fbpx

ଧୋନୀ ଓ BCCIର କିଛି ଅଧିକାରୀ ମୋ କ୍ୟାରିୟରକୁ ନଷ୍ଟ କରିଦେଲେ: ହରଭଜନ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ପୂର୍ବତନ ଭାରତୀୟ ଅଫ୍ ସ୍ପିନର ହରଭଜନ ସିଂହ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)କୁ ନେଇ ଏକ ଗୁରୁତର ଅଭିଯୋଗ ଆଣିଛନ୍ତି । ବିସିସିଆଇର ଅନେକ ଅଧିକାରୀ ହରଭଜନଙ୍କ କ୍ୟାରିୟର ନଷ୍ଟ କରିଦେଇଛନ୍ତି । ହରଭଜନ ପୁଣି ଥରେ କ୍ରିକେଟ ପଡ଼ିଆକୁ ଫେରନ୍ତୁ ଏକଥା ଅନେକ ଚାହୁଁ ନଥିବା କହିଛନ୍ତି ହରଭଜନ । ଏନେଇ ସର୍ବପ୍ରଥମେ ସେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ନାମ ନେଇଛନ୍ତି । ଯଦି ଭବିଷ୍ୟତରେ କୌଣସି ବାୟୋପିକ୍ ନିର୍ମାଣ ହୁଏ, ତେବେ ସେଥିରେ ଅନେକ ଖଳନାୟକ ଭୂମିକା ନିଭାଇବେ ବୋଲି ଭଜି କହିଛନ୍ତି ।

ଏକ ସାକ୍ଷାତକାର ଦେଇ ଭଜି କହିଛନ୍ତି ଯେ, ମୋତେ ୩୧ ବର୍ଷ ବୟସ ହୋଇଥିବା ବେଳେ ମୁଁ ୪୦୦ ୱିକେଟ ହାସଲ କରିସାରିଥିଲି । ତେଣୁ ଆଉ ୪-୫ ବର୍ଷ କ୍ରିକେଟ ଖେଳି ୧୦୦-୧୫୦ ୱିକେଟ ହାସଲ କରିବାକୁ ଚାହୁଁଥିଲି । ମାତ୍ର ଏକଥା ଅନେକ ଲୋକଙ୍କୁ ପସନ୍ଦ ଆସିନଥିଲା । ସେମାନେ ମୋର ଉଜ୍ଜ୍ୱଳ କ୍ୟାରିୟରକୁ ନଷ୍ଟ କରିବା ପ୍ରୟାସରେ ରହିଥିଲେ । ସମସ୍ତେ ତ ବଲ ଓ ବ୍ୟାଟକୁ ନେଇ ଖେଳୁଛନ୍ତି । ମାତ୍ର ଉପଯୁକ୍ତ ସପୋର୍ଟ ମିଳିଲେ ଜଣେ ଖେଳାଳି ବହୁତ ଆଗକୁ ଯାଇପାରିବ । ଏପରି ଭାରତୀୟ କ୍ରିକେଟରେ ଅନେକ ଖେଳାଳିଙ୍କ ଉଦାହରଣ ରହିଛି । ଯଦି ଭବିଷ୍ୟତରେ ମୋ କ୍ୟାରିୟରକୁ ନେଇ ବାୟୋପିକ୍ ନିର୍ମାଣ ହୁଏ, ସେଥିରେ ଏକାଧିକ ଭିଲିଆନ୍ ନଜର ଆସିବେ ବୋଲି ସେ କହିଥିଲେ । ସୂଚନାଯୋଗ୍ୟ ଯେ, ୪୧ ବର୍ଷୀୟ ଭଜି ୨୩ ବର୍ଷର ଲମ୍ବା କ୍ୟାରିୟରରେ ୧୦୩ଟି ଟେଷ୍ଟରେ ୪୧୭ଟି ୱିକେଟ, ୨୩୬ଟି ଦିନକିଆରେ ୨୬୯ଟି ୱିକେଟ, ୨୮ଟି ଟି-୨୦ରେ ୨୫ଟି ୱିକେଟ ନେଇଛନ୍ତି ।

Get real time updates directly on you device, subscribe now.