ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର କୁଲଗ୍ରାମ ଜିଲ୍ଲାରେ ସୁରକ୍ଷାବାହିନୀ ଏବଂ ଆତଙ୍କବାଦୀ ମଧ୍ୟରେ ମୁହାଁମୁହିଁ ହୋଇଛି । ଏହି ଗୁଳିବିନିମୟରେ ଏକ ବଡ଼ ସଫଳତା ହାସଲ କରିଛି ସୁରକ୍ଷାବାହିନୀ । ଏହି ଆକ୍ରମଣରେ ୫ ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ସେମାନଙ୍କ ପାଖରୁ ବିଭିନ୍ନ ପରିଚୟ ପତ୍ର ଜବତ କରାଯାଇଛି । ସୁରକ୍ଷାବାହିନୀର ଏହି ଏନକାଉଣ୍ଟରରେ ପ୍ରାଣ ହରାଇଛି ମୋଷ୍ଟା ୱାଣ୍ଟେଡ ଫାରୁକ୍ । ହିଜବୁଲର ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଜୀବିତ ଥିବା ଆତଙ୍କୀ ହେଉଛି ଫାରକ୍ । ଲଗାତାର ଆତଙ୍କୀ ଆକ୍ରମଣରେ ସାମିଲ ଥିବା ଫାରୁକ ଶେଷରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଢେର ହୋଇଛି । ଫାରୁକ ସମେତ ଅନ୍ୟ ୪ ଜଣ ଆତଙ୍କୀ ମଧ୍ୟ ଏହି ଏନକାଉଣ୍ଟରରେ ପ୍ରାଣ ହରାଇଛନ୍ତି ।
ଏହି ଏନକାଉଣ୍ଟରକୁ ନେଇ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ଗୁଳି ବିନିମୟ ସମୟରେ ଘଟଣାସ୍ଥଳରେ ୫ଟି ଶବ ଉଦ୍ଧାର କରାଯାଇଛି । ବର୍ତ୍ତମାନ ସୁଦ୍ଧା ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ସେ କହିଛନ୍ତି ଯେ, କୁଲଗାମର କାଦର ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଘେରାବନ୍ଦୀ ସହ ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ଗୁଳି ବିନିମୟ ଆରମ୍ଭ ହୋଇଥିଲା । କାଦର ବେହିବାଗ ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ସୂଚନା ପାଇବା ପରେ ଭାରତୀୟ ସେନା ଏବଂ ଜମ୍ମୁ-କାଶ୍ମୀର ପୋଲିସକର୍ମୀଙ୍କ ମିଳିତ ଉଦ୍ୟମରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା ।
ଶ୍ରୀନଗର ସ୍ଥିତ ସେନାର ଚିନାର କୋର କହିଛନ୍ତି ଯେ, “ସତର୍କ ସୈନିକ ଘଟଣାସ୍ଥଳରେ ଏକ ସନ୍ଦିଗ୍ଧ ଗତିବିଧି ଦେଖିବା ପରେ ଆତଙ୍କବାଦୀଙ୍କ ପାଇଁ ହୁଙ୍କାର ଦେଇଥିଲେ । ଏହାପରେ ଆତଙ୍କବାଦୀ ଆଖିବୁଜା ଗୁଳିମାଡ଼ କରିଥିଲେ ଏବଂ ସୁରକ୍ଷାବାହିନୀ ମଧ୍ୟ ଏହାର କଡ଼ା ଜବାବ ଦେଇଛନ୍ତି । ଯାହାର ଫାଇଦା ପାଇଛି ସୁରକ୍ଷାବାହିନୀ । ବର୍ତ୍ତମାନ ସୁଦ୍ଧା ଘଟଣାସ୍ଥଳରେ ଗୁଳି ବିନିମୟ ଜାରି ରହିଛି । ଏହାପୂର୍ବରୁ କୁପୱାଡ଼ା ଜିଲ୍ଲାର ନିୟନ୍ତ୍ରଣ ରେଖା ନିକଟରେ ସୁରକ୍ଷାବଳ ବିଭିନ୍ନ ହତିଆର, ଗୋଳା-ବାରୁଦ ଏବଂ ମାଦକ ପଦାର୍ଥ ଜବତ କରିଥିବା ସୂଚନା ଦେଇଛି ।