fbpx
BSKY SKY
BSKY SKY

ପୁଣି ହାଜତରେ ଅଭିଯୁକ୍ତକୁ ପିଟି ପିଟି ହତ୍ୟା ନେଇ ଅଭିଯେଗା ଆଣିଲେ ପରିବାରଲୋକ, ଚା ପିଉଥିବା ବେଳେ ଉଠାଇ ଆଣିଥିଲେ ସାଧା ପୋଷାକ ଥିବା ପୋଲିସ

BSKY

ଉଦଳା (ଭାସ୍କର ନ୍ୟୁଜ୍‌): ପୁଣିଥରେ ହାଜତ ମୃତ୍ୟୁର ଅଭିଯୋଗ ଆସିଛି । ଏକ ଲୁଟ୍‌ ମାମଲାରେ ପୋଲିସ ଗିରଫ କରିଥିବା ଜଣେ ଅଭିଯୁକ୍ତର ଥାନାରେ ମୃତ୍ୟୁ ହେବା ପରେ ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ପୋଲିସ ଉକ୍ତ ଅଭିଯୁକ୍ତକୁ ପିଟି ପିଟି ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରଖାନାରେ ପରଲୋକ ଘଟିବା ପରେ ସେଠାରେ ବେଶ୍‌ କିଛି ସମୟ ପାଇଁ ମଧ୍ୟ ଉତ୍ତେଜନା ସୃଷ୍ଟି ହୋଇଥିଲା । ମୃତ ଯୁବକଙ୍କ ନାମ ପ୍ରଦୀପ ଦାସ ଓ ତାଙ୍କ ଘର ବାଲେଶ୍ୱର ଜିଲ୍ଲା ମନ୍ଦାରପୁର ଅଞ୍ଚଳରେ ।

ଗତ ଜାନୁଆରୀ ମାସରେ ଉଦଳା ଏନ୍‌ଏସି ୫ ନଂ ୱାର୍ଡରେ ରହୁଥିବା ଜଣେ ମହିଳାଙ୍କ ଘରୁ ସୁନା ଅଳଙ୍କାର ସଫା ଆଳରେ ଲୁଟ୍‌ ହୋଇଥିଲା । ଏ ନେଇ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ କରି ଅଭିଯୁକ୍ତ ପ୍ରଦୀପକୁ ଥାନାକୁ ଆଣିଥିଲା । ତେବେ ତଦନ୍ତ ଚାଲିଥିବାବେଳେ ରବିବାର ସକାଳେ ପ୍ରଦୀପ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲା । ତାକୁ ଚିକିତ୍ସା ପାଇଁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ଘଟିଥିଲା । ଥାନାରେ ରାତି ତମାମ୍‌ ପୋଲିସ ପ୍ରଦୀପଙ୍କୁ ମାଡ଼ ମାରିଥିବା ନେଇ ପରିବାର ଓ ଗାଁ ଲୋକେ ଅଭିଯୋଗ କରିଛନ୍ତି । ମୃତ ପ୍ରଦୀପ ଗ୍ରାମ୍ୟ ଜଳ ଯୋଗାଣ ବିଭାଗରେ କାର୍ଯ୍ୟ କରୁଥିବାବେଳେ ତାଙ୍କ ନାମରେ ପୂର୍ବରୁ କୌଣସି ଅଭିଯୋଗ ବି ନ ଥିଲା । ଏହା ସତ୍ତେ୍ୱ ପୋଲିସ ବିନା କାରଣରେ ତାଙ୍କୁ ଉଠାଇ ପିଟି ପିଟି ହତ୍ୟା କରିଥିବା ତାଙ୍କ ବଡ଼ଭାଇ ରାଧାକାନ୍ତ ଦାସ ଅଭିଯୋଗ କରିଛନ୍ତି ।

ସେ କହିଛନ୍ତି ମୋ ଭାଇ ରାଜ୍ୟ ସରକାରଙ୍କ ନାଇଟ୍‌ ୱାଚ୍‌ମ୍ୟାନ୍‌ ଭାବେ ବାଲେଶ୍ୱର ଆରଡବ୍ଲୁଏସଏସ୍‌ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିଲା । ଶନିବାର ସନ୍ଧ୍ୟାରେ ଆମେ ଦୁଇ ଭାଇ କ୍ଷୀରଚୋରା ମନ୍ଦିର ପାଖରେ ଚାହା ପିଉଥିବାବେଳେ ସାଧା ପୋଷାକରେ କିଛି ଲୋକ ଏକ ବୋଲେରୋରେ ଆସି ମୋ ଭାଇକୁ ଉଠାଇ ନେଇଥିଲେ । ଏହାପରେ ଆମେ ଥାନାରେ ଭାଇକୁ ଦେଖା କରିବାକୁ ଚାହିଁଥିଲେ ମଧ୍ୟ ଆମ କଥା କେହି ଶୁଣିନଥିଲେ ବରଂ ଧକ୍କା ଦେଇ ବାହାରକୁ ବିଦା କରିଦେଇଥିଲେ । ପୁଣି ରବିବାର ୧୧ଟା ବେଳେ ଥାନାରେ ପହଞ୍ଚିଥିଲୁ । ହେଲେ ସେତେବେଳକୁ ଭାଇ ମରିଯାଇଥିବା ଥାନାର ଜଣେ କର୍ମଚାରୀ କହିଥିଲେ । ଆମେ ଉଦଳା ହସ୍ପିଟାଲରେ ପହଞ୍ଚି ତା ପେଟ ଓ ପିଠିରେ ମାଡ଼ ଦାଗ ରହିଥିବା ଦେଖିବାକୁ ପାଇଥିଲୁ । ଏପରି ଅମାନୁଷିକ କାର୍ଯ୍ୟ ବିରୋଧରେ ପଦକ୍ଷେପ ତୁରନ୍ତ ନିଆଯିବା ପାଇଁ ପରିବାର ବର୍ଗ ଦାବି କରିଛନ୍ତି । ତେବେ ପୋଲିସ ଏପରି ଅଭିଯୋଗକୁ ଖଣ୍ଡନ କରିଛି ।

Get real time updates directly on you device, subscribe now.