ଅମିତ ଶାହାଙ୍କ କଟକ ଗସ୍ତ ପୁର୍ବରୁ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ଘରେ ରାଜ୍ୟପାଳ

କଟକ: କଂଗ୍ରେସ ବିଧାୟକଙ୍କ ମହମ୍ମଦ ମୋକିମ୍‌ଙ୍କ ଘରେ ରାଜ୍ୟପାଳ ଗଣେଶି ଲାଲ। ଗତକାଲି ରାଜ୍ୟପାଳ ମୋକିମଙ୍କ ଘରକୁ ଯାଇ ତାଙ୍କ ପରିବାର ସହ ପ୍ରାୟ ୪୫ ମିନିଟ୍ ସମୟ ବିତାଇଛନ୍ତି। ରାଜ୍ୟପାଳଙ୍କ ଗସ୍ତ ସମ୍ପୁଣ୍ଣ ଘରୋଇ କାର୍ଯ୍ୟକ୍ରମ, ଏଥିରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ନାହିଁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍। ଗତକାଲି ରାଜ୍ୟପାଳଙ୍କ କଟକ ଗସ୍ତ ସମୟରେ ଏହିପରି କିଛି ଘଟିଥିଲା। ଯାହା କଂଗ୍ରେସ କ୍ୟାମ୍ପରେ କମ୍ପନ ସୃଷ୍ଟି କରିଛି। ତେବେ ରାଜ୍ୟପାଳଙ୍କ ସହିତ ତାଙ୍କର ବ୍ୟକ୍ତଗତ ସମ୍ପର୍କ ରହିଛି। ଏଥିପାଇଁ ରାଜ୍ୟପାଳ ତାଙ୍କ ଘରକୁ ଏକ ସୌଜନ୍ୟମୂଳକ ଗସ୍ତରେ ଆସିଥିଲେ। ଏହି ସମୟରେ ମୋକିମଙ୍କ ମାଆ ଏବଂ ସମସ୍ତ ପରିବାର ଉପସ୍ଥିତ ଥିଲେ । ଅନ୍ୟପଟରେ ରାଜ୍ୟପାଳଙ୍କ ସହ ତାଙ୍କର ପୁଅ ଏବଂ ରାଜଭବନର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ନିକଟରେ ଶେଷ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ କ୍ରସ୍ ଭୋଟିଂ କରି ଚର୍ଚ୍ଚାକୁ ଆସିଥିଲେ କଂଗ୍ରେସ ବିଧାୟକ। ରାଜ୍ୟ ପ୍ରଦେଶ କଂଗ୍ରେସର ସଭାପତି ଭାବରେ ଶରତ ପଟ୍ଟନାୟକଙ୍କୁ ନିଯୁକ୍ତ କରାଯିବା ପରେ ମୋକିମ୍ ଅସନ୍ତୁଷ୍ଟ ଥିବା ଆଲୋଚନା ହେଉଥିଲା। ଏହି କାରଣରୁ ସେ ଦ୍ରୌପଦୀ ମୁର୍ମୁଙ୍କ କ୍ରସ ଭୋଟିଂ କରି ତାଙ୍କର ଅସନ୍ତୋଷ ଜାହିର କରିଛନ୍ତି ବୋଲି ଅନେକ କଂଗ୍ରେସ ନେତା ଖୋଲାଖୋଲି କହିଥିଲେ। ତେବେ ଆସନ୍ତା ୮ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅମିତ ଶାହା ଓଡ଼ିଶା ଆସିବା ପୁର୍ବରୁ ମୋକିମ୍‌ଙ୍କ ସହ ରାଜ୍ୟପାଳଙ୍କ ସାକ୍ଷାତକୁ ନେଇ ଚର୍ଚ୍ଚା ଜୋର ଧରିଛି।