fbpx

ଫେରିଲେ ରାଜ୍ୟପାଳ: ବଢ଼ିଲା ମନ୍ତ୍ରିମଣ୍ଡଳ ଅଦଳବଦଳ ଚର୍ଚ୍ଚା

ଭୁବନେଶ୍ୱର : ରାଜ୍ୟ ମନ୍ତ୍ରିମଣ୍ଡଳରେ ଅଦଳବଦଳ ହେବ କି ଏପରି ଏକ ଚର୍ଚ୍ଚା ଗତ କିଛିଦିନ ହେବ ଲାଗି ରହିଥିବା ବେଳେ ବୁଧବାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓଡ଼ିଶା ଫେରିବା ପରେ ଏହି ଚର୍ଚ୍ଚା ଅଧିକ ଜୋର ଧରିଛି । ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଗୁରୁବାର ପୁରୀରେ ବନ୍ଦେ ଭାରତ ଏକ୍ସପ୍ରେସ୍ ଚଳାଚଳର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଯୋଗଦେବାର ସୂଚନା ମିଳିଛି । ଏହାପରେ ସେ ପୁଣି ହରିୟାଣା ଯିବେ ଓ ସେଠାରୁ ଆସନ୍ତା ୨୨ତାରିଖରେ ଓଡ଼ିଶା ଫେରିବେ ବୋଲି ରାଜଭବନ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ରାଜ୍ୟପାଳ ଶ୍ରୀ ଲାଲ ବୁଧବାର ସନ୍ଧ୍ୟାରେ ଭୁବନେଶ୍ୱର ଫେରିବା ପରେ ପୁଣି ଥରେ ମନ୍ତ୍ରିମଣ୍ଡଳ ଅଦଳବଦଳ ଚର୍ଚ୍ଚା ଜୋର ଧରିଛି । ଗତ ୧୨ତାରିଖରେ ବାଚସ୍ପତି ବିକ୍ରମକେଶରୀ ଆରୁଖ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ଓ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ପଦବୀରୁ ଇସ୍ତଫା ଦେବା ପରେ ମନ୍ତ୍ରିମଣ୍ଡଳ ଅଦଳବଦଳ ନେଇ ଚର୍ଚ୍ଚା ଜୋର ଧରିଥିଲା । ତେବେ ସେ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତରେ ଥିବାରୁ ସେ ଓଡ଼ିଶା ଫେରିବା ପରେ ମନ୍ତ୍ରିମଣ୍ଡଳ ଅଦଳବଦଳ ହେବ ବୋଲି ଚର୍ଚ୍ଚା ଚାଲିଥିଲା ।

ସେହିପରି ସେତେବେଳେ ଝାରସୁଗୁଡା ଉପନିର୍ବାଚନର ଫଳାଫଳ ମଧ୍ୟ ପ୍ରକାଶ ପାଇସାରିଥିଲା । ବିଜେଡି ପ୍ରାର୍ଥୀ ଦିପାଳୀ ଦାସ ବିପୁଳ ଭୋଟରେ ବିଜୟ ଲାଭ କରିବା ପରେ ତାଙ୍କୁ ମନ୍ତ୍ରୀ ପଦ ଦିଆଯାଇ ପାରେ ବୋଲି ମଧ୍ୟ ଆଲୋଚନା ଚାଲିଥିଲା । ଅନ୍ୟପକ୍ଷରେ ବୁଧବାର ସନ୍ଧ୍ୟାରେ ଦୁବାଇ ଗସ୍ତରେ ଥିବା ବିଜେଡିର କେତେକ ବରିଷ୍ଠ ବିଧାୟକ ଭୁବନେଶ୍ୱର ଫେରି ଆସିଛନ୍ତି । ଏସବୁ ଭିତରେ ମନ୍ତ୍ରିମଣ୍ଡଳ ଅଦଳବଦଳ ହେବ କି ନାହିଁ ତାକୁ ନେଇ ଆଶା ଓ ଆଶଙ୍କା ଲାଗି ରହିଥିବା ବେଳେ ଗୁରୁବାର ଏନେଇ ସ୍ପଷ୍ଟ ସୂଚନା ମିଳିବ ବୋଲି କୁହାଯାଉଛି ।

Get real time updates directly on you device, subscribe now.