ଚାରିଆଡ଼େ ବନ୍ୟା ପାଣି, ଆଉ ବନ୍ୟା ପାଣି ମଝିରେ ଡ଼ଙ୍ଗାରେ ବସି ବାହା ହେବାକୁ ଯାଉଛି ବର
ଡଙ୍ଗାରେ ବସି ନିଜ କନିଆଁ ଆଣି ବାହାରିଛି ବର।
ମୟୁରଭଞ୍ଜ: ବର ଯାଉଛି ବାହା ହବାକୁ। ସାଙ୍ଗରେ ନେଇ ଆସିବ ନିଜ ଜୀବନ ସାଥୀକୁ। ହେଲେ ଆଜିକା ଦିନରେ ବାଜା, ଡିଜେ ବିନା ବାହାଘର ଅଧିରା ଲାଗୁଥିବା ବେଳେ, ଏଠି ଜଣେ ଯୁବକ ବିନା ରୋଷଣୀରେ ଡଙ୍ଗାରେ ବସି ବାହା ହବାକୁ ଯାଉଛନ୍ତି।
କଥାଟି ଟିକେ ଅଜବ ଲାଗୁଛିନା, ଲାଗିବ ତ ନିଶ୍ଚୟ। କାରଣ ଆଜିକା ଦିନରେ ତ ବାଜା, ବାଣ, ଡିଜେ ନହେଲେ ବର ବାହା ହବାକୁ ଘରୁ ଗୋଡ଼ କାଢୁ ନଥିବା ବେଳେ, ଏଠି ଜଣେ ବର କାହିଁକି ଡ଼ଙ୍ଗାରେ ବସି ବିନା ରୋଷଣୀରେ ବାହା ହବାକୁ ଯାଉଛନ୍ତି ସେହି ପ୍ରଶ୍ନ ଆପଣଙ୍କ ମନକୁ ନିଶ୍ଚୟ ଆନ୍ଦୋଳିତ କରୁଥିବ।
ଡ଼ଙ୍ଗାରେ ବର: ହଁ ସମସ୍ତଙ୍କ ପରି ଏହି ବରର ବି ଇଚ୍ଛା ଥିଲା, ସାହାନାଇ ବାଜିବ, ବାଣ ଫୁଟିବ, ଡିଜେର ତାଳେ ତାଳେ ବରଯାତ୍ରୀ ଗାଁ ଦାଣ୍ଡ ଦୁଲୁକାଇ ଦେବେ। ଆଉ ବର ବେଶରେ ସଜେଇ ହୋଇ ଗାଡ଼ିରେ ବସି ତାଙ୍କ ମନର ମାନସୀଙ୍କୁ ସେ ଆଣିବା ପାଇଁ ଯିବେ।
ହେଲେ ବର ଜଣଙ୍କ ଯେଉଁଭଳି ଭାବିଥିଲେ ସେପରି କିଛି ହେଲାନାହିଁ। ବାହା ହବାକୁ ଗଲେ ସତ, ବର ବେଶରେ ସଜେଇ ହେଲେ ସତ କିନ୍ତୁ ନା ବାଜିଲା ବାଜା ନା ପୁଟିଲା ବାଣ, ନା ଦୁଲୁକିଲା ଗାଁ ଦାଣ୍ଡ।
ଡ଼ଙ୍ଗାରେ ବର: ତେବେ ଆଉ ସସପେନ୍ସ ଭିତରେ ନରହି ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ କାରଣ। ଘଟଣାଟି ହେଉଛି ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ୍ ନେଦା ଗାଁର। ଏହି ଗାଁଟି ସୁବର୍ଣ୍ଣରେଖା ନଦୀ କୂଳରେ ଅବସ୍ଥିତ।
ଆଉ ଏବେ ବର୍ଷା ଯୋଗୁଁ ସୁବର୍ଣ୍ଣରେଖା ନଦୀର ସ୍ଥିତି କ’ଣ ତାହା କାହାକୁ ବା ଅଛପା ଅଛି। ବାଲେଶ୍ୱର ହେଉ କିମ୍ୱା ମୟୁରଭଞ୍ଜ ସୁବର୍ଣ୍ଣରେଖା ନଦୀ କୂଳିଆ ଅଞ୍ଚଳ ଏବେ ଜଳମଗ୍ନ।
ଗାଁ ଦାଣ୍ଡରେ ପାଣି: ଜୁଆଡ଼େ ଦେଖିବ ସିଆଡ଼େ ଖାଲି ପାଣି, ପାଣି ଆଉ ଖାଲି ପାଣି। ଗାଁ ରାସ୍ତା ବୁଡ଼ି ସୁଅ ଚାଲୁଛି। ଆଉ ଏହାରି ଭିତରେ ଶୁକ୍ରବାର ଦିନ ନେଦା ଗାଁର ଜଣେ ଯୁବକଙ୍କର ଝାରଖଣ୍ଡର ଟାଟା ନଗରରେ ବାହାଘର ହେବା ନେଇ ତିଥି ସ୍ଥିର ହୋଇଥିଲା।
ହେଲେ ସବୁ ଆୟୋଜନ ସରିଥିଲା। ସବୁ ଆଶା ଆଶାରେ ରହିଗଲା। ଲଗାଣ ବର୍ଷା ହେବା ଫଳରେ ସୁବର୍ଣ୍ଣରେଖା ନଦୀରେ ବନ୍ୟା ଆସିଲା। ଆଉ ଏହି ବନ୍ୟା ପାଣିରେ ସବୁ ଖୁସି ମିଲେଇ ଗଲା।
ବରଙ୍କୁ ପ୍ରଶଂସା: ତେବେ ଏତେସବୁ ପରେ ବି ପଛଘୁଞ୍ଚା ଦେଇନଥିଲେ ବର। ବଢ଼ି ପାଣିରେ ଡଙ୍ଗାରେ ବସି ପାଖାପାଖି ଏକ କିଲୋମିଟର ଯିବା ପରେ ବରଯାତ୍ରୀଙ୍କ ସହ କନିଆ ଘର ଝାରଖଣ୍ଡର ଟାଟା ନଗରରେ ପହଞ୍ଚିଥିଲେ।
ବର୍ଷା ଓ ବନ୍ୟାକୁ ଖାତିର ନକରି ବିବାହ ପାଇଁ ଯାଇଥିବାରୁ ବରକୁ ପ୍ରଶଂସା କରିଛନ୍ତି ସ୍ଥାନୀୟ ଲୋକ। ତେବେ ବଢିପାଣିରେ ବିବାହ ପାଇଁ ବର ଡଙ୍ଗାରେ ଯାଉଥିବା ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି।