ଗ୍ରାହାମ୍ ଷ୍ଟେନ୍ସଙ୍କ ସହ ୨ ଶିଶୁପୁତ୍ରକୁ ପୋଡ଼ି ମାରି ଦେଇଥିଲେ, ୨୫ ବର୍ଷ ପରେ ଜେଲରୁ ମୁକ୍ତି ପାଇଲେ !
ବହୁ ଚର୍ଚ୍ଚିତ ଗ୍ରାହାମ୍ ଷ୍ଟେନ୍ସ ହତ୍ୟା ଘଟଣା। ସାରା ବିଶ୍ୱରେ ଚହଳ ପକାଇଥିଲା। ହେଲେ ୨୫ ବର୍ଷ ପରେ ମୁଖ୍ୟ ଅଭିଯୁକ୍ତ ଦାରା ସିଂହର ସହଯୋଗୀ ଜେଲରୁ ମୁକ୍ତି ହେଲା।
କେନ୍ଦୁଝର: ବହୁ ଚର୍ଚ୍ଚିତ ଗ୍ରାହାମ୍ ଷ୍ଟେନ୍ସ ହତ୍ୟା ମାମଲା। ଦୀର୍ଘ ୨୬ ବର୍ଷ ତଳର କଥା। ସେତେବେଳେ ଏହି ହତ୍ୟାକାଣ୍ଡ ସାରା ବିଶ୍ୱରେ ଚହଳ ପକାଇଥିଲା। କାରଣ ଘଟଣାଟି ବି ଥିଲା ସେହିପରି ଭୟଙ୍କର।
ଆଉ ସେହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଭାବେ ଜେଲରେ ସଜା କାଟୁଥିବା ଦାରା ସିଂହଙ୍କ ସହଯୋଗୀ ମହେନ୍ଦ୍ର ହେମ୍ୱ୍ରମଙ୍କୁ ଆଜି ଜେଲରୁ ମୁକ୍ତି ମିଳିଛି। ଦୀର୍ଘ ୨୫ ବର୍ଷ ହେବ ଏହି ହତ୍ୟା ଘଟଣାରେ ସେ ଜେଲରେ ଥିଲେ।
ଏବଂ ଜେଲରେ ମହେନ୍ଦ୍ରଙ୍କର ଆଚରଣ ଉତ୍ତମ ଧରଣର ଥିବାରୁ ମୁକ୍ତି ପାଇଁ ସରକାର ସୁପାରିଶ କରିଥିଲେ। ଆଉ ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଥିବା ମହେନ୍ଦ୍ରଙ୍କୁ ୨୫ ବର୍ଷ ପରେ ମୁକ୍ତି କରାଯାଇଛି। ହେଲେ ଏବେବି କେନ୍ଦୁଝର ଜେଲରେ ସଜା କାଟୁଛି ଅଭିଯୁକ୍ତ ଦାରା ସିଂହ।
ତେବେ ସେଦିନର ଘଟଣା ଏବେବି ମନେ ପଡିଲେ ଦେହ ଶୀତେଇ ଉଠୁଛି। ସେଦିନଥିଲା ୧୯୯୯ ମସିହା ଜାନୁଆରୀ ମାସ ୨୨ ତାରିଖ। ରାତି ସମୟ ନିଜର ଦୁଇ ଶିଶୁପୁତ୍ରଙ୍କ ସହ ଗାଡିରେ ଶୋଇଥିଲେ ଆନନ୍ଦପୁର ଥାନା ମନୋହରପୁର ଗାଁର ଅଷ୍ଟ୍ରେଲିଆ ଧର୍ମ ଯାଜକ ଗ୍ରାହାମ୍ ଷ୍ଟେନ୍ସ।
ଏବଂ ସେମାନେ ଗାଡିରେ ଶୋଇଥିବା ସମୟରେ ଦୁର୍ବୃତ୍ତମାନେ ଗାଡିରେ ନିଆଁ ଲଗାଇ ଦେଇଥିଲେ। ଫଳରେ ସେହି ନିଆଁରେ ଗାଡ଼ି ଭିତରେ ଜୀବନ୍ତ ପୋଡି ହୋଇ ମରିଯାଇଥିଲେ ୩ ଜଣ।
ସେତେବେଳେ ଏହି ଘଟଣା ସାରା ବିଶ୍ୱରେ ଚାଞ୍ଚଲ୍ୟ ଖେଳାଇଥିଲା। ଆଉ ଏହି ହତ୍ୟା ଅଭିଯୋଗରେ ମହେନ୍ଦ୍ର ହେମ୍ୱ୍ରମ ୨୦୦୦ ମସିହାରୁ ଦୀର୍ଘ ୨୫ ବର୍ଷ ଧରି ଆଜୀବନ ସଜା କାଟୁଥିଲେ।
ହେଲେ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଦାରା ସିଂହ ଏବେ କେନ୍ଦୁଝର ଜେଲରେ ସଜ୍ଜା କାଟୁଥିବା ବେଳେ, ତାଙ୍କର ଅନ୍ୟଜଣେ ସହଯୋଗୀ ମହେନ୍ଦ୍ର ହେମ୍ୱ୍ରମଙ୍କୁ ଆଜି ଜେଲରୁ ମୁକ୍ତି କରାଯାଇଛି।