fbpx

ପ୍ରତ୍ୟକ୍ଷ ପ୍ରମାଣ ନଥିଲେ ବି ଦଣ୍ଡିତ ହେବେ ସରକାରୀ ଅଧିକାରୀ: ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ନୂଆଦିଲ୍ଲୀ: ଦୁର୍ନୀତି ଓ ଭ୍ରଷ୍ଟାଚାରରେ ଲିପ୍ତ ରହିଥିବା ସରକାରୀ ବାବୁଙ୍କୁ ଆଉ ନିସ୍ତାର ନାହିଁ । ଲାଞ୍ଚୁଆ ସରକାରୀ ଅଧିକାରୀଙ୍କ ପାଇଁ ନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଭ୍ରଷ୍ଟାଚାର ନିରୋଧୀ ଆଇନ ଅଧିନରେ ପ୍ରତ୍ୟକ୍ଷ ପ୍ରମାଣ ନଥିଲେ ବି ଜଣେ ସରକାରୀ ବାବୁ ଦଣ୍ଡିତ ହୋଇପାରିବେ । ସରକାରୀ ଅଧିକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ପ୍ରତ୍ୟକ୍ଷ ପ୍ରମାଣର ଆବଶ୍ୟକତା ନାହିଁ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି ।

ସୁପ୍ରିମକୋର୍ଟଙ୍କ ମୁତାବକ, ଯଦି ଅଭିଯୁକ୍ତ ଅଫିସର ଜଣଙ୍କ ଲାଞ୍ଚ ନେଇଥିବା ନେଇ ଆଖପାଖର ପରିସ୍ଥିତିରୁ ପ୍ରମାଣିତ ହୁଏ, ତେବେ ଭ୍ରଷ୍ଟାଚାର ନିରୋଧୀ ଆଇନ ଅଧିନରେ ସେ ଦୋଷୀ ସାବ୍ୟସ୍ତ ହୋଇପାରିବେ । ଅଦାଲତମାନେ ଭ୍ରଷ୍ଟ ଜନ ସେବକଙ୍କ ପ୍ରତି ଉଦାରତା ଭାବ ପ୍ରଦର୍ଶନ କରିବା ଅନୁଚିତ । ସରକାରୀ ଅଧିକାରୀଙ୍କୁ ନ୍ୟାୟର କାଠଗଡ଼ାକୁ ଆଣିବା ପାଇଁ ସଚ୍ଚୋଟ ଭାବେ ପ୍ରୟାସ କରାଯିବା ଉଚିତ ।

ଭ୍ରଷ୍ଟାଚାର ମାମଲାରେ ଅବୈଧ ଲାଭ ହାସଲ କରିବା ଅପରାଧରେ ପ୍ରତ୍ୟକ୍ଷ ଡକ୍ୟୁମେଣ୍ଟର ପ୍ରମାଣ ନଥିଲେ ବି ସରକାରୀ ଅଧିକାରୀଙ୍କୁ ପରିସ୍ଥିତି ସହ ଜଡ଼ିତ ସାକ୍ଷ୍ୟ ଆଧାରରେ ଦୋଷୀ ସାବ୍ୟସ୍ତ କରାଯାଇପାରେ । ଯଦି ମୃତ୍ୟୁ ବା ଅନ୍ୟ କୌଣସି କାରଣବଶତଃ ଅଭିଯୋଗକାରୀଙ୍କ ପାଖରେ ପ୍ରତ୍ୟକ୍ଷ ପ୍ରମାଣ ଉପଲବ୍ଧ ନଥିବ, ତେବେ ସରକାରୀ ଅଧିକାରୀଙ୍କୁ ପ୍ରାସଙ୍ଗିକ ବ୍ୟବସ୍ଥା ଆଧାରରେ ଦୋଷୀ ଭାବେ ଗ୍ରହଣ କରାଯିବ । ଯଦି ଶୁଣାଣି ସମୟରେ ଅଭିଯୋଗକାରୀଙ୍କ ମୃତ୍ୟୁ ହୋଇଯାଏ ବା ସେ ସାକ୍ଷ୍ୟ ଉପସ୍ଥାପନ କରିବାରେ ଅସମର୍ଥ ହୁଅନ୍ତି, ତେବେ ଅବୈଧ ଲାଭ ଦାବି ଆଧାରରେ ଅଧିକାରୀଙ୍କୁ ଅପରାଧୀ ଭାବେ ବିବେଚନା କରାଯିବ ।

Get real time updates directly on you device, subscribe now.