ଅହମଦାବାଦ୍: ରାତିରେ ମଜୁରିଆ ମାନେ ନିଜର ନିତିଦିନିଆ କାମ ସାରି ଥକ୍କା ନିଦରେ ଶାନ୍ତିରେ ଶୋଇଥିଲେ । ହେଲେ ଧଇବ ସହିଲାନି । ହଠାତ୍ ଗୋଟିଏ ଟ୍ରକ୍ ନିୟନ୍ତ୍ରଣ ହରାଇ ଚଢ଼ି ଚାଲିଗଲା ଏହି ନୀରିହ ଲୋକ ମାନଙ୍କ ଉପରେ । ଏହିଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ଗୁଜୁରାଟର ଅମରେଲୀ ଠାରେ । ସୋମବାର ଦ୍ରୁତ ଗତିରେ ଆସୁଥିବା ଏକ ମାଲବୋଝେଇ ଟ୍ରକ୍ ସଡ଼କ କଡ଼ରେ ଶୋଇଥିବା ୧୦ ମଜୁରିଆଙ୍କ ଉପରେ ଚଢ଼ି ଗଲା । ଏଥିରେ ୮ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏହାବ୍ୟତୀତ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କର ବର୍ତ୍ତମାନ ଏବେ ଚିକିତ୍ସା ଚାଲିଛି । ଏହି ଘଟଣା ସକାଳ ୩ଟା ବେଳେ ହୋଇଥିବା ଜଣାପଡ଼ିଛି ।
ଅମରେଲୀ ପୋଲିସ୍ ର ସୁଚନା ମୁତାବକ, ମୃତକଙ୍କ ମଧ୍ୟରେ ଦୁଇଜଣ ୧୩ ବର୍ଷର ପିଲାଥିବା ଜଣାପଡ଼ିଛି । ବନ୍ଧାଦା ଗାଁର ହୋଇଥିବା ଘଟଣା ମଧ୍ୟରେ ଛୋଟ ଛୋଟ ପିଲା ମଧ୍ୟ ଆହତ ହୋଇଛନ୍ତି । ତେବେ ଉକ୍ତ ଟ୍ରକ୍ ଚାଳକ ଜଣକ ଗାଡ଼ିକୁ ନିୟନ୍ତ୍ରଣରେ ରଖିପାରିନଥିଲେ । ଆଉ ଟ୍ରକ୍ ଟି ଯାଇ ସଡ଼କ ପାଖରେ ଥିବା ଏକ କୁଡ଼ିଆ ଉପରକୁ ମାଡ଼ି ଯାଇଥିଲା । ଫଳସ୍ୱରୂପ କୁଡ଼ିଆ ଭିତରେ ଶୋଇଥିବା ୧୦ ଜଣ ଏହାର ଶିକାର ହୋଇଥିଲେ । ଏଥିରେ ଦୁଇଜଣ ବୃଦ୍ଧ ମଧ୍ୟ ରହିଛନ୍ତି ।
ପୋଲିସ୍ ବର୍ତ୍ତମାନ ଟ୍ରକ୍ ଡ୍ରାଇଭର୍ ଙ୍କୁ ଗିରଫ କରିସାରିଛି ଏବଂ ତାଙ୍କୁ ପଚରାଉଚରା ଚଳାଇଛି । ତେବେ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ୪ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦେବା ନେଇ ଘୋଷଣା କରିଛନ୍ତି । ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ।