fbpx
BSKY
BJD MS SKY
BJD YOUTH SKY

ଅଧା ଫସଲ ଚରିଗଲେଣି ଚକଡ଼ା; ମୁଣ୍ଡରେ ହାତଦେଇ ବସିଛି ଚାଷୀ

ଘସିପୁରା: (ଓଡ଼ିଶା ଭାସ୍କର) ଏବେ ଚକଡା ପୋକ ଯୋଗୁଁ ଚାଷୀ ମୁଣ୍ଡରେ ପଡିଛି ଚଡକ । ଏବର୍ଷ ଭଲ ବର୍ଷା ହୋଇଥିଲା । ସେଥିପାଇଁ ଋଣ କରି ଚାଷୀମାନେ ଜମିରେ ଭଲ ଫସଲ ଫଳାଇଥିଲେ । ଆଶା ଥିଲା, ଏବର୍ଷ ଚାଷରୁ ଘର ଚଳିବା ସହିତ, ଭଲ ଦିପଇସା ରୋଜଗାର ମଧ୍ୟ ହେବ । ହେଲେ, ଚାଷୀର ସେ ଆଶା ଏବେ ମଉଳି ଯାଇଛି । ଏକର ଏକର ଜମିରେ ଚକଡା ପୋକ ମାଡିଯିବାରୁ ଚାଷ ଉଜୁଡିଯିବା ଆଶଙ୍କା ଦେଖାଦେଇଛି । କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଖାଳିଆମେଂଟା ପଂଚାୟତର ନିପାଣିଆ ମୌଜା । ଏଠାରେ ବ୍ୟାପକ ଅଂଚଳରେ ହୋଇଛି ଧାନଚାଷ । ଠିକ୍ ସମୟରେ ବର୍ଷା ହୋଇଥିବା ଯୋଗୁଁ ଧାନଚାଷ ମଧ୍ୟ ଭଲ ହୋଇଛି । ଭଲ ବର୍ଷାକୁ ଦେଖି ଅଂଚଳର ଅନେକ ଚାଷୀ ଋଣ କରି ଏଥର ଧାନଚାଷ କରିଛନ୍ତି । ହେଲେ, ୧୫ଦିନ ପୂର୍ବରୁ ହଠାତ୍ ଫସଲରେ ଚକଡା ପୋକ ଲାଗିବାରୁ ଗଛ ହଳଦିଆ ପଡ଼ିଯିବା ସହିତ, ଧାନଗଛ ମରିଯାଉଛି । ଚାଷୀମାନେ ବିଭିନ୍ନ ଔଷଧ ପ୍ରୟୋଗ କରି କୌଣସି ଫଳ ହେଉ ନଥିବା ଅଭିଯୋଗ କରିଛନ୍ତି । ଦିନକୁ ଦିନ ଏହି ରୋଗ ମାଡିଯାଉଥିବାରୁ ଆଗକୁ ଚାଷୀ ଫସଲ କିପରି ଅମଳ କରିବେ ସେନେଇ ଚିନ୍ତାରେ ପଡିଛନ୍ତି ।

ସମଗ୍ର ଜିଲ୍ଲାରେ ଏବେ ଚାକଡା ପୋକ ଚାଷୀଙ୍କୁ ଚିନ୍ତାରେ ପକାଇଛି । ଜିଲ୍ଲାରେ ଏବର୍ଷ ଧାନଚାଷ ହେବାକୁ ଧାର୍ଯ୍ୟ ହୋଇଥିବା ୧ଲକ୍ଷ ୫୮ହଜାର ହେକ୍ଟର ଚାଷଜମିରୁ ପାଖାପାଖି ୨୯୮ହେକ୍ଟର୍ ଜମିରେ ଚକଡା ପୋକ ଲାଗିଥିବା କହିଛନ୍ତି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ । ଚକଡା ପ୍ରଭାବିତ କ୍ଷେତ୍ର ପରିଦର୍ଶନ ସହ ଆବଶକ୍ୟ କୀଟନାଶକ ଛିଂଚନ ପାଇଁ ଚାଷିଙ୍କୁ ଆବଶକ୍ୟ ପରାମର୍ଶ ଦିଆଯାଇଥିବା ବେଳେ ଜମିରୁ ପାଣି କାଟି ପାହି କିମ୍ବା ପଟି କଲେ ଅତିଶୀଘ୍ର ଏହି ରୋଗ ଦାଉରୁ ରକ୍ଷା ମିଳିବ ବୋଲି ଅଧିକାରୀ କହିଛନ୍ତି । ଭଲ ଅମଳ ଆଶା ରଖିଥିବା ଚାଷୀ ଚକଡା ପୋକ ପାଇଁ ଏବେ ହତାଶ ହୋଇ ପଡିଛନ୍ତି । କୃଷି ବିଭାଗ ତୁରନ୍ତ ପ୍ରଭାବିତ କ୍ଷେତ୍ର ପରିଦର୍ଶନ କରି ଚାଷିଙ୍କୁ କ୍ଷତି ପୂରଣ ପ୍ରଦାନ କରିବାକୁ ସ୍ଥାନିୟ ଅଂଚଳର ଚାଷୀ ଦାବି କରିଛନ୍ତି ।

Get real time updates directly on you device, subscribe now.