ଶେଷ ହେବ ଅଳଙ୍କାରରେ ଠକେଇ ଯୁଗ! ସୁନା ଭଳି ରୂପାରେ ହୋଇପାରେ ହଲମାର୍କିଂ
ଭାରତୀୟ ମାନକ ବ୍ୟୁରୋକୁ କେନ୍ଦ୍ରମନ୍ତ୍ରୀଙ୍କ ପ୍ରସ୍ତାବ । ସୁନା ଭଳି ରୂପାର ହଲମାର୍କିଂ ହୋଇପାରେ ବାଧ୍ୟତାମୂଳକ ।
ନୂଆଦିଲ୍ଲୀ: ଏଣିକି ଆଉ ଠକାମୀ କରିପାରିବେ ନାହିଁ ରୂପା ଦୋକାନୀ । ସୁନା ଭଳି ରୂପାର ମଧ୍ୟ ଜଣାପଡିବ ପ୍ୟୁରିଟି । ସୁନା ଭଳି ଏବେ ରୁପାରେ ମଧ୍ୟ ହଲ୍ମାର୍କିଂ ବାଧ୍ୟତାମୂଳକ ହେବ ।
ରୂପାରେ ହୋଇପାରେ ହଲମାର୍କ: ଏନେଇ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଭାରତୀୟ ମାନକ ବ୍ୟୁରୋକୁ ପ୍ରସ୍ତାବ ଦେଇଛନ୍ତି । ହଲମାର୍କିଂ ପାଇଁ ୩ରୁ ୬ ମାସ ମଧ୍ୟରେ ବିଆଇଏସ୍ ପ୍ରସ୍ତୁତ ହୋଇପାରିବ। ଏଥିପାଇଁ ଅଂଶୀଦାରମାନଙ୍କ ସହ ବିଚାରବିମର୍ଶ ଚାଲିଥିବା କଥା କୁହାଯାଇଛି ।
ସୁନା ଭଳି ରୂପାର ହଲମାର୍କିଂକୁ ବାଧ୍ୟତାମୂଳକ କରିପାରନ୍ତି ସରକାର । ସୁନା ଭଳି ରୂପାର ଚାହିଦା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଅନେକ ଗୁଣାବତ୍ତା ନେଇ ଦ୍ବନ୍ଦରେ ରହିଥାନ୍ତି । ତେବେ ଏହି ସମସ୍ୟାକୁ ଦୂର କରିବା ପାଇଁ ସରକାର ରୂପାରେ ମଧ୍ୟ ହଲମାର୍କ ବାଧ୍ୟତାମୂଳକ କରିପାରନ୍ତି ।
ବିଆଇଏସର ୭୮ତମ ପ୍ରତିଷ୍ଠା ଦିବସ ସମାରୋହକୁ ସମ୍ବୋଧିତ କରି ମନ୍ତ୍ରୀ କହିଛନ୍ତି, ରୂପାର ହଲମାର୍କିଂ କରିବାକୁ ଗୁଜରାଟ, କର୍ଣ୍ଣାଟକ ଓ ଅନ୍ୟ କେତେକ ରାଜ୍ୟର ଗ୍ରାହକ ଦାବି କରି ଆସୁଛନ୍ତି । ଏନେଇ ମୁଁ ମଧ୍ୟ ପ୍ରସ୍ତାବ ଦେଇଛି ।
ବିଆଇଏସ ଏହା ପରେ ଚିନ୍ତା କରୁଛି । ଗ୍ରାହକଙ୍କ ସ୍ୱାର୍ଥ ରକ୍ଷା ଲାଗି ବର୍ତ୍ତମାନ ସୁନା ଓ ସେଥିରେ ତିଆରି ଜିନିଷର ହଲମାର୍କିଂ ବାଧ୍ୟତାମୂଳକ କରାଯାଇଛି । ଛଅ ଅଙ୍କ ବିଶିଷ୍ଟ ସଂଖ୍ୟା ଶୁଦ୍ଧତାକୁ ଦର୍ଶାଉଛି । ରୁପାର ହଲମାର୍କିଂ ବାଧ୍ୟତାମୂଳକ ହେଲେ ଗ୍ରାହକମାନେ ଆଉ ଠକାମୀର ଶିକାର ହେବେ ନାହିଁ ।