fbpx

ଭୂଗର୍ଭ ଜଳ ଉତ୍ତୋଳନ ଦ୍ୱାରା ବଙ୍କା ହୋଇଗଲାଣି ପୃଥିବୀ, ଜଳବାୟୁ ଉପରେ ପଡିବ ବଡ ପ୍ରଭାବ

Advertisement

ନୂଆଦିଲ୍ଲୀ:ଏବେ ପୃଥିବୀ ଉପରେ ବୋଝ ବହୁତ ବଢିଗଲାଣି । ଗୋଟିଏ ପଟେ ଜଳବାୟୁ ପରିବର୍ତ୍ତନର ବୋଝ ଆଉ ଗୋଟିଏ ପଟେ ମାନବୀୟ ଗତିବିଧି । ଏଣୁ ଏବେ ପୃଥିବୀର ଅକ୍ଷରେ ପରିବର୍ତ୍ତନ ଦେଖାଦେଲାଣି । ଏହି ପରିବର୍ତ୍ତନ ଜଳବାୟୁ ପରିବର୍ତ୍ତନକୁ ଆହୁରି ଜଟିଳ କରିଦେଇପାରେ ।

ତେବେ ପୃଥିବୀର ଅକ୍ଷ ପଥରେ ପରିବର୍ତ୍ତନର ବହୁ କାରଣ ଖୋଜି ବାହାର କରାଯାଇଛି । ସେଥିମଧ୍ୟରୁ ଅନ୍ୟତମ ବଡ କାରଣ ହେଉଛି ବହୁ ଅଧିକ ମାତ୍ରାରେ ଭୂଗର୍ଭ ଜଳ ଉତ୍ତୋଳନ । ଜିଓଫିଜିକାଲ୍ ରିସର୍ଚ୍ଚ ଲ୍ୟାଟର୍ସରେ ପ୍ରକାଶିତ ଅଧ୍ୟୟନ ଜନିତ ତଥ୍ୟ ଅନୁଯାୟୀ ପୃଥିବୀର ଘୂର୍ଣ୍ଣନ ଅକ୍ଷରେ ଏହି ବଡ ପରିବର୍ତ୍ତନ ପୃଥିବୀର ଜଳବାୟୁ ଉପରେ ବେଶ୍ ପ୍ରଭାବ ପକାଇପାରେ । ତେବେ ଗତ ଦୁଇ ଦଶକ ଭିତରେ ପୃଥିବୀର ଅକ୍ଷ ପଥରେ ଏହି ପରିବର୍ତ୍ତନ ଅଧିକ ମାତ୍ରାରେ ପରିଲକ୍ଷିତ ହୋଇଛି । ଭୂ ଗର୍ଭରୁ ଆବଶ୍ୟକତା ଠାରୁ ଅଧିକ ମାତ୍ରାରେ ଜଳ ବାହାର କରିବା ଦ୍ୱାରା ୧୯୯୩ରୁ ୨୦୧୦ ମଧ୍ୟରେ ପୃଥିବୀର ଅକ୍ଷ ୮୦ ସେମି ପୂର୍ବକୁ ଢଳି ଆସିଛି ।

ପୃଥିବୀ ପୃଷ୍ଠରେ ବ୍ୟବହାର ହେଉଥିବା ଜଳ ଏହା ସ୍ଥିର କରିଥାଏ ଯେ, ଭୂପୃଷ୍ଠ ଉପରେ ଭାର କେତେମାତ୍ରାରେ ପଡୁଛି । ବୈଜ୍ଞାନିକମାନେ ଅନୁମାନ ଲଗାଇଛନ୍ତି କି ୧୯୯୩ରୁ ୨୦୧୦ ମଧ୍ୟରେ ଲୋକମାନେ ୨୧୫୦ ଗିଗାଟନ୍ ଭୂପୃଷ୍ଠ ଜଳ ବ୍ୟବହାର କରିଛନ୍ତି । ଯଦିଓ ଏ ସଂପର୍କରେ ସଠିକ୍ ଅନୁମାନ ଲଗାଇବା ଏତେ ସହଜ ନୁହେଁ ତଥାପି ଏହା ସତ ଯେ ଜଳର ଏହି ମାତ୍ରା ଏତେ ଅଧିକ ଯେ ଏହାଦ୍ୱାରା ଭୂପୃଷ୍ଠର ଭାର ବିତରଣ ପ୍ରକ୍ରିୟା ପ୍ରଭାବିତ ହୋଇଛି ।

ଅନ୍ୟପକ୍ଷରେ ଗ୍ରହର ଭୌଗଳିକ ଉତ୍ତର ଓ ଦକ୍ଷିଣ ଧ୍ରୁବ ସେହି ସ୍ଥାନ ହୋଇଥାଏ ଯେଉଁଠାରେ ପୃଥିବୀର ଅକ୍ଷ ଏହାର ପୃଷ୍ଠକୁ ଅତିକ୍ରମ କରିଥାଏ । କିନ୍ତୁ ଏହି ବିନ୍ଦୁ ସ୍ଥାୟୀ ହୋଇ ନ ଥାଏ । ପୃଥିବୀର ଭାର ବିତରଣ କ୍ଷେତ୍ରରେ ବିବିଧତା କାରଣରୁ ଏହାର ଅକ୍ଷ ଓ ଧ୍ରୁବ ବି ଅସ୍ଥିର ହୋଇଥାଏ ଅର୍ଥାତ୍ ବଦଳିଥାଏ । ପୂର୍ବରୁ ଏହି ଧ୍ରୁବରେ ପରିବର୍ତ୍ତନ କେବଳ ମହାସାଗରୀୟ କାର୍ଯ୍ୟକଳାପ କିମ୍ବା ଭୂପୃଷ୍ଠ ତଳେ ଉତ୍ତପ୍ତ ଚଟାଣର କମ୍ପନ ପରି ପ୍ରାକୃତିକ କାରଣରୁ ହେଉଥିଲା । କିନ୍ତୁ ଏବେ ନୂତନ ଗବେଷଣାରୁ ଜଣାପଡିଛି ପୃଥିବୀ କକ୍ଷରେ ଏହି ପରିବର୍ତ୍ତନର ସବୁଠାରୁ ବଡ କାରଣ ଭୂପୃୃଷ୍ଠ ଜଳର ପୁନଃବିତରଣ ।

ସିଓଲ ନ୍ୟାସନାଲ୍ ୟୁନିଭରସିଟିର ଭୂଭୌତିକବିଦ୍ ଓ ଏହି ଅଧ୍ୟୟନର ନେତୃତ୍ୱ ନେଇଥିବା ଭୂବିଜ୍ଞାନୀ ବେୟାନ ସେଓ କହିଛନ୍ତି ପୃଥିବୀର ଘୂର୍ଣ୍ଣନ ପ୍ରକ୍ରିୟାରେ ଧ୍ରୁବ ବହୁବାର ବଦଳିଥାଏ କିନ୍ତୁ ବହୁ ମାତ୍ରାରେ ଭୁଗର୍ଭ ଜଳକୁ ପମ୍ପ ସାହାଯ୍ୟରେ ଉତ୍ତୋଳନ କରିବା ଦ୍ୱାରା ପୃଥିବୀର ଅକ୍ଷ ପଥରେ ପରିବର୍ତ୍ତନ ହୋଇଛି । ପୃଥିବୀର ଘୂର୍ଣ୍ଣନ ପ୍ରକ୍ରିୟାରେ ପରିବର୍ତ୍ତନ କ୍ଷେତ୍ରରେ ଜଳର ଭୂମିକାକୁ ନେଇ ୨୦୧୬ରେ ପ୍ରଥମେ ଅଧ୍ୟୟନ ହୋଇଥିଲା କିନ୍ତୁ ଏ ପର୍ଯ୍ୟନ୍ତ ଭୂଗର୍ଭ ଜଳର ଭୂମିକା ଉପରେ ଅଧ୍ୟୟନରେ ବିଶ୍ଳେଷଣ କରାଯାଇ ନ ଥିଲା ।

Get real time updates directly on you device, subscribe now.