ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଗୁଆଲି ନୀତି, ପାଲିଙ୍କିରେ ଶ୍ରୀ ମଦନମୋହନ ଓ ଶ୍ରୀଦେବୀଙ୍କ ନଗର ପରିକ୍ରମା

ମ୍ପକ ଦ୍ୱାଦଶୀ ଅବସରରେ ସମ୍ପନ୍ନ ହେଲା ମହାପ୍ରଭୁଙ୍କ ଗୁଆଲି ଯାତ୍ରା । ପାଲିଙ୍କିରେ ବିଜେ କରି ଶ୍ରୀ ମଦନମୋହନ ଓ ଶ୍ରୀଦେବୀ ନଗର ପରିକ୍ରମା କରିବାପରେ ପ୍ରଥମେ ଶ୍ରୀ ନଅର ଓ ପରେ ଜମ୍ବେଶ୍ଵର ମହାଦେବଙ୍କ ମନ୍ଦିର ପରିକ୍ରମା କରିଛନ୍ତି ଦେବ ଦମ୍ପତି ।

ପୁରୀ: ଶନିବାର ଚମ୍ପକ ଦ୍ୱାଦଶୀ ଅବସରରେ ସମ୍ପନ୍ନ ହେଲା ମହାପ୍ରଭୁଙ୍କ ଗୁଆଲି ଯାତ୍ରା । ପାଲିଙ୍କିରେ ବିଜେ କରି ଶ୍ରୀ ମଦନମୋହନ ଓ ଶ୍ରୀଦେବୀ ନଗର ପରିକ୍ରମା କରିବାପରେ ପ୍ରଥମେ ଶ୍ରୀ ନଅର ଓ ପରେ ଜମ୍ବେଶ୍ଵର ମହାଦେବଙ୍କ ମନ୍ଦିର ପରିକ୍ରମା କରିଛନ୍ତି ଦେବ ଦମ୍ପତି ।

ଜ୍ୟେଷ୍ଠ ଶୁକ୍ଳ ପକ୍ଷ ଦ୍ଵାଦଶୀ ତିଥିରେ ଚମ୍ପକ ଦ୍ଵାଦଶୀ ନୀତି ପାଳିତ ହୋଇଥାଏ । ପରମ୍ପରା ଅନୁଯାୟୀ ରୁକ୍ମିଣୀ ବିବାହ ପର ଦିନ ମହାପ୍ରଭୁଙ୍କ ଗୁଆଲି ଉତ୍ସବ ଅନୁଷ୍ଠିତ ହୋଇଛି । ସକାଳ ଧୂପ ଓ ଭୋଗମଣ୍ଡପ ନୀତି ସରିବା ପରେ ଭିତରେ ଆଲଟ ଲାଗି ହୋଇ ତିନି ବାଡ଼ରେ ମହାସ୍ନାନ ଓ ନୂଆଲୁଗା ଲାଗି କରାଯାଇଥିଲା । ଘଟୁଆରୀ ଚନ୍ଦନ ଘୋର ଘର ଠାରୁ ରୂପା ପିଙ୍ଗଣରେ ପୂଜାପଣ୍ଡା, ପତିମହାପାତ୍ର, ମୁଦିରସ୍ତ ଚନ୍ଦନ ବିଜେ କରାଇ ଶ୍ରୀବିଗ୍ରହମାନଙ୍କ ଶ୍ରୀଅଙ୍ଗରେ ସର୍ବାଙ୍ଗ ନୀତିରେ ଲାଗି କରିଥିଲେ ।

ଏହାପରେ ବେଶ ବଢ଼ି ମଧ୍ୟାହ୍ନ ଧୂପ ନୀତି କରାଯାଇଥିଲା । ବର କନ୍ୟା ଶ୍ରୀମଦନମୋହନ ଓ ଶ୍ରୀଦେବୀ ରତ୍ନସିଂହାସନକୁ ବିଜେ କରି ସେଠାରେ ବନ୍ଦାପନା ହୋଇଥିଲେ । ବନ୍ଦାପନା ନୀତି ସରିବା ପରେ ବର- କନ୍ୟାଙ୍କୁ ଆଜ୍ଞାମାଳ ପ୍ରଦାନ କରାଯିବା ସହ ମହାଜନ ସେବକମାନେ ବିଜେ କରାଇ ଝୁଲଣ ମଣ୍ଡପ ନିକଟରେ ରଖାଯାଇଥିବା ପାଲିଙ୍କିରେ ଅଧିଷ୍ଠିତ କରିଥିଲେ ।