିକ ରୋଗୀ ପାଲଟି ଯାଇଛନ୍ତି ।
ତେବେ ଏହା ମଧ୍ୟରେ ଆଜି ପୁଣି ଏକ ଟ୍ରେନ ଦୁର୍ଘଟଣା ଦେଖିବାକୁ ମିଳିଛି । ରାୟଗଡ଼ା ଜିଲ୍ଲା ଅମ୍ବାଦୋଲା ନିକଟରେ ଘଟିଛି ଏକ ମାଲବାହୀ ଟ୍ରେନ ଦୁର୍ଘଟଣା । ଅମ୍ବାଦୋଳା ଷ୍ଟେସନଠାରୁ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ର ବେଦାନ୍ତ କମ୍ପାନୀକୁ ଯିବା ରାସ୍ତାରେ ସ୍ୱତନ୍ତ୍ର ଲାଇନରେ ଏହି ଅଘଟଣ ଦେଖିବାକୁ ମିଳିଛି । ମୋଟ ୪ଟି ମାଲବାନୀ ୱାଗନ ଲାଇନଚ୍ୟୁତ ହୋଇଥିବା ଜଣାପଡ଼ିଛି । ତେବେ ସ୍ୱତନ୍ତ୍ର ଲାଇନରେ ଏହି ଦୁର୍ଘଟଣା ଘଟିଥିବାରୁ ଏଥିରେ କାହାର କିଛି କ୍ଷତି ହୋଇନାହିଁ । ଏହି ଖବର ପାଇବା ପରେ ବିଭାଗୀୟ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି କାର୍ଯ୍ୟର ତଦାରଖ କରୁଛନ୍ତି ।
ସୂଚନାଯୋଗ୍ୟ ଯେ, ବାହାନଗା ଟ୍ରେନ ଦୁର୍ଘଟଣା ପରେ ଗତ ୫ ତାରିଖରେ ବରଗଡ଼ରେ ଏକ ଟ୍ରେନ ଲାଇନଚ୍ୟୁତ ହୋଇ ଟ୍ରାକ ତଳକୁ ଖସିପଡ଼ିଥିଲା । ମେଣ୍ଢାପାଲି ନିକଟରେ ଟ୍ରେନର ୫ଟି ବଗି ଲାଇଚ୍ୟୁତ ହୋଇ ଟ୍ରାକ ତଳକୁ ଖସି ଯାଇଥିଲା । ୭ ତାରିଖରେ ଯାଜପୁର ରେଳ ଷ୍ଟେସନର ଟ୍ରେନ ତଳେ କିଛି ଶ୍ରମିକ ଆଶ୍ରୟ ନେଇଥିବା ବେଳେ ଦୁର୍ଭାଗ୍ୟବଶତଃ ୬ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା । ଗତ ୧୦ ତାରିଖରେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ନିକଟବର୍ତ୍ତୀ ରୂପସା ଷ୍ଟେସନ ନିକଟରେ ଏକ ଟ୍ରେନରେ ଅଗ୍ନିକାଣ୍ଡ ଘଟିଥିଲା । ଏହାପରେ ୧୪ ତାରିଖରେ କଳାହାଣ୍ଡିଠାରେ ଗୋଟିଏ ମାଲବାହୀ ଟ୍ରେନ ଇଞ୍ଜିନ ଛାଡ଼ି ପଳାଇ ଯାଇଥିଲା ।