fbpx

ଇଂଲଣ୍ଡ ପାଇଁ ଖେଳିଥିଲେ ୧୦୦ଟି ଟେଷ୍ଟ ମ୍ୟାଚ୍‌, ୫୫ ବର୍ଷ ବୟସରେ Graham Thorpeଙ୍କ ନିଧନ

ନୂଆଦିଲ୍ଲୀ: ଇଂଲଣ୍ଡର ପୂର୍ବତନ କ୍ରିକେଟର ଗ୍ରାହାମ ଥୋର୍ପ(Graham Thorpe)ଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ବୟସ ହୋଇଥିଲା । ଏନେଇ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ଼(ECB) ପକ୍ଷରୁ ସୂଚନା ଦିଆଯାଇଛି । ୨୦୨୨ରେ ଗ୍ରାହାମ ଥୋର୍ପ ଗୁରୁତର ଭାବେ ଅସୁସ୍ଥ ହୋଇଯାଇଥିଲେ । କିନ୍ତୁ ତାଙ୍କୁ ଚିକିତ୍ସା ସମ୍ପର୍କିତ କୌଣସି ବିିବରଣୀ ECB ତରଫରୁ ପ୍ରଦାନ କରାଯାଇନାହିଁ ।

ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ଼ ‘ଏକ୍ସ’ରେ ଏକ ପୋଷ୍ଟ ଶେୟାର କରି ଲେଖିଛି, ‘ଅତ୍ୟନ୍ତ ଦୁଖଃର ସହ ECB ଏହି ଖବର ଶୁଣାଉଛି କି ଗ୍ରାହାମ ଥୋର୍ପଙ୍କ ନିଧନ ହୋଇଯାଇଛି । ତାଙ୍କ ମୃତ୍ୟୁରେ ଆମେ ଗଭୀର ଆହତ ଏବଂ ଏହାକୁ ଶବ୍ଦରେ ବର୍ଣ୍ଣନା କରିହେବ ନାହିଁ । ବର୍ତ୍ତମାନ ପର୍ଯ୍ୟନ୍ତ ସେ ଇଂଲଣ୍ଡର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ଜଣେ ଥିଲେ । ବିଶ୍ୱରେ ସମସ୍ତ ପ୍ରଶଂସକ ତାଙ୍କର ସମ୍ମାନ କରୁଥିଲେ । ତାଙ୍କ ଦକ୍ଷତା ଉପରେ କୌଣସି ପ୍ରଶ୍ନ ନଥିଲା । ୧୩ ବର୍ଷର ଆନ୍ତର୍ଜାତୀୟ କ୍ୟାରିୟରରେ ତାଙ୍କ ଯୋଗ୍ୟତା ଏବଂ ଉପଲବ୍ଧୀ ତାଙ୍କ ସାଥୀ, ଇଂଲଣ୍ଡ ଏବଂ ସମସ୍ତ ସମର୍ଥକଙ୍କୁ ବହୁତ ଖୁସି ପ୍ରଦାନ କରିଥିଲା ।’

୧୯୯୩ରୁ ୨୦୦୫ ମସିହା ପର୍ଯ୍ୟନ୍ତ ଇଂଲଣ୍ଡ ପାଇଁ ୧୦୦ଟି ଟେଷ୍ଟ ମ୍ୟାଚ୍ ଖେଳିଥିଲେ ଥୋର୍ପ । ସେ ୧୦୦ଟି ଟେଷ୍ଟ ମ୍ୟାଚରେ ୪୪.୬୬ ଆଭରେଜରେ ୬୭୪୪ ଟେଷ୍ଟ ରନ୍ ସଂଗ୍ରହ କରିଥିଲେ । ଏଥିମଧ୍ୟରୁ ୧୬ଟି ଶତକ ଏବଂ ୩୯ଟି ଅର୍ଦ୍ଧଶତକ ରହିଛି । କେବଳ ଏତିକି ନୁହେଁ ଥୋର୍ପ ଇଂଲଣ୍ଡ ପାଇଁ ୮୨ ଦିନିକିଆ ଆନ୍ତର୍ଜାତୀୟ ମ୍ୟାଚ୍ ମଧ୍ୟ ଖେଳିଛନ୍ତି । ଏହି ସମୟରେ ସେ ୩୭.୧୮ ଆଭରେଜରେ ୨୩୮୦ ରନ୍ ସଂଗ୍ରହ କରିଥିଲେ । ଦିନିକିଆ ଆନ୍ତର୍ଜାତୀୟ ମ୍ୟାଚରେ ସେ ୨୧ଟି ଅର୍ଦ୍ଧଶତକ କରିଥିଲେ । ସେ କାଉଁଟି କ୍ରିକେଟ ଖେଳି ଦଳ ପାଇଁ ମୋଟ୍ ୨୦ ହଜାର ରନ୍ ସଂଗ୍ରହ କରିଥିଲେ ।

Get real time updates directly on you device, subscribe now.