fbpx

ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ବଢ଼ିଲା ଗ୍ରାଣ୍ଟ-ଇନ୍-ଏଡ୍, ଲାଭବାନ୍ ହେବେ ଅନୁଦାନପ୍ରାପ୍ତ ବେସରକାରୀ କଲେଜ କର୍ମଚାରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଏହି ବୈଠକରେ ୧୨ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ରାଜ୍ୟର ଅନୁଦାନପ୍ରାପ୍ତ ବେସରକାରୀ କଲେଜ କର୍ମଚାରୀଙ୍କ ଗ୍ରାଣ୍ଟ ଇନ୍ ଏଡ୍ ବୃଦ୍ଧି କରାଯାଇଛି । ଏହି ନିଷ୍ପତ୍ତି ପିଛିଲା ଭାବେ ଗତ ୨୦୨୨ ବର୍ଷ ଜାନୁଆରୀ ମାସ ପହିଲାରୁ ଲାଗୁ ହେବ । ତେବେ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଦୀର୍ଘବର୍ଷରୁ ଅପେକ୍ଷା କରି ରହିଥିବା ଅନେକ କର୍ମଚାରୀ ବେନିଫିଟ୍ ପାଇବେ ।

ଆଜି କ୍ୟାବିନେଟ ବୈଠକରେ ଗ୍ରାମ୍ୟ ପାଇପ୍ ଜଳ ସପ୍ଲାଏ ପାଇଁ ୨ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ସେଥି ପାଇଁ ବରୀ ଓ କୋରେଇ ବ୍ଲକରେ ଦୁଇଟି ପ୍ରକଳ୍ପ ନିର୍ମାଣ ହେବ, ଯେଉଁ କାର୍ଯ୍ୟ ୫ ବର୍ଷ ମଧ୍ୟରେ ସରିବ । ଏଥିସହିତ ନୟାଗଡ଼ ଜିଲ୍ଲାର ନୂଆଗାଁ, ଗଣିଆ ଓ ଦଶପଲ୍ଲାରେ ୩ଟି ପାନୀୟ ଜଳ ପ୍ରକଳ୍ପ, ମାଲକାନଗିରିର ଖଇରିପୁଟ, ମାଲକାନଗିରି, ମାଥିଲି ଓ କାଲିମେଳାରେ ୪ଟି ପ୍ରକଳ୍ପ ସ୍ଥାପନ କରାଯିବ ।

ଜଳେଶ୍ୱର ଗୋବରୀ ଘାଟର ସୁବର୍ଣ୍ଣରେଖା ନଦୀରେ ବ୍ରିଜ ନିର୍ମାଣ ପାଇଁ ଆହ୍ୱାନ କରାଯାଇଥିବା ଟେଣ୍ଡରକୁ ଅନୁମୋଦନ ମିଳିଛି । ବିଏସଏସସିସିଆରଆଇରେ କର୍କଟ ରୋଗୀଙ୍କ ଆବାସ ପାଇଁ ୨ ଏକର ଜମି ପ୍ରଦାନ କରାଯିବା ସହ ଅନ୍ୟ ପଛୁଆ ବର୍ଗ (ଓବିସି) ଆୟୋଗ ଆଇନରେ ସଂଶୋଧନ ହେବ । ଏଥିସହିତ ଜିଏସଟି, ବାଣିଜ୍ୟ କର ଡାଟାଏଣ୍ଟି ଅପରେଟର ନିଯୁକ୍ତି, ଖଣି, ଭୂତତ୍ତ୍ୱ ସେବା ନିର୍ଦ୍ଦେଶାଳୟର ୫ଟି କ୍ୟାଡର ନିଯୁକ୍ତି, ଓଏସଜେଏସ ଓ ଓଜେଏସ ସେବା ଅଧିନିୟମ, ଓଡ଼ିଶା ଖାଦ୍ୟ ପରୀକ୍ଷାଗାର କର୍ମଚାରୀ ନିଯୁକ୍ତି, ଓଡ଼ିଶା ଗ୍ରୁପ-ବି କର୍ମଚାରୀ ନିଯୁକ୍ତି ଓ ସେବା ସର୍ତ୍ତରେ ସଂଶୋଧନ କରାଯାଇଛି ।

Get real time updates directly on you device, subscribe now.