fbpx

ବଢୁଛି ଜନସଂଖ୍ୟା, କିନ୍ତୁ ମିଳୁନି ଚାକିରି: ୪ ବର୍ଷରେ ୨ ଗୁଣ ବଢିଛି ଶିକ୍ଷିତ ବେକାରୀ ସଂଖ୍ୟା

ନୂଆଦିଲ୍ଲୀ: ବିକାଶ ପଥରେ ଆଗେଇ ଚାଲିଛି ସାରା ଭାରତ । ବିଜ୍ଞାନ ହେଉ କି ଯାନବାହନ କିମ୍ବା କଳକାରଖାନା ବା ଶିକ୍ଷା, ପ୍ରତ୍ୟେକ କ୍ଷେତ୍ରରେ ଭାରତ ଆଜି ଉଚ୍ଚସ୍ଥାନରେ ରହିଛି । ଦେଶର ଏହି ବିକାଶକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀଙ୍କର ମଧ୍ୟ ବଡ଼ ସ୍ୱପ୍ନ ରହିଛି । ୨୦୪୭ ସୁଦ୍ଧା ଭାରତ ବିକଶିତ ରାଷ୍ଟ୍ର ହେବ ବୋଲି ସେ କହି ସାରିଛନ୍ତି । କିନ୍ତୁ ସେପଟେ ଦେଶର ବିକାଶକୁ ପଛକୁ ଭିଡ଼ି ନେଇଛି ଶିକ୍ଷିତ ବେକାରୀ ପ୍ରତିଶତ । ୪ ବର୍ଷ ଭିତରେ ଦେଶରେ ଶିକ୍ଷିତ ବେକାରୀଙ୍କ ସଂଖ୍ୟା ପ୍ରାୟ ୨ ଗୁଣ ବୃଦ୍ଧି ହୋଇଥିବା ରେକର୍ଡ କରାଯାଇଛି । ଖଣ୍ଡେ ଚାକିରି ନ ପାଇ ବେରୋଜଗାର ହୋଇ ବୁଲୁଛି ଭାରତର ଭବିଷ୍ୟତ ।

ଭାରତର ବେକାରୀ ସମସ୍ୟାକୁ ନେଇ ଏବେ ଏକ ରିପୋର୍ଟ ପ୍ରକାଶ ପାଇଛି, ଯାହା ସମସ୍ତଙ୍କୁ ଦେଶର ପ୍ରକୃତ ବିକାଶର ପରିଚୟ ଦେଇପାରିବ । ଦେଶରେ ବର୍ତ୍ତମାନ ଯୁବପିଢୀଙ୍କ ସଂଖ୍ୟା ପ୍ରାୟ ୨୭% ରହିଛି । କିନ୍ତୁ ଏମାନଙ୍କ ମଧ୍ୟରେ ମୋଟ ୮୩% ଯୁବବର୍ଗ ବେକାରୀ ସମସ୍ୟାରେ ବୁଡ଼ି ରହିଛନ୍ତି । ତେବେ ବିଶେଷ କରି କରୋନା ମହାମାରୀ ପରେ ଏହି ବେକାରୀ ସମସ୍ୟା ଆହୁରି ବୃଦ୍ଧି ପାଇଛି । ଏହି ୪ ବର୍ଷ ମଧ୍ୟରେ ଭାରତର ବେକାରୀ ସଂଖ୍ୟା ପ୍ରାୟ ୨ ଗୁଣ ବଢି ଯାଇଥିବା ରେକର୍ଡ ହୋଇଛି । ତେବେ ବିହାର, ଛତିଶଗଡ଼, ଉତ୍ତରପ୍ରଦେଶ, ମଧ୍ୟ ପ୍ରଦେଶ, ଝାଡ଼ଖଣ୍ଡ ଭଳି ରାଜ୍ୟଗୁଡ଼ିକରେ ଏହି ସମସ୍ୟା ଅତି ଦୟନୀୟ ଅବସ୍ଥାରେ ରହିଛି । ତେବେ ଗତ ୨୦୦୦ ମସିହାରେ ଦେଶରେ ଯୁବ ଶିକ୍ଷିତ ବେକାରୀଙ୍କ ସଂଖ୍ୟା ୩୫.୨ ପ୍ରତିଶତ ରହିଥିଲା । କିନ୍ତୁ ୨୦୨୨ରେ ଏହା ୬୫.୭କୁ ବୃଦ୍ଧି ପାଇଥିବା ବେଳେ ବର୍ତ୍ତମାନ ୮୩% ରେ ପହଞ୍ଚିଛି । ଅନ୍ତର୍ଜାତୀୟ ଶ୍ରମ ସଂଗଠନ ଏବଂ ଇନଷ୍ଟିଟ୍ୟୁଟ୍‌ ଅଫ୍‌ ହ୍ୟୁମାନ ଡେଭଲପମେଣ୍ଟ (IHD)ର ଯୁଗ୍ମ ପ୍ରୟାସରେ ‘ଭାରତ ନିଯୁକ୍ତି ରିପୋର୍ଟ ୨୦୨୪’ ରିପୋର୍ଟରେ ଦେଶର ବେକାରି ସ୍ଥିତି ପ୍ରକାଶ ପାଇଛି। ମୁଖ୍ୟ ଅର୍ଥନୀତିଜ୍ଞ ଉପଦେଷ୍ଟା (CEA) ଭି. ଅନନ୍ତ ନାଗେଶ୍ୱରନ୍‌ ଏହି ରିପୋର୍ଟକୁ ଉନ୍ମୋଚନ କରିଛନ୍ତି।

ଏହି ସର୍ଭେରେ ଅତି କମରେ ମାଟ୍ରିକ ପାସ୍ କରିଥିବା ଯୁବବର୍ଗଙ୍କୁ ସାମିଲ କରାଯାଇଥିଲା । ଏହାପରେ ଶିକ୍ଷା ଏବଂ ଏହାର ପରବର୍ତ୍ତୀ ସ୍ଥିତିର ରିପୋର୍ଟ ସମସ୍ତଙ୍କୁ ଆଚମ୍ବିତ କରିଛି । ଦଶମ ଶ୍ରେଣୀ ପରେ ଦେଶରେ ପିଲାମାନଙ୍କର ଅଧାରୁ ପାଠ ଛାଡିବା ହାର ଏବେ ବି ବଡ଼ ସମସ୍ୟା ଭାବରେ ଉଭା ହୋଇଛି । ଉଚ୍ଚଶିକ୍ଷା କ୍ଷେତ୍ରରେ ଦେଶରେ ଅନେକ ନାମଲେଖା ହେଉଛି, କିନ୍ତୁ ଏହି କ୍ଷେତ୍ରରେ ଶିକ୍ଷାର ସ୍ତର ଚିନ୍ତାଜନକ ରହିଛି। ଆଇଏଲ୍‌ଓ ରିପୋର୍ଟରେ ଭାରତୀୟଙ୍କ ଆୟକୁ ନେଇ ମଧ୍ୟ ତଥ୍ୟ ଉପସ୍ଥାପନ କରାଯାଇଛି।

Get real time updates directly on you device, subscribe now.