ଭୁବନେଶ୍ବର: ଭାରତ ସରକାରଙ୍କ ପଶୁପାଳନ ଓ ଡାୟେରି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ସହଯୋଗରେ ଦୁଇଦିନିଆ ମୌସୁମୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ବରଠାରେ ଆୟୋଜିତ ଏହି ବୈଠକ ଅବସରରେ ଗତ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ରାତ୍ରୀ ଭୋଜନର ଆୟୋଜନ କରିଥିଲେ । ଏଥିରେ ସମବେତ ଅତିଥିମାନଙ୍କୁ ନିମନ୍ତ୍ରିତ କରାଯାଇଥିଲା । ରାତ୍ରିଭୋଜନ ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ଏଥିରେରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଶିଳ୍ପୀମାନେ ଓଡ଼ିଶୀ, ସମ୍ବଲପୁରୀ, ସିଂହାରୀ ଓ ଛଉ ନୃତ୍ୟ ପରିବେଷଣ କରିଥିବାବେଳେ ବର୍ଣ୍ଣାଳୀ ହୋତାଙ୍କ ଭଜନ ଏବଂ ଲୋକଗୀତ ଅତିଥିମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ।
ଏହି ରାତ୍ରୀ ଭୋଜନ ଆସରରେ ମୁଖ୍ୟମନ୍ତ୍ରୀ ଅତିଥିମାନଙ୍କୁ ଓଡ଼ିଶାର ଆଧ୍ୟାତ୍ମିକ-ସାଂସ୍କୃତିକ ଐତିହ୍ୟ ସମ୍ପର୍କରେ ଅବଗତ କରାଇଥିଲେ । ମତ ବିନିମୟ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଓ ରାଜ୍ୟ ମତ୍ସ୍ୟ, ପ୍ରାଣୀସଂପଦ ବିକାଶ, ଏମ୍ଏସ୍ଏମ୍ଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ଅତିଥିମାନଙ୍କୁ ସ୍ବାଗତ ଜଣାଇଥିଲେ ।
କେନ୍ଦ୍ର ମତ୍ସ୍ୟ, ପଶୁପାଳନ, ଡାୟେରୀ ଓ ପଞ୍ଚାୟତିରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂ, ରାଷ୍ଟ୍ରମନ୍ତ୍ରୀ ପ୍ରଫେସର ଏସ୍.ପି. ସିଂ ବଘେଲ, ରାଷ୍ଟ୍ରମନ୍ତ୍ରୀ ଜର୍ଜ କୁରିୟାନଙ୍କ ସମେତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଥିବା ସଂପୃକ୍ତ ବିଭାଗୀୟ ମନ୍ତ୍ରୀବୃନ୍ଦ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏହା ବ୍ୟତୀତ ମତ୍ସ୍ୟ, ପଶୁପାଳନ, ଡାୟେରୀ ମନ୍ତ୍ରାଳୟ ସମେତ ବିଭିନ୍ନ ସର୍ବଭାରତୀୟ ପ୍ରତିଷ୍ଠାନର ବରିଷ୍ଠ ଅଧିକାରୀ ତଥା ପ୍ରତିନିଧିବୃନ୍ଦ ମଧ୍ୟ ସମବେତ ହୋଇଥିଲେ ଏହି କାର୍ଯ୍ୟକ୍ରମରେ ।