fbpx

ଗଛରେ ଓଲଟା ଝୁଲାଇ ଯୁବକଙ୍କୁ ନିର୍ଧୁମ୍ ମାଡ଼: ସାମ୍ନାକୁ ଆସିଲା Video

ନୂଆଦିଲ୍ଲୀ: ଯୁବକଙ୍କୁ ଗଛରେ ଓଲଟା ଝୁଲାଇ ନିର୍ଧୁମ୍ ମାଡ଼, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଘଟଣା ଛତିଶଗଡ଼ର ବିଳାସପୁର ଜିଲ୍ଲାରେ ଘଟିଥିବା ଜଣାପଡିଛି । ଭିଡିଓ ଭାଇରାଲ ପରେ ପୋଲିସ ଏହି ମାମଲାରେ ଜଣେ ନାବାଳକ ସମେତ ୫ ଜଣଙ୍କୁ ଗିରଫ କରିଛି ।

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ପୀଡ଼ିତ ଯୁବକ ମହାବୀର ସୂର୍ଯ୍ୟବଂଶୀ ଜିଲ୍ଲାର ରତନପୁର ଅଞ୍ଚଳର ବାସିନ୍ଦା । ସେ ସିପତ ଅଞ୍ଚଳର ଉଚ୍ଚଭଟ୍ଟୀ ଗାଁରେ ରହି ଶ୍ରମିକ ଓ ଜଗୁଆଳ ଭାବେ କାମ କରୁଥିଲେ । ୨୪-୨୫ ଏପ୍ରିଲ ବିଳମ୍ବିତ ରାତିରେ ମନୀଷ ନିଜ ଘରେ ମହାବୀରକୁ ପଶିବାକୁ ଚେଷ୍ଟା କରୁଥିବାର ଦେଖିଥିଲେ ।

ଏହା ପରେ ମହାବୀର ଗାଁରୁ ପଳାଇଯିବା ପୂର୍ବରୁ ହିଁ ମନୀଷ ତାଙ୍କୁ ଧରିପକାଇଥିଲେ । ମହାବୀରକୁ ଚୋରି କରିବା ଅଭିଯୋଗରେ ପୋଲିସକୁ ହସ୍ତାନ୍ତର କରିଥିଲେ । କିନ୍ତୁ ସେତେବେଳେ ପୋଲିସ ମହାବୀର ଉପରେ କୌଣସି ମାମଲା ରୁଜୁ ନକରି କେବଳ ଚେତାବନୀ ଦେଇ ଛାଡ଼ିଦେଇଥିଲା ।

ଏହାପରେ ବୁଧବାର ଦିନ ପୁଣିଥରେ ମହାବୀର ମନୀଷଙ୍କ ଘରକୁ ଯାଇ ବାହାରେ ଥୁଆ ହୋଇଥିବା ବାଇକର କ୍ଷତି କରିଥିବା ସେ ଅଭିଯୋଗ କରିଥିଲେ । ଗୁରୁବାର ଦିନ ମନୀଷ ଓ ୪ ଅଭିଯୁକ୍ତ ମହାବୀରଙ୍କୁ ଧରିପକାଇଥିଲେ ଓ ଗାଁର ଇଟାଭାଟି ପାଖରେ ଥିବା ଗଛରେ ଓଲଟା ଝୁଲାଇଥିଲେ । ଏହା ପରେ ଝୁଲନ୍ତା ମହାବୀରଙ୍କୁ ସମସ୍ତେ ମିଶି ନିର୍ଧୁମ ମାରିଥିଲେ ।

ଭାଇରାଲ ଭିଡିଓରେ ମହାବୀରଙ୍କୁ ଗଛରେ ଓଲଟା ଝୁଲାଇ ମାଡ଼ ମରାଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ମାଡ଼ ବଞ୍ଚିବା ପାଇଁ ମହାବିୀର ଯେତେ କାକୁତିମିନତୀ କଲେ ବି ଶୁଣିଛି କିଏ । ପାଖରେ ଥିବା କିଛି ଲୋକ ମଧ୍ୟ ଏଥିରେ ହସ୍ତକ୍ଷେପ କରିବାକୁ ଚେଷ୍ଟା କରିଥିଲେ ଓ ସେମାନଙ୍କ ମଧ୍ୟରୁ ଜଣେ ନିଜ ମୋବାଇଲ ଫୋନରେ ରେକର୍ଡିଂ କରିଥିଲା । ପରେ ସେ ଏହି ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ କରିଥିଲା । ପୋଲିସ ମଧ୍ୟ ଶୀଘ୍ର ଆକ୍ସନ ନେଇ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି ।

Get real time updates directly on you device, subscribe now.