ଦୁନିଆରେ ଏମିତି ଅନେକ ସ୍ଥାନ ଅଛି ଯେଉଁଠି ଅଜବ ଗଜବ ପ୍ରଥା ପ୍ରଚଳିତ । ବିଶେଷ କରି ବିବାହ ସମ୍ବନ୍ଧୀୟ । ଆଜିକାଲି ଲଭ୍ ମ୍ୟାରେଜ ହେଉ କିମ୍ବା ଆରେଞ୍ଜ୍ ମ୍ୟାରେଜ ନିଜ ପସନ୍ଦର ଜୀବନ ସାଥୀଟିଏ ମିଳିବା ବହୁତ କଷ୍ଟ ହୋଇପଡ଼ିଛି । ପିଲାମାନଙ୍କ ପସନ୍ଦ ଏବଂ ବାପା ମା’ଙ୍କ ପସନ୍ଦ ଭିନ୍ନ । ଅନେକ ସମୟରେ ଏହା ଚିନ୍ତାର ବିଷୟ ପାଲଟିଥାଏ । କିନ୍ତୁ ଯଦି ବର ଉଭୟ କନ୍ୟା ଏବଂ ପରିବାରର ପସନ୍ଦ ହୁଏ ତେବେ ଲାଇଫ୍ ସେଟ୍ । ଆପଣମାନେ ଜାଣିଛନ୍ତି କି ବର କନ୍ୟାମାନଙ୍କ ପାଇଁ ବି ବଜାର(ହାଟ) ବସିଥାଏ ? ନିକଟରେ ବୁଲଗେରିଆରେ ‘କନ୍ୟା ବଜାର’କୁ ନେଇ ସୋସିଆଲ ମିଡ଼ିଆରେ ବେଶ ଚର୍ଚ୍ଚା ହୋଇଥିଲା । ଲୋକମାନେ କନ୍ୟା କିଣିବା ପାଇଁ ଏଠାକୁ ଆସିଥାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ସ୍ଥାନ ବିଷୟରେ କହିବୁ ଯେଉଁଠି ବର ବିକ୍ରି ହୋଇଥାନ୍ତି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏପରି ଏକ ସ୍ଥାନ ବିଦେଶରେ ନୁହେଁ ବରଂ ଭାରତରେ ଅଛି ।
ବିହାରର ମଧୁବନୀରେ ସ୍ଥିତ ଏହି ‘ଗ୍ରୁମ୍ ମାର୍କେଟ’ । ଏହି ବଜାରର ନାଁ ହେଉଛି ‘ସୌରାଠ ସଭା’ । ଏହା ୭୦୦ ବର୍ଷ ପୁରୁଣା ବଜାର ଅଟେ । ଜୁନ୍ରୁ ଜୁଲାଇ ମାସ ମଧ୍ୟରେ ଏହି ସଭା ଅନୁଷ୍ଠିତ ହୋଇଥାଏ । ଅବିବାହିତ ଯୁବକମାନେ ଏହି ବଜାରକୁ ବିବାହ ଆଶା ନେଇ ଆସିଥାନ୍ତି । ସେମାନେ ପାରମ୍ପରିକ ଧୋତି-କୁର୍ତ୍ତା ବା ଜିନ୍ସ୍ ଶାର୍ଟ ପରିଧାନ କରି ଆସିଥାନ୍ତି । ତେବେ ଏହି ‘ଗ୍ରୁମ୍ ମାର୍କେଟ’ ୯ ଦିନ ବ୍ୟାପି ଚାଲିଥାଏ । ଏହି ଗ୍ରୁମ୍ ମାର୍କେଟ ଖୋଲିବା ପଛରେ ରହିଛି ଏକ ବିଶେଷ କାରଣ । ଯୌତୁକ ପ୍ରଥାକୁ ବନ୍ଦ କରିବା ପାଇଁ ଏହା ଖୋଲାଯାଇଥିଲା । କିନ୍ତୁ ଦୁନିଆ ବଦଳିବା ସହ କେତେ ଜଣ ଯୌତୁକ ପାଇଁ ଦାବି କରିଥାନ୍ତି । ଯୁବକମାନଙ୍କ ଯୋଗ୍ୟତା ଅନୁଯାୟୀ ଯୌତୁକ ନିର୍ଭର ହୋଇଥାଏ ।
କୌଣସି ଯୁବକର ବୟସ ଯଦି ୩୫ ବର୍ଷରୁ ଅଧିକ ଥିବ ତେବେ ସେମାନଙ୍କ ମୂଲ୍ୟ ୫୦ ହଜାର ଟଙ୍କା ଥିବାବେଳେ ୩୫ ବର୍ଷରୁ କମ ହୋଇଥିଲେ ୨-୩ ଲକ୍ଷ ପର୍ଯ୍ୟନ୍ତ ମୂଲ୍ୟ ଧାର୍ଯ୍ୟ କରାଯାଇଛି । କନ୍ୟା ପକ୍ଷମାନଙ୍କୁ ବର ପସନ୍ଦ ଆସିଲେ ତା’ କାନ୍ଧ ଉପରେ ଏକ ଗାମୁଛା ପକାଇଥାନ୍ତି । ବର ଚୟନ ହେଲା ପରେ ଉଭୟ ବର ପକ୍ଷ ଏବଂ କନ୍ୟା ପକ୍ଷଙ୍କ ପୁରୁଷମାନେ ବିଶେଷ ଭୂମିକା ତୁଲାଇଥାନ୍ତି । ସେମାନେ ବିବାହ ଖର୍ଚ୍ଚ ଏବଂ ଯୌତୁକ ସମ୍ବନ୍ଧୀୟ କଥାବାର୍ତ୍ତା ସ୍ଥିର କରିଥାନ୍ତି । ଏହି ବଜାରରେ ବିବାହ କରାଇବା ପାଇଁ ପଣ୍ଡିତମାନେ ରହିଥାନ୍ତି ।