ଇସ୍ରାଏଲ୍ ଆକ୍ରମଣରେ ହମାସର ବାୟୁସେନା ମୁଖ୍ୟ ମୃତ, ଗତ ସପ୍ତାହରେ ନରସଂହାର ସମୟରେ ଆତଙ୍କବାଦୀଙ୍କୁ ନିର୍ଦ୍ଦେଶ ଦେବାରେ ଥିଲା ବଡ ଭୂମିକା

ନୂଆଦିଲ୍ଲୀ: ହମାସ ପକ୍ଷରୁ ପ୍ରଥମ ଆକ୍ରମଣ ପରେ ଇସ୍ରାଏଲ ଲଗାତର ଗାଜାପଟ୍ଟୀ ଉପରେ ଆକ୍ରମଣ କରିଆସିଛି । ଗତ ରାତିରେ ମଧ୍ୟ ଗାଜା ଉପରେ ଇସ୍ରାଏଲ୍ ପକ୍ଷରୁ ଜୋରଦାର ବମ୍ ମାଡ କରାଯାଇଛି । ଏହି ଆକ୍ରମଣରେ ହମାସର ଜଣେ ସିନିୟର କମାଣ୍ଡରଙ୍କ ମୃତ୍ୟୁ ହୋଇଛି । ଏ ବିଷୟରେ ଦି ଟାଇମ୍ସ ଅଫ୍ ଇସ୍ରାଏଲ ନିଜର ଏକ ରିପୋର୍ଟରେ ଦାବୀ କରିଛି ।

ରିପୋର୍ଟରେ କୁହାଯାଇଛି ଆକାଶ ମାର୍ଗରୁ ଆକ୍ରମଣରେ ହମାସର ବାୟୁସେନା ପ୍ରମୁଖ ମୁରାଦ ଅବୁ ମୁରାଦର ମୃତ୍ୟୁ ହୋଇଯାଇଛି । ଇସ୍ରାଏଲ ଏୟାରଫୋର୍ସ ହମାସର ଏକ ମୁଖ୍ୟ କାର୍ଯ୍ୟାଳୟ ଉପରେ ଟାର୍ଗେଟ୍ କରି ଆକ୍ରମଣ କରିଥିଲା ଯେଉଁଠାରୁ ଆତଙ୍କୀ ସଂଗଠନ ନିଜର ଆକାଶବାହିନୀକୁ ନିୟନ୍ତ୍ରଣ କରୁଥିଲା ।

ଇସ୍ରାଏଲ ପକ୍ଷରୁ କୁହାଯାଇଛି ଅବୁ ମୁରାଦ ଗତ ସପ୍ତାହରେ ନରସଂହାର ସମୟରେ ଆତଙ୍କବାଦୀଙ୍କୁ ନିର୍ଦ୍ଦେଶ ଦେବାରେ ବଡ ଭୂମିକା ନିଭାଇଥିଲା । ମୁରାଦର ନିର୍ଦ୍ଦେଶରେ ହ୍ୟାଙ୍ଗ ଗ୍ଲାଇଡର ସହାୟତାରେ ହମାସର ଆତଙ୍କବାଦୀମାନେ ଇସ୍ରାଏଲରେ ପ୍ରବେଶ କରିଥିଲେ ।