fbpx

ହୋଲିରେ ବିଭିନ୍ନ ରାଜ୍ୟରେ H3N2 ଭାଇରସର ବିସ୍ଫୋରଣ! WHO, ICMR ଓ AIIMSର ପୂର୍ବତନ ନିର୍ଦ୍ଦେଶକଙ୍କ ଚେତାବନୀ

ନୂଆଦିଲ୍ଲୀ: ହୋଲି ପୂର୍ବରୁ ଦେଶରେ ଇନଫ୍ଲୁଏଞ୍ଜା ବା H3N2 ଭାଇରସର କହର ବୃଦ୍ଧି ଘଟିଛି । ଦେଶର ରାଷ୍ଟ୍ରୀୟ ରାଜଧାନୀ ଉତ୍ତରପ୍ରଦେଶ ଠାରୁ ଆରମ୍ଭ କରି କର୍ଣ୍ଣାଟକ ସମେତ କିଛି ରାଜ୍ୟରେ H3N2 ସଂକ୍ରମଣ ବଢ଼ିବାରେ ଲାଗିଛି । ଏହାର ଲକ୍ଷଣ କୋଭିଡ୍ ପରି ଦେଖିବାକୁ ମିଳୁଛି । ତେଣୁ ଏପରି ସ୍ଥଳେ ଏହି ଭାଇରସକୁ ଚିହ୍ନଟ କରିବା ସମସ୍ତଙ୍କ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି । ତେବେ କିଛି ସୁଚିନ୍ତିତ ପଦକ୍ଷେପ ଉଠାଇବା ଫଳରେ ଏହି ଭାଇରସଠାରୁ ମୁକ୍ତି ମିଳିପାରିବ ।

ଦେଶରେ ପ୍ରତ୍ୟେକ ଦିନ H3N2 ଭାଇରସର ମାମଲା ବଢ଼ିବାରେ ଲାଗିଛି । ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ୟୁପି ଓ କର୍ଣ୍ଣାଟକ ଦୁଇ ରାଜ୍ୟରେ ସରକାର ହାଇ ଆଲର୍ଟ ଜାରି କରିବା ସହିତ ଚିକିତ୍ସା ପାଇଁ ହସ୍ପିଟାଲ ପ୍ରସ୍ତୁତ କରିବା ଆରମ୍ଭ କରିଦେଇଛନ୍ତି । କର୍ଣ୍ଣାଟକ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ସୁଧାକର ଆଜି ଟେକ୍ନିକାଲ ଆଡଭାଇଜରୀ କମିଟି ସହିତ ଏକ ମିଟିଂ କରିଥିଲେ । ଉକ୍ତ ବୈଠକରେ ବର୍ଦ୍ଧିତ ମାମଲାକୁ ନେଇ ଚର୍ଚ୍ଚା ହୋଇଥିଲା ଓ ଆଗାମୀ ଆକ୍ସନ ପ୍ଲାନ ଉପରେ ମନ୍ଥନ କରାଯାଇଥିଲା । ଭୟଭୀତ ହେବାର କୌଣସି ଆବଶ୍ୟକ ନାହିଁ । ଆଗକୁ ଏ ବାବଦରେ ଏକ ବିସ୍ତୃତ ଗାଇଡଲାଇନ୍ ଜାରି କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଥିଲେ ।

H3N2 ଭାଇରସର ଅଧିକାଂଶ ମାମଲା ୧୫ ବର୍ଷରୁ କମ୍ ବୟସର ପିଲା ଓ ୬୫ ବର୍ଷରୁ ଅଧିକ ବୟସ୍କଙ୍କ କ୍ଷେତ୍ରରେ ଦେଖାଯାଉଛି । ଗର୍ଭବତୀ ମହିଳାମାନେ ମଧ୍ୟ ଏଥିରେ ପୀଡ଼ିତ ହେଉଛନ୍ତି । ସମସ୍ତେ ନିୟମିତ ସଫାସୁତୁରା ରହିବା ସହ ଅଧିକ ଭିଡ଼କୁ ନଗଲେ ଏହି ଭାଇରସ ପ୍ରକୋପରୁ ମୁକ୍ତି ପାଇ ପାରିବେ ଡ. ସୁଧାକର କହିଥିଲେ । ଅନ୍ୟପଟେ ୟୁପିର ରାଜଧାନୀରେ କ୍ରମାଗତ ଭାବେ ଏହି ମାମଲା ବଢ଼ୁଥିବାରୁ କୋଭିଡ୍ ପରି ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ଟେଷ୍ଟରୁ ଭାଇରସର ଚିହ୍ନଟ ହୋଇନାହିଁ, ମାତ୍ର ଲକ୍ଷଣ ଦେଖାଯାଉଛି । ରାଜ୍ୟରେ ଡାକ୍ତରଙ୍କ ପାଇଁ ଅଲଗା ୱାର୍ଡ ପ୍ରସ୍ତୁତ କରାଯିବା ସହ ରୋଗୀଙ୍କୁ ମଧ୍ୟ ଅନ୍ୟ ୱାର୍ଡକୁ ସ୍ଥାନାନ୍ତରିତ କରାଯାଉଛି । ତେବେ ପଶ୍ଚିମବଙ୍ଗ ଓ ଦିଲ୍ଲୀ-ଏନସିଆରେ ମଧ୍ୟ ଇନଫ୍ଲୁଏଞ୍ଜା ମାମଲା ଦ୍ରୁତ ଭାବେ ବଢ଼ିବାରେ ଲାଗିଛି । ଆମେରିକା ଓ ହଂକଂରେ ଭାଇରସ ସମସ୍ୟା ବଢ଼ାଇଥିବା ବେଳେ ଭାରତରେ ନିଜର ରୂପ ଦେଖାଇବା ଆରମ୍ଭ କଲାଣି ।

ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ମୁତାବକ, ମୌସମୀ ଇନଫ୍ଲୁଏଞ୍ଜା ଭାଇରସ ଏ, ବି, ସି ଓ ଡି ଚାରି ପ୍ରକାରର ହୋଇଥାନ୍ତି । ଏ ଓ ବି ଟାଇପରେ ମୌସୁମୀ ଫ୍ଲୁ ବ୍ୟାପିଥାଏ । ଇନଫ୍ଲୁଏଞ୍ଜା ଏ ଟାଇପକୁ ମହାମାରୀର କାରଣ ବୋଲି କୁହାଯାଉଛି । ଇନଫ୍ଲୁଏଞ୍ଜା ଏ’ର ଦୁଇଟି ସବଟାଇପ H3N2 ଓ ଅନ୍ୟଟି H1N1 ଅଟନ୍ତି । ଟାଇପ ବି’ର ସବଟାଇପ ନଥିବା ବେଳେ ଟାଇପ ସି’କୁ ବହୁତ ହାଲୁକା ଭାବେ ଗ୍ରହଣ କରାଯାଇଥାଏ ।

ଏହାଛଡ଼ା ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ICMR) ପକ୍ଷରୁ ସଂକ୍ରମଣରୁ ବର୍ତ୍ତିବା ପାଇଁ କ’ଣ କରିବା ନ କରିବା ଉଚିତ ସେନେଇ ଚେତାବନୀ ଦେଇଥିଲା । ଆଣ୍ଟିବାୟୋଟିକ ଓ ଅନ୍ୟ ଔଷଧ ଡାକ୍ତରଙ୍କ ବିନା ପରାମର୍ଶରେ ନ ନେବା ଉଚିତ । ଜ୍ୱର ଓ ମୁହଁ ଯନ୍ତ୍ରଣା ଦେଖାଦେଲେ ପାରାସିଟାମଲ ନେବାକୁ ପରାମର୍ଶ ଦିଆଯାଇଥିଲା । ନିୟମିତ ଭାବେ ହାତକୁ ସାବୁନରେ ଧୋଇବା ସହ ମୁହଁ ମାସ୍କ ପିନ୍ଧିବା ଓ ଭିଡ଼ ସ୍ଥାନକୁ ନ ଯିବାକୁ କୁହାଯାଇଥିଲା ।

ସେହିପରି ଅଖିଳ ଭାରତୀୟ ଚିକିତ୍ସା ବିଜ୍ଞାନ ପ୍ରତିଷ୍ଠାନ (AIIMS)ର ପୂର୍ବତନ ନିର୍ଦ୍ଦେଶକ ଡ. ରଣଦୀପ ଗୁଲେରିଆ କହିଛନ୍ତି, ଐ୩ଘ୨ ଭାଇରସ୍ କୋଭିଡ୍ ପରି ବ୍ୟାପିବ । ଆଗକୁ ଉତ୍ସବ ଆସୁଥିବାରୁ ଲୋକମାନେ ଏନେଇ ସଚେତନ ରହିବା ଜରୁରୀ । ବର୍ତ୍ତମାନ ସମୟରେ ଇନଫ୍ଲୁଏଞ୍ଜା ଭାଇରସ ମାମଲା ବଢ଼ୁଥିବା ଦେଖାଯାଉଛି । ପ୍ରତ୍ୟେକ ବର୍ଷ ଏହି ସମୟରେ ଏପରି ଭାଇରସର ପ୍ରଭାବ ଦେଖିବାକୁ ମିଳୁଛି । ବିଶେଷ କରି ଲୋକମାନେ ଜ୍ୱର, ଗଳା, ନାକ ଆଦି ସମସ୍ୟାରେ ପୀଡ଼ିତ ହେଉଛନ୍ତି ।

Get real time updates directly on you device, subscribe now.