fbpx

ରାଜ୍ୟର ସରକାରୀ ଡିଗ୍ରୀ କଲେଜରେ ନିଯୁକ୍ତି ପାଇବେ ଅତିଥି ଅଧ୍ୟାପକ, ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କଲେଜ ଅଧ୍ୟକ୍ଷଙ୍କୁ ଚିଠି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବିଭିନ୍ନ ସରକାରୀ ଡିଗ୍ରୀ କଲେଜରେ ଖାଲିଥିବା ଅଧ୍ୟାପକ ପଦବୀ ପୂରଣ ହେବ । ଡିଗ୍ରୀ କଲେଜରେ ଥିବା ଖାଲି ପଦ ଗୁଡ଼ିକରେ ଅତିଥି ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯିବ । ୨୦୨୨-୨୩ରୁ ୨୦୨୩-୨୪ ଶିକ୍ଷା ବର୍ଷ ପର୍ଯ୍ୟନ୍ତ ଅଧ୍ୟାପକମାନେ ନିଯୁକ୍ତି ପାଇବେ ବୋଲି ଜଣାପଡ଼ିଛି । ଏନେଇ ଖୁବଶୀଘ୍ର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ବିଭିନ୍ନ କଲେଜ ଅଧ୍ୟକ୍ଷଙ୍କୁ କୁହାଯାଇଛି ।

ତେବେ ଏହି ନିଯୁକ୍ତିରେ ଅବସରପ୍ରାପ୍ତ ଅଧ୍ୟାପକ ବା ଉପଯୁକ୍ତ ଦକ୍ଷତା ସମ୍ପନ୍ନ ଶିକ୍ଷକମାନେ ସୁଯୋଗ ପାଇବେ । ଏହି ଦୁଇ ବର୍ଷରେ ଅତିଥି ଅଧ୍ୟାପକମାନେ ମାସକୁ ୫୦ଟି କ୍ଲାସ ନେବାକୁ ପଡ଼ିବ । ଅଧ୍ୟାପକମାନଙ୍କୁ ପ୍ରତି କ୍ଲାସ ପିଛା ୫ ଶହ ଟଙ୍କା ଲେଖାଏଁ ପାରିଶ୍ରମିକ ମିଳିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି ।

ସୂଚନାଯୋଗ୍ୟ ଯେ, ରାଜ୍ୟର ସରକାରୀ କଲେଜରେ ପାଠ ପଢ଼ାଇବା ନିମନ୍ତେ ଆବଶ୍ୟକ ମୁତାବକ ଅଧ୍ୟାପକ ନାହାନ୍ତି । କେଉଁଠି ଅତିଥି ଅଧ୍ୟାପକରେ କାମ ଚାଲିଛି ତ କେଉଁଠି ଅବସରପ୍ରାପ୍ତ ଅଧ୍ୟାପକଙ୍କୁ ଆଣି କାମ ଚାଲିଛି । ଅନେକ ବିଭାଗରେ ଜଣେ ଦୁଇ ଜଣ ଅଧ୍ୟାପକ ପାଠ ପଢ଼ାଉଛନ୍ତି । ରାଜ୍ୟର ସବୁ ଜିଲ୍ଲାର କଲେଜମାନଙ୍କରେ ଅଧ୍ୟାପକଙ୍କ ଅଭାବ ପରିଲକ୍ଷିତ ହୋଇଛି । ପ୍ରତ୍ୟେକ ବର୍ଷ ଯେତିକି ଅଧ୍ୟାପକ ନିଯୁକ୍ତି ପାଉଛନ୍ତି, ତା’ଠାରୁ ଦୁଇଗଣ ଅବସର ଗ୍ରହଣ କରୁଛନ୍ତି । ୨୦୨୨-୨୩ରେ ରାଜ୍ୟ ସରକାର ସରକାରୀ ଓ ଅନୁଦାନପ୍ରାପ୍ତ କଲେଜମାନଙ୍କରେ ଅତିଥି ଅଧ୍ୟାପକଙ୍କୁ ନିଯୁକ୍ତି କରିବେ ବୋଲି ଉଚ୍ଚଶିକ୍ଷା ବିଭାଗର ଜଣେ ଅଧିକାରୀ ଗତ ଜୁନ ମାସରେ ସୂଚନା ଦେଇଥିଲେ ।

Get real time updates directly on you device, subscribe now.